ଫୁଟିବା ପୂର୍ବରୁ ଭାସିଗଲା ଲକ୍ଷାଧିକ ଅଲିଭ୍‌ ରିଡେ୍‌ଲେ ଅଣ୍ଡା

ବ୍ରହ୍ମପୁର/ଗଞ୍ଜାମ/ଚିକିଟି : ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣରେ ଏଥର ରେକର୍ଡ଼ ସଂଖ୍ୟକ ଅଲିଭ୍‌ ରିଡ୍‌ଲେ ଗଣଅଣ୍ଡାଦାନ କରିଥିଲେ। ପ୍ରାୟ ସାଢ଼େ ୫ଲକ୍ଷରୁ ଅଧିକ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଆଉ କିଛିଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରି ସମୁଦ୍ର ଆଡ଼କୁ ମୁହାଁଇଥାନ୍ତେ। ହେଲେ ସମ୍ଭାବ୍ୟ ବାତ୍ୟା ‘ଅସାନି’ ସବୁ ଉଜାଡ଼ି ଦେଇଛି। ବାତ୍ୟା ପ୍ରଭାବରେ ଉଚ୍ଚ ଜୁଆର ଯୋଗୁ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧରୁ ପୋଡ଼ମ୍‌ପେଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବେଳାଭୂମି ମାଡ଼ିଯାଇଛି ସମୁଦ୍ରପାଣି। ଫଳରେ, ଲକ୍ଷାଧିକ କିଇଁଛ ଅଣ୍ଡା ନଷ୍ଟ ହୋଇଯାଇଛି। ଅଣ୍ଡାଗୁଡ଼ିକ ଜୁଆର ପାଣିରେ ସମୁଦ୍ର ଭିତରକୁ ଭାସି ଯାଇଛି।

ଗଣଅଣ୍ଡାଦାନ କରିଥିଲେ ସାଢ଼େ ୫ ଲକ୍ଷ କଇଁଛ
ଜୁଆର ମାଡ଼ରେ ୧୫ ପ୍ରତିଶତ ନଷ୍ଟ
ମେ ୧୫ରୁ ଅଣ୍ଡା ଫୁଟିଥାନ୍ତା, ଡିଏପ୍‌ଓଙ୍କ ଅନୁଧ୍ୟାନ

ଆଜି ବ୍ରହ୍ମପୁର ଡିଏଫ୍‌ଓ ଅମ୍ଳାନ ନାୟକ ଋଷିକୁଲ୍ୟା ମୁହାଣରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଡିଏଫ୍‌ଓ ଶ୍ରୀ ବେହେରା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାୟ ୧୦/୧୫ ପ୍ରତିଶତ ଅଣ୍ଡା ନଷ୍ଟ ହୋଇଥିବା ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ପ୍ରତିବର୍ଷ କୂଳ ଖାଇ ଏଭଳି ସମସ୍ୟା ହୋଇଥାଏ। କିନ୍ତୁ ଏଥର ବାତ୍ୟା ପ୍ରଭାବରୁ ବଡ଼ ଜୁଆର ଆସିବାରୁ ଅଣ୍ଡା ନଷ୍ଟ ହୋଇଥିବା ସେ କହିଛନ୍ତି। ବଳକା ରହିଥିବା ଅଣ୍ଡାକୁ କିପରି ସୁରକ୍ଷା ପ୍ରଦାନ କରାଯିବ ସେ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି। ସେହିପରି ସୁନାପୁର ବେଳାଭୂମିରେ ମଧ୍ୟ ଅଣ୍ଡାଦାନ(ସ୍ପୋରାଡିକ୍‌ ନେଷ୍ଟିଂ) ହୋଇଥିଲା। ସେଠାରେ ମଧ୍ୟ ବିଭିନ୍ନ ସ୍ଥାନରେ କଇଁଛ ଅଣ୍ଡା ନଷ୍ଟ ହୋଇଛି। ବନ ବିଭାଗର ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛି।

ସମ୍ବନ୍ଧିତ ଖବର