ଦେଢ଼ ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବୀ ଉପକୃତ ହେବେ
ଅଯଥା ମାମଲାରୁ ରକ୍ଷା ମିଳିବ
ଭୁବନେଶ୍ବର : ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡ୍ଲେଙ୍କ ମିଳନ, ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ଲୋକାର୍ପିତ ହୋଇଛି ଅଲିଭ୍ ରିଡ୍ଲେ ମୋବାଇଲ୍ ଆପ୍ ‘ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ’। ଏମ୍ଏସ୍ ସ୍ବାମୀନାଥନ ରିସର୍ଚ ଫାଉଣ୍ଡେସନ ସହଯୋଗରେ ପ୍ରସ୍ତୁତ ଏହି ଆପ୍କୁ କୃଷି ଭବନରେ କୃଷି ମନ୍ତ୍ରୀ ଡ.ଅରୁଣ ସାହୁ ଲୋକାର୍ପଣ କରିଛନ୍ତି। ଏହି ଅଫ୍ଲାଇନ୍ ମୋବାଇଲ ଆପ୍ଲିକେସନ(ବିନା ଇଣ୍ଟରନେଟରେ)କୁ ମତ୍ସ୍ୟଜୀବୀ, ନାବିକମାନେ ବିନା ମୂଲ୍ୟରେ ଡାଉନ୍ଲୋଡ୍ କରି ମାଛଧରା ନିଷିଦ୍ଧାଞ୍ଚଳର ପରିସୀମା ସମ୍ବନ୍ଧରେ ଜାଣିପାରିବେ। ମାଛଧରା ନିଷିଦ୍ଧାଞ୍ଚଳ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରବେଶ ବେଳେ ଏହି ଆପ୍ ଉଭୟ ଭଏସ୍ ଏବଂ ବାର୍ତ୍ତା ଏସ୍ଏମ୍ଏସ୍ ଜରିଆରେ ସୂଚନା ଦେବ।
ଓଡ଼ିଶା ମୁଖ୍ୟ ବନସଂରକ୍ଷକ ଶଶୀ ପଲ୍ଙ୍କ ସୂଚନା ଅନୁଯାୟୀ ଓଡ଼ିଶା ହେଉଛି ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ଅନ୍ତୁଡ଼ିଶାଳ। ପ୍ରତିବର୍ଷ ପ୍ରାୟ ୮ରୁ ୧୦ ଲକ୍ଷ ବିରଳ ପ୍ରଜାତିର ଏହି କଇଁଛ ହଜାର ହଜାର ମାଇଲ ଦୂରରୁ ଆସି କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା, ଭିତରକନିକା ଅଭୟାରଣ୍ୟ, ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀମୁହାଣ, ପୁରୀ, ଜଗତସିଂହପୁର ଜିଲ୍ଲାର ଦେବୀ ନଦୀମୁହାଣରେ ଅଣ୍ଡାଦାନ କରନ୍ତି।। ଏଥିପାଇଁ ନଭେମ୍ବର ମାସ ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରୁ ମାଛଧରା କଟକଣା ଲାଗୁ କରାଯାଏ। ଏଥିଯୋଗୁଁ ସାମୁଦ୍ରିକ ମତ୍ସ୍ୟଜୀବୀମାନେ କ୍ଷତିଗ୍ରସ୍ତ ହୋଇଥାଆନ୍ତି। ତେବେ ଏଥିପାଇଁ ସେମାନଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦିଆଯାଏ। ଅଣପଂଜୀକୃତ ମତ୍ସ୍ୟଜୀବୀ ସରକାରୀ ସହାୟତାରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ସମସ୍ୟା କିନ୍ତୁ ଜଟିଳ ହୁଏ। ଅନ୍ୟଦିଗରେ ବିଭିନ୍ନ ସମୟରେ ମତ୍ସ୍ୟଜୀବୀମାନେ ନିଷିଦ୍ଧାଞ୍ଚଳକୁ ଅଜାଣତରେ ଚାଲିଯାଆନ୍ତି, ଏଥିଯୋଗୁଁ ସେମାନଙ୍କ ଡଙ୍ଗା ଜବତ ହେବା ସହିତ ଜେଲ୍ ବି ଯିବାକୁ ପଡ଼ିଥାଏ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଅଲିଭ୍ ରିଡ୍ଲେ ମୋବାଇଲ ଆପ୍ର ପ୍ରସ୍ତୁତ କରାଯାଇଛି। ଏହି ଆପ୍ ଜରିଆରେ ମତ୍ସ୍ୟଜୀବୀମାନେ ମାଛଧରା ନିଷିଦ୍ଧାଞ୍ଚଳ ସହିତ ମତ୍ସ୍ୟ ସମ୍ପର୍କିତ ସୂଚନା ଓଡ଼ିଆରେ ପାଇପାରିବେ। ଏଥିରେ ଓଡ଼ିଶା ଉପକୂଳରେ ଅବସ୍ଥିତ ମାଛଧରା ବନ୍ଦର, ମତ୍ସ୍ୟ ଅବତରଣ କେନ୍ଦ୍ର ସମେତ ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ଘୋଷିତ ଧାମରା ମୁହାଣ, ଦେବୀ ମୁହାଣ, ଋଷିକୁଲ୍ୟା ମୁହାଣ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାଛଧରା ନିଷିଦ୍ଧାଞ୍ଚଳ ଅଫ୍ଲାଇନ ଭୌଗଳିକ ମାନଚିତ୍ରରେ ଉପଲବ୍ଧ ହେବ। ମତ୍ସ୍ୟଜୀବୀମାନେ ଗୁଗୁଲ ପ୍ଲେ ଷ୍ଟୋର୍ରୁ ‘ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ୍’ କୁ ଡାଉନ୍ଲୋଡ୍ କରିପାରିବେ। ଏହା କ୍ଲିକ୍ କରିବା ପରେ ଆବଶ୍ୟକ ନିର୍ଦେଶାବଳି ଅନୁଯାୟୀ ଆପ୍ର ଲାଭ ନେଇପାରିବେ। ଏଥିରେ ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା, ଅଧିକ ମାଛ ମିଳିବା ସ୍ଥାନ, ମାଛଧରା ଅଞ୍ଚଳ ନୁହେଁ, ମହା ସାମୁଦ୍ରିକ ଭିତ୍ତିକ ସୂଚନା, ଜିପିଏସ୍ ଆଣ୍ଡ ନେଭିଗେସନ୍, ବିପତ୍ତି ସତର୍କ, ଆଇବିଏଲ୍ ସତର୍କ ଆଦି ବଟମ୍ କ୍ଲିକ୍ କରି ଏ ସମ୍ପର୍କରେ ଅବଗତ ହୋଇପାରିବେ।
ଉଲ୍ଲେଖଯୋଗ୍ୟ ଯେ ୨୦୦୭ ମସିହାରେ ସ୍ବାମୀନାଥନ୍ ଫାଉଣ୍ଡେସନ୍ ପକ୍ଷରୁ ଦେଶରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ମତ୍ସ୍ୟଜୀବୀଙ୍କ ସୁବିଧା ପାଇଁ ୨୦୧୩ ମସିହାରେ ତେଲୁଗୁ, ଓଡ଼ିଆ, କୋଙ୍କଣି, ମଲୟାଲମ ସମେତ ବିଭିନ୍ନ ଭାଷାରେ ଏହାକୁ ବିକଶିତ କରାଯାଇଛି। ୨୦୧୫ ମସିହାରେ ଗଞ୍ଜାମ ଓ ପୁରୀରେ ଏହା କାର୍ଯ୍ୟକାରୀ କରାଯାଇଛି। ତେବେ ଆଜିର କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ସରକାର ଏହାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବିଧିବଦ୍ଧ ଭାବରେ ଆରମ୍ଭ କରିଛନ୍ତି। ଏହା ଜରିଆରେ ମାଛଧରା କାର୍ଯ୍ୟରେ ନିୟୋଜିତ ୨୨୦୦୦ ଟ୍ରଲର, ଯନ୍ତ୍ରାଚାଳିତ ଡଙ୍ଗା, ଅଣଯାନ୍ତ୍ରିକ ଡଙ୍ଗାରେ ସମ୍ପୃକ୍ତ ଦେଢ଼ ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବୀ ଉପକୃତ ହେବେ। ଏହି ଆପ୍ ପ୍ରସ୍ତୁତିରେ ଏମ୍ଏସ୍ ସ୍ବାମୀନାଥନ ରିସର୍ଚ ଫାଣ୍ଡସେନର ମୁଖ୍ୟ ବୈଜ୍ଞାନିକ ଡ.ଭେଲଭି ପ୍ରମୁଖ ଭୂମିକା ନେଇଛନ୍ତି।
ସେହିପରି ମତ୍ସ୍ୟ ବିଭାଗର ନିର୍ଦେଶକ ସ୍ମୃତିରଞ୍ଜନ କହିଥିଲେ ଯେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ୧୪ ଲକ୍ଷ ଲୋକ ଜଡ଼ିତ ଅଛନ୍ତି। ତେଣୁ ଏହାର ଗୁରୁତ୍ବ ଆହୁରି ବୃଦ୍ଧି ପାଇଛି। ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ ବିଭାଗ କମିସନର ଆର୍ ରଘୁ ପ୍ରସାଦ କହିଥିଲେ ଯେ ୨୦୨୦-୨୧ ମସିହାରେ ସାମୁଦ୍ରିକ ମାଛ ଉତ୍ପାଦନ ୧.୭୨ ଲକ୍ଷ ମେଟ୍ରିକ ଟନ୍ରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରକୁ ୨୦ ବର୍ଷ ମଧ୍ୟରେ ଏହାର ରପ୍ତାନି ୯ ଗୁଣ ବୃଦ୍ଧି ପାଇଛି। ୨୦୦୦-୦୧ ମସିହାରେ ରପ୍ତାନି ମୂଲ୍ୟ ୩୭୯ କୋଟି ଥିଲାବେଳେ ୨୦୧୯ ମସିହାରେ ଏହା ବୃଦ୍ଧି ପାଇ ୩୨୪୩ କୋଟି ଟଙ୍କାରେ ପହଞ୍ଚି ପାରିଛି। ସାମୁଦ୍ରିକ ଖାଦ୍ୟ ରପ୍ତାନି ୧୦,୬୪୦ ମେଟ୍ରିକ ଟନ୍ରୁ ୬୬,୬୫୦ ମେଟ୍ରିକ ଟନ୍କୁ ବୃଦ୍ଧି ପାଇଛି।
ରାଜ୍ୟର ୧୧ଟି ସ୍ଥାନରୁ ମତ୍ସ୍ୟଜୀବୀ, ମତ୍ସ୍ୟ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମତ୍ସ୍ୟ ବିଭାଗର ଅତିରିକ୍ତ ନିର୍ଦେଶକ (ବୈଷୟିକ) ଦେବାନନ୍ଦ ଭଞ୍ଜ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ନିର୍ଦେଶକ ଏମଏମ ହୁସେନ ଉପସ୍ଥିତ ଥିଲେ।