ବ୍ରହ୍ମପୁର/ରାଜନଗର/ପୁରୀ: ନଭେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ପ୍ରକୃତିର ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନ ଋତୁ। ଅଲିଭ୍‌ ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଭାବେ ସମଗ୍ର ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ୧୪୩୭ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏ ୧୬୦ କିଲୋମିଟର ପର୍ଯ୍ୟନ୍ତ ଏଥିପାଇଁ କଟକଣା ଲାଗୁ ହେବାକୁ ଯାଉଛି। ନଭେମ୍ବର ୧ରୁ ମେ ୩୧ ଯାଏ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ରହିବ।

Advertisment

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷସାରା ଟ୍ରଲର ଚଳାଚଳ ଓ ମାଛଧରା ଉପରେ ସଂପୂର୍ଣ୍ଣ କଟକଣା ରହିଥିବା ବେଳେ କଇଁଛ ଋତୁ ନିମନ୍ତେ ମତ୍ସ୍ୟବିଭାଗ ପକ୍ଷରୁ ଧାମରାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ରକୂଳଠାରୁ ୨୦ କିମି ଯାଏ ଯନ୍ତ୍ରଚାଳିତ ଟ୍ରଲର, ବୋଟ୍, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛ ଧରା ଉପରେ କଟକଣା ଜାରି କରାଯାଇଥିବା ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି। ଏହା ସହିତ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସର କ୍ୟାମ୍ପ କରାଯାଇଥିବା ବେଳେ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏକକୂଳା, ସାତଭାୟା, ଜଉଦିଆ, ଦୋବନ୍ଧି, ଶାସନପେଟା, ତାଲଙ୍ଗ, ଜଟାଧାର, ଷଣ୍ଢକୁଦ ୧, ୨, ହାୱାଖାନା, ରାମତାରା ଓ ବନ୍ଦର ଆଦି ୧୪ଟି ସ୍ଥାନରେ ସୁରକ୍ଷା କ୍ୟାମ୍ପ କରାଯିବ। କ୍ୟାମ୍ପରେ ୫ ଜଣ ଲେଖାଏ କର୍ମଚାରୀ ଓ ଅନ୍ୟ ୧୪ଟି କଇଁଛ ସୁରକ୍ଷା କ୍ୟାମ୍ପରେ ୩ ଜଣ ଲେଖାଏ କର୍ମଚାରୀଙ୍କୁ ନିୟୋଜନ କରାଯିବ। ବାବୁବାଲି ଓ ଶାସନପେଟାରେ ଗୋଟିଏ ସେକ୍ସନ୍ ଲେଖାଏ ଏପିଆର୍ ଫୋର୍ସ ମୁତୟନ କରାଯିବ। ଏହି ସମୟରେ ବନବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍ ପୁଲିସ୍‌, ମତ୍ସ୍ୟ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ। ଆଇସିଜେଡ୍ଏମପି ଅନୁଦାନରେ ଆସିଥିବା ଦୁଇଟି ସ୍ପିଡ୍‌ବୋଟ୍‌ ମଧ୍ୟରୁ ଗହୀରମଥା–୧ ଦୀର୍ଘଦିନ ହେଲା ଖରାପ ଥିବା ବେଳେ ଏବେ ଗହୀରମଥା–୨ ଏବଂ ଅଲଭିଆ ଟ୍ରଲରରେ ପାଟ୍ରୋଲିଂ କରାଯାଉଛି। ପାଟ୍ରୋଲିଂକୁ ଅଧିକ ଗତିଶୀଳ କରିବା ପାଇଁ ୧୫ଦିନ ମଧ୍ୟରେ ଗୋଟିଏ ଟ୍ରଲର ଭଡ଼ାରେ ଆସିବ ଓ ଆଉ ଗୋଟିଏ ଟ୍ରଲର ଧାମରା ପୋର୍ଟ ଯୋଗାଇ ଦେବ ବୋଲି ଡିଏଫଓ ଶ୍ରୀ ଯାଦବ ସୂଚନା ଦେଇଛନ୍ତି। ଏଥିସହ ବାବୁବାଲି ଠାରେ ଭଦ୍ରକ ଡିଭିଜନ ପକ୍ଷରୁ ଗୋଟିଏ କ୍ୟାମ୍ପ କରାଯିବା ସହିତ ଗୋଟିଏ ସ୍ପିଡ୍‌ବୋଟ ନିୟୋଜିତ କରାଯିବ।

ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ବାଲୁକାଶଯ୍ୟାରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପର୍ବ ପାଇଁ ପ୍ରାକ୍‌ ପ୍ରସ୍ତୁତ ଆରମ୍ଭ ହୋଇଛି। ସେଥିପାଇଁ ବନ ବିଭାଗ ତରଫରୁ ଉଦ୍ୟମ ଆରମ୍ଭ କରାଯାଇଛି। ଉକ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବ। ଋଷିକୁଲ୍ୟା ମୁହାଣ ଆର୍ଯ୍ୟପଲ୍ଲୀ ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ପ୍ରାୟ ୨୦କିମି ପର୍ଯ୍ୟନ୍ତ ନୋ-ଫିସିଂ ଜୋନ୍‌ କରାଯାଇ ମାଛଧରା ବୋଟ‌୍ ଚଳାଚଳ ଉପରେ କଟକଣା ଜାରି କରାଯିବ। ଏ ନେଇ ବ୍ରହ୍ମପୁର ବନଖଣ୍ଡ ତରଫରୁ ଖୁବଶୀଘ୍ର ବିଧିବଦ୍ଧ ଘୋଷଣା କରାଯିବ। ନଭେମ୍ବର ପ୍ରଥମ ସପ୍ତାହ ପରେ ସମୁଦ୍ର ଭିତରେ କଇଁଛଙ୍କ ସଙ୍ଗମପର୍ବ ଆରମ୍ଭ ହେବ। ନଭେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ଏହାପରେ ମାର୍ଚ୍ଚରେ ଗଣଅଣ୍ଡାଦାନ ହେବ। ଗଞ୍ଜାମ ଉପକୂଳ ପ୍ରାୟାଗୀ ଠାରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୮ କିମି ବେଳାଭୂମି ରହିଥିବା ବେଳେ ଅଲିଭ୍‌ ରିଡ୍‌ଲେ କଇଁଛ ଋଷିକୂଲ୍ୟା ମୁହାଣ ବାଲୁକାଶଯ୍ୟାରେ ଅଣ୍ଡାଦାନ କରିଥାନ୍ତି। ଏଥିପାଇଁ ଅଲିଭ୍‌ ରିଡ୍‌ଲେ କଇଁଛ ପ୍ରତିବର୍ଷ ନିଜ ବାସସ୍ଥାନ ଶ୍ରୀଲଙ୍କା ଉପକୂଳରୁ ଓଡ଼ିଶା ଉପକୂଳକୁ ଆସିଥାନ୍ତି। ଏହି ଯାତ୍ରା ପାଇଁ ସେମାନଙ୍କୁ ପ୍ରାୟ ୨୭ଦିନ ସମୟ ଲାଗିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଓଡ଼ିଶା ଉପକୂଳରେ ନଭେମ୍ବରରୁ ଏପ୍ରିଲ୍‌ ପ୍ରାୟ ୬ମାସ ପର୍ଯ୍ୟନ୍ତ ରହିଥାନ୍ତି। ଏହାପରେ ପୁଣିଥରେ ସେମାନେ ଖାଦ୍ୟ ଅନ୍ବେଷଣରେ ଶ୍ରୀଲଙ୍କାର କାଲ୍‌ମୋନାଇ, କ‌ଲମ୍ବୋ ଓ ଜାଫ୍‌ନା ଉପକୂଳକୁ ଚାଲି ଯାଇଥାନ୍ତି। ଏବେ ଅଣ୍ଡାଦାନ ପାଇଁ କଇଁଛ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଛନ୍ତି। ନଭେମ୍ବରରୁ ଜାନୁଆରି ପର୍ଯ୍ୟନ୍ତ ୩ମାସ କଇଁଛଙ୍କ ମିଳିନ ଋତୁ ବୋଲି ଧରାଯାଏ। ଏହାପରେ ଫେବ୍ରୁଆରି ଶେଷ ସପ୍ତାହ ନ‌ହେଲେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଗତବର୍ଷ (୨୦୨୨-୨୩) ଗଞ୍ଜାମ ବ୍ଲକ୍‌ର ପୋଡ଼ମପେଟାରୁ ବଟେଶ୍ବର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବାଲୁକାଶଯ୍ୟାରେ ୬ଲକ୍ଷ ୩୭ହଜାର କଇଁଛ ଗଣଅଣ୍ଡାଦାନ କରିଥିଲେ। ଯାହାକି ଏକ ରେକର୍ଡ଼। ସେହିପରି ୨୦୨୧-୨୨ରେ ପ୍ରାୟ ସାଢ଼େ ୫ଲକ୍ଷରୁ ଅଧିକ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଋଷିକୁଲ୍ୟା ମୁହାଣରେ ପୁରୁଣାବନ୍ଧରୁ ପୋଡ଼ମପେଟା ଓ ବଟେଶ୍ବରରୁ ଅଳେଶ୍ବର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବାଲୁକାଶଯ୍ୟାରେ ଗଣଅଣ୍ଡାଦାନ ହୋଇଥାଏ। ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଟିମ୍‌ ଗଠନ କରି ପାଟ୍ରୋଲିଂ କରିବ।

ପୁରୀ ବନଖଣ୍ଡ ପକ୍ଷରୁ ବାଲୁଖଣ୍ଡ, ବ୍ରହ୍ମଗିରି, କୋଣାର୍କ ଓ ଅସ୍ତରଙ୍ଗ ବନାଞ୍ଚଳରେ ମୋଟ ୧୫ଟି ଶିବିର କରାଯିବ। ୪ଟି ରେଞ୍ଜରେ ୧୪ଟି ହାଚେରିର ବ୍ୟବସ୍ଥା ରହିବ। ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଗୋଟିଏ ୧୦ ଜଣିଆ ସ୍କ୍ବାଡ୍‌ ନିୟୋଜିତ ହେବେ। ଶିବିର ଓ ୱାଚମ୍ୟାନ ଭାବେ ୫ ୟୁନିଟରେ ୫୦ ଜଣ ନିୟୋଜିତ ହେବେ। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୪ଟି ରେଞ୍ଜରେ ବେଳାଭୂମି ସଫେଇ କାର୍ଯ୍ୟ ସମ୍ପନ୍ନ ହେବ। ଗୋଟିଏ ଟ୍ରଲର ଓ ୨ଟି ଡଙ୍ଗାରେ ଅଲିଭ ରିଡ୍‌ଲେଙ୍କ ଉପରେ ଦୃଷ୍ଟି ରଖାଯିବ। ଏନେଇ ବନାଞ୍ଚଳ କର୍ମଚାରୀଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଇଛି।