ମିଳନ ପ୍ରକ୍ରିୟାରେ ସାମିଲ ଅଲିଭ୍‌ରିଡ୍‌ଲେ

ରାଜନଗର : ଗହୀରମଥାରେ ଏବେ ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଭିଡ ଜମିଛି। ସପ୍ତାହେ ହେଲା ସେମାନଙ୍କ ଆଗମନ ଲାଗି ରହିଛି। ଏହି କଇଁଛଗୁଡ଼ିକ ମିଳନ ପ୍ରକ୍ରିୟାରେ ସାମିଲ ହେଉଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ବାବୁବାଲି, ଅଗରନାଶୀ-୧, ନାସୀ-୨, ହବାଳିଖଟି, ବରୁଣେଇ, ସାତଭାୟା, ପେଣ୍ଠ ସଂଲଗ୍ନ ବଙ୍ଗୋପସାଗର ଗଭୀର ନୀଳ ଜଳରାଶିରେ ଲକ୍ଷାଧିକ ସଂଖ୍ୟାରେ ଅଲିଭ୍‌ରିଡ୍‌ଲେଙ୍କୁ ଦେଖିବାକୁ ମିଳୁଛି। ସମୁଦ୍ର କୂଳର ୨୦୦ ମିଟରରୁ ୩ କିଲୋମିଟର ମଧ୍ୟରେ ସେମାନେ ମିଳନ ପ୍ରକ୍ରିୟାରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ହୁଇଲର ଘାଟିଠାରୁ ହବାଳି ଖଟି ମଧ୍ୟରେ ଅଧିକ ସଂଖ୍ୟାକ ଅଲିଭ୍‌ରିଡ୍‌ଲେ ମିଳନରତ ଥିବା ଗହୀରମଥା ରେଂଜ ଅଫିସର ସୁବ୍ରତ କୁମାର ପାତ୍ର ସୂଚନା ଦେଇଛନ୍ତି। ଏ ବର୍ଷ କଇଁଛମାନେ ଠିକ୍‌ ସମୟରେ ମିଳନ ପ୍ରକ୍ରିୟାରେ ସାମିଲ ହୋଇଥିବା ଜଣାପଡ଼ିଛି।

୧୯୭୫ରୁ ଗହୀରମଥା ଉପକୂଳରେ ୧୦ କିମି ବାଲୁକା ଶଯ୍ୟାରେ ଏହି ବିରଳ କଇଁଛମାନଙ୍କ ପ୍ରଥମ ଗଣଅଣ୍ଡାଦାନ ପ୍ରକ୍ରିୟା ଦୃଷ୍ଟିକୁ ଆସିଥିଲା। ପ୍ରତିବର୍ଷ ନଭେମ୍ବର ୧ରୁ ମେ’ ୩୧ ତାରିଖ ଯାଏଁ ଧାମରାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ଦୀର୍ଘ ୧୨୦ କିମି ଉପକୂଳରେ ମାଛ ଧରା ଉପରେ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ଏହି ବିରଳ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ, କୋଷ୍ଟଗାର୍ଡ, ମତ୍ସ୍ୟବିଭାଗ ଓ ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ପଇଁତରା ଦିଆଯାଉଛି। ଶ୍ରୀଲଙ୍କାର ଜାଫ୍‌ନା ଉପକୂଳରୁ ହଜାରହଜାର ମାଇଲ ଅତିକ୍ରମ କରି ଓଡିଶା ଉପକୂଳର ଗହୀରମଥାଠାରେ ଅଲିଭ୍‌ରିଡ୍‌ଲେ କଇଁଛ ଭିଡ ଜମାଇଛନ୍ତି। ବିଶ୍ୱର ଉପଲବ୍ଧ ହେଉଥିବା ସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଗହୀରମଥାରେ ହିଁ ସମାଗମ ହୋଇଛନ୍ତି।

ସୂଚନା ଥାଉ କି, ଗତବର୍ଷ ଗହୀରମଥା ଉପକୂଳରେ ୬ଲକ୍ଷ ୩ ହଜାର ୯୬୬ କଇଁଛ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ସେଥିରୁ ୨୦ଲକ୍ଷ ୨୨ ହଜାର ଛୁଆ ବାହାରିଥିଲା।

ସମ୍ବନ୍ଧିତ ଖବର