ଅବ୍ୟବସ୍ଥା ଘେରରେ କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଥିବା କଇଁଛ ସୁରକ୍ଷା ଶିବିର

କୋଣାର୍କ : ଗତକିଛି ବର୍ଷ ଧରି ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଫଳରେ ସେମାନଙ୍କ ସୁରକ୍ଷା ହେବା ସହିତ ରେକର୍ଡ ସଂଖ୍ୟକ ନୂତନ ଶାବକ ମଧ୍ୟ ଜନ୍ମ ନେଇ ପାରୁଛନ୍ତି। କିନ୍ତୁ ଚଳିତ ବର୍ଷ କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଥିବା ଅସ୍ଥାୟୀ କଇଁଛ ସୁରକ୍ଷା କେନ୍ଦ୍ରଗୁଡ଼ିକ ଅଦ୍ୟାବଧି ମରାମତି ହୋଇନଥିବା ଦେଖାଯାଇଛି। ନଭେମ୍ବର ମାସରୁ ଆରମ୍ଭ ହେଉଥିବା କଇଁଛଙ୍କ ଅଣ୍ଡା ଦେବାର ସମୟ ମେ’ ମାସ ପର୍ଯ୍ୟନ୍ତ ବଳବତ୍ତର ରହିଥାଏ। ଫଳରେ ଏହି ସମୟ ସୀମା ମଧ୍ୟରେ ସମୁଦ୍ର ଉପକୂଳର ନିଷିଦ୍ଧାଞ୍ଚଳ ମଧ୍ୟରେ ଟ୍ରଲର୍‌ ଓ ମଟର ଚାଳିତ ଡଙ୍ଗା ଚଳାଚଳ ଉପରେ ଅଙ୍କୁଶ ଲାଗିଥାଏ।

କୋଣାର୍କ ଉପକୂଳରେ ‌ଚିତ୍ରେଶ୍ବରୀ କଅଁରପୁରଠାରୁ ଚନ୍ଦ୍ରଭାଗା ଦେଇ ରାମଚଣ୍ଡୀ ପର୍ଯ୍ୟନ୍ତ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ କଇଁଛ ଅଣ୍ଡା ଦେଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି କଅଁରପୁର, ଚନ୍ଦ୍ରଭାଗା ଓ କୋଣାର୍କ-ପୁରୀ ବେଳାମାର୍ଗରେ ଥିବା ଅସ୍ଥାୟୀ କଇଁଛ ସୁରକ୍ଷା ଶିବିରକୁ ମରାମତି କରାଯିବା ସହିତ ସେଠାରେ କଇଁଛ ଅଣ୍ଡାଗୁଡ଼ିକ ସଂଗ୍ରହ କରାଯାଇ ସୁରକ୍ଷିତ ଅବସ୍ଥାରେ ରଖାଯାଇଥାଏ। ଉକ୍ତ ଶିବିରରେ ସଂଗୃହିତ ଅଣ୍ଡାଗୁଡ଼ିକରୁ ଛୁଆ ଫୁଟିବା ପରେ ତାକୁ ସମୁଦ୍ରରେ ଛଡ଼ା ଯାଇଥାଏ। ମାତ୍ର ଗତ ‘ଫନି’ ବାତ୍ୟାରେ ଚନ୍ଦ୍ରଭାଗା ନୋଳିଆ ସାହି ଓ କୋଣାର୍କ-ପୁରୀ ବେଳାମାର୍ଗରେ ଥିବା ଶିବିର ଦୁଇଟି ଭାଙ୍ଗି ରୁଜି ଯାଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ମରାମତି କରାଯାଇ ନାହିଁ। କଇଁଛ ସୁରକ୍ଷା କେନ୍ଦ୍ରଗୁଡ଼ିକ ମରାମତି ନହେବା ଫଳରେ ଚଳିତ ବର୍ଷ ସେମାନଙ୍କ ସୁରକ୍ଷା, ଅଣ୍ଡାଦାନ ଓ ଅଣ୍ଡା ସଂଗ୍ରହ କାର୍ଯ୍ୟ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟିଦେଇ ଅସ୍ଥାୟୀ କଇଁଛ ସୁରକ୍ଷା କେନ୍ଦ୍ରକୁ ମରାମତି କରିବା ପାଇଁ ଦାବି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର