ଗହୀରମଥାରେ ଅସୁରକ୍ଷିତ ଅଲିଭରିଡଲେ : ପାଟ୍ରୋଲିଂରେ ବି ଫିକ୍ସିଂ!

ରାଜନଗର : ଗହୀରମଥାରେ ବିଲୁପ୍ତପ୍ରାୟ ଅଲିଭରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗର ପାଟ୍ରୋଲିଂ ପ୍ରହସନ ପାଲଟିଛି। ପାଟ୍ରୋଲିଂରେ ବି ଫିକ୍ସିଂ ହେଉଥିବା କୁହାଯାଉଛି। ବନବିଭାଗ ପାଟ୍ରୋଲିଂରେ ବାହାରିବା ପୂର୍ବରୁ ନିଷିଦ୍ଧାଞ୍ଚଳରେ ବେଆଇନ୍ ଭାବେ ମାଛ ମାରୁଥିବା ଟ୍ରଲରମାଲିକମାନଙ୍କ ପାଖରେ ଖବର ପହଞ୍ଚି ଯାଉଥିବା ଅଭିଯୋଗ ହୋଇଛି। ପାଟ୍ରୋଲିଂର ମୁଖିଆ ରେଂଜ ଅଫିସର ଏହି ଅଭିଯୋଗକୁ ସ୍ବୀକାର ବି କରିଛନ୍ତି। ସେ କହିଛନ୍ତି, କଇଁଛ ଋତୁ ଆରମ୍ଭରୁ ଏହି ଅଭିଯୋଗ ରହିଛି। ଲିଖିତ ଅଭିଯୋଗ ନ ଥିବାରୁ ଆମେ କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହୁଁ।

ସୂଚନା ଥାଉ କି, ପ୍ରତିବର୍ଷ ପରି ଏ ବର୍ଷ ନଭେମ୍ବର ୧ ତାରିଖରୁ ମେ ୩୧ ତାରିଖ ଯାଏ ଅଲିଭରିଡଲେଙ୍କ ପ୍ରଜନନ ଋତୁ ନିମନ୍ତେ ସମୁଦ୍ର ଉପକୂଳରେ ମାଛଧରା ଉପରେ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ଦୀର୍ଘ ୧୨୦ କିମି ସମୁଦ୍ର ଉପକୂଳରେ ଟ୍ରଲର ଚଳାଚଳ ଓ ମାଛଧରା ଉପରେ କଟକଣା ଜାରି କରାଯାଇଛି। ସମୁଦ୍ର କୂଳଠାରୁ ୨୦ କିମି ଯାଏ ଟ୍ରଲର ଚଳାଚଳ ଓ ମାଛଧରା ଉପରେ ଏହି କଟକଣା ଜାରି କରାଯାଇଛି। ଏହି କଇଁଛଙ୍କ ସୁରକ୍ଷା ପାଇଁ ୧୪ଟି ସ୍ଥାନରେ ସୁରକ୍ଷା କ୍ୟାମ୍ପ୍ ସହ ୨ଟି ଅଫିସର କ୍ୟାମ୍ପ୍ କରାଯାଇଛି। ଉଚ୍ଚଶକ୍ତି ସମ୍ପନ୍ନ ‘ଗହୀରମଥା-୧’ ଓ ‘ଗହୀରମଥା-୨’ ନାମକ ଦୁଇଟି ହାଇସ୍ପିଡ୍‌ ବୋଟ ପାଟ୍ରୋଲିଂରେ ସାମିଲ କରାଯାଇଛି। ଏଥିପାଇଁ କୋଟିକୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି। ଏହାବାଦ୍‌ ମତ୍ସ୍ୟବିଭାଗ ଓ କୋଷ୍ଟାଗାର୍ଡ ପକ୍ଷରୁ ବିରଳ ଅଲିଭରିଡଲେଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି। ମାତ୍ର ଏତେ କଡାକଡି ପାଟ୍ରୋଲିଂ ସତ୍ତ୍ବେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଶହ ଶହ ସଂଖ୍ୟାରେ ଟ୍ରଲର ଖୁଲମଖୁଲା ମାଛ ମାରିବା ଓ ଟ୍ରଲର ମାଡରେ ଶହ ଶହ କଇଁଛ ମୃତ୍ୟୁବରଣ କରିବା ଘଟଣା ସୁରକ୍ଷା ମଧ୍ୟରେ ଥିବା ଫାଙ୍କକୁ ପଦାରେ ପକାଇ ଦେଇଛି।

କିଛି ଟ୍ରଲର ମାଲିକ ଓ ଡ୍ରାଇଭରଙ୍କ କହିବାନୁଯାୟୀ, ମାସିକିଆ ବଟି ଦେଲେ ଆଗୁଆ ସୂଚନା ମିଳି ଯାଉଛି। ବନବିଭାଗରେ କାର୍ଯ୍ୟରତ ଜଣେ ଫରେଷ୍ଟରଙ୍କ ସମେତ ୫ଜଣ କର୍ମଚାରୀ ଏହି ଫିକ୍ସିଂରେ ସାମିଲ ଅଛନ୍ତି। ଏ ସଂପର୍କରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜର ରେଞ୍ଜ ଅଫିସର ଦେବାଶିଷ ଭୋଇଙ୍କୁ ପଚାରିବାରୁ କଇଁଛ ଋତୁ ଆରମ୍ଭରୁ ବନବିଭାଗ କର୍ମଚାରୀମାନେ ଟ୍ରଲର ମାଲିକ ଓ ଡ୍ରାଇଭରମାନଙ୍କୁ ଖବରଦେଇ ପାଟ୍ରୋଲିଂରେ ବାହାରୁ ଥିବା ନେଇ ଅଭିଯୋଗ ରହିଛି। ତେବେ ଏ ନେଇ ଲିଖିତ ଅଭିଯୋଗ ହୋଇନାହିଁ। ଯେଉଁ ବନ କର୍ମଚାରୀମାନେ ଏହି ଘଟଣାରେ ସଂପୃକ୍ତ ସେମାନଙ୍କ ମୋବାଇଲ ଫୋନ୍‌ ଠାବ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ଯଦି ଆରମ୍ଭରୁ ଫିକ୍ସିଂ ନେଇ ଅଭିଯୋଗ ଅଛି, ତେବେ ବିଭାଗ ଏଯାଏ କାହିଁକି ହାତ ବାନ୍ଧି ବସିଛି‌ ‌ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର