ଅଲିଭ ରିଡଲେ ସୁରକ୍ଷା ପାଇଁ ସାମୁଦ୍ରିକ ପାଟ୍ରୋଲିଂ କଡ଼ାକଡ଼ି ହେବ

ଭୁବନେଶ୍ୱର :୨୦୧୬-୧୭ରେ ଓଡ଼ିଶା ସାମୁଦ୍ରିକ ତଟରେ ଅଣ୍ଡା ଦେବା ପାଇଁ ୯.୭୫ଲକ୍ଷ ଅଲିଭ୍‌ ରିଡଲେ କଇଁଛ ଆସିଥିବାବେଳେ ୨୦୧୭-୧୮ରେ ଏହି ସଂଖ୍ୟା ଆହୁରି ବଢ଼ିପାରେ। ତେଣୁ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାମୁଦ୍ରିକ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଚଳିତବର୍ଷ ଆସିବାକୁ ଥିବା କଇଁଛଙ୍କ ଉପରେ ଗବେଷଣା କରିବା ଓ ପର୍ଯ୍ୟଟନ ଦୃଷ୍ଟିରୁ ଏକ ସାମୁଦ୍ରିକ କଇଁଛ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହା ଋଷିକୂଲ୍ୟା କିମ୍ବା ଗହୀରମଥାରେ ପ୍ରତିଷ୍ଠା ହେବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।

ନଭେମ୍ବର ୧ରୁ ଅଲିଭ ରିଡଲେ କଇଁଛ ସମୁଦ୍ରରୁ ସ୍ଥଳ ଭାଗକୁ ଆସିବାକୁ ଥିବାରୁ ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୁଦ୍ରରେ ପାରମ୍ପାରିକ ମତ୍ସ୍ୟଜୀବୀମାନଙ୍କ ବ୍ୟତୀତ କାହାକୁ ମାଛ ମାରିବାକୁ ଅନୁମତି ଦିଆଯିବନି। ଯଦି କେହି ବେଆଇନ ଭାବେ ମାଛ ଧରୁଥିବା ଦେଖାଯାଏ ତେବେ ତୁରନ୍ତ ଡଙ୍ଗା, ଟ୍ରଲର ସିଜ୍‌ କରାଯିବ। ମାଛ ମରା ଉପରେ ନିଷେଧାଦେଶ ଲାଗିବା ସମୟରେ ମତ୍ସ୍ୟଜୀବୀଙ୍କୁ ଜୀବନଜୀବିକା ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ସେହିପରି ସାମୁଦ୍ରିକ ପୁଲିସ ସହାୟତାରେ ସାମୁଦ୍ରିକ ପାଟ୍ରୋଲିଂ କଡ଼ାକଡ଼ି କରାଯିବ। ଏଥିପାଇଁ ଆବଶ୍ୟକୀୟ ଭେସେଲ୍‌ ଯୋଗାଇ ଦେବାକୁ ଧାମରା, ଗୋପାଳପୁର ଏବଂ ପାରାଦୀପ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ସିଜ୍‌ ହେବାକୁ ଥିବା ଡଙ୍ଗା ଓ ଟ୍ରଲରଗୁଡ଼ିକୁ ବରୁଣେଇ, ଗୁପ୍ତି, ଶାସନପେଟା, କୃଷ୍ଣପ୍ରିୟାପୁରରେ ରଖାଯିବ। ସେହିପରି ଅଲିଭ୍‌ ରିଡଲେଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ପିସିସିଏଫ୍‌ (ବନ୍ୟପ୍ରାଣୀ)ଙ୍କ କାର୍ଯ୍ୟାଳୟରେ ଏକ କେନ୍ଦ୍ରୀୟ ପରିଚାଳନା ୟୁନିଟ ପ୍ରତିଷ୍ଠା ହେବ।

ଏହାସହ ସର୍କଲ ସ୍ତରରେ ମନିଟରିଂ ପାଇଁ ଭୁବନେଶ୍ୱର, ବ୍ରହ୍ମପୁର ଓ ବାରିପଦାରେ ଆରସିସିଏଫ୍‌ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳନା ୟୁନିଟମାନ ପ୍ରତିଷ୍ଠା ହେବ। ସମୁଦ୍ରକୂଳରେ ଏବଂ ନିକଟରେ ୬୨ଟି ଶିବିର ପ୍ରତିଷ୍ଠ ହେବ। ପ୍ରତ୍ୟେକ ଶିବିରକୁ ଭିଏଚ୍‌ଏଫ୍‌, ମୋବାଇଲ୍‌ ଫୋନ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦିଆଯିବ। ପାଟ୍ରୋଲିଂ ଏବଂ ଏନଫୋର୍ସମେଣ୍ଟ ପାଇଁ ଏପିଆର୍‌ ଫୋର୍ସ ମୁତୟନ ହେବେ। ସମୁଦ୍ର ତଟରେ ଥିବା ବନ୍ଦର ଏବଂ ଶିଳ୍ପାନୁଷ୍ଠାନଗୁଡ଼ିକୁ ଆଲୋକୀକରଣ ନିୟମ ମାନିବାକୁ କୁହାଯାଇଛି। ଅଣ୍ଡାଦାନ ପରେ ଏହି ଅଣ୍ଡା ଓ ବସାକୁ ସୁରକ୍ଷା ଦେବା ପାଇଁ ଉକ୍ତ ଅଞ୍ଚଳକୁ ତାର ବାଡ଼ ଦ୍ୱାରା ଘେରାଯିବ। କଇଁଛମାନଙ୍କର ଅଣ୍ଡାଦାନ ପ୍ରକ୍ରିୟା ‘manage.odishawildlife.org’ େଓ୍ଵବପୋର୍ଟାଲ ମାଧ୍ୟମରେ ପରିଚାଳନା ହେବ ବୋଲି କୁହାଯାଇଛି। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ପିସିସିଏଫ୍‌ (ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ୱାଳ, ବିଶେଷଜ୍ଞ ସଦସ୍ୟ ପ୍ରିୟମ୍ବଦା ମହାନ୍ତି (ହେଜମାଦି), କୋଷ୍ଟଗାର୍ଡ କମାଣ୍ଡାଣ୍ଟ, ବିଭିନ୍ନ ବନ୍ଦର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର