ଅଲିଭ୍ ରି‌ଡ୍‌ଲେଙ୍କ ବାଟ ଓଗାଳିଛି ଇକୋ ରିଟ୍ରିଟ୍ : ଅଣ୍ଡାଦାନ ସମୟରେ ସ୍ଥାନାଭାବ, ଅନୁକୂଳ ଜାଗା ଖୋଜୁଛନ୍ତି କଇଁଛ

ପୁରୀ : ବିରଳ କଇଁଛ ଅଲିଭ୍ ରିଡଲେଙ୍କ ଅନୁକୂଳ ସ୍ଥାନ ଭିତରେ ପୁରୀ ଜିଲ୍ଲାର ସମୁଦ୍ରକୂଳିଆ ଅଞ୍ଚଳ ଅନ୍ୟତମ। ଯେଉଁଥିପାଇଁ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଅଲିଭ୍ ରିଡଲେ ଅଣ୍ଡାଦାନ କରିବାକୁ ଏଠାକୁ ଆସନ୍ତି। ଯେଉଁଥିରୁ ହଜାର ହଜାର ସଂଖ୍ୟାରେ ଛୁଆ ବି ଜନ୍ମ ନିଅନ୍ତି। ପ୍ରକୃତିର ଏହା ଏକ ବିରଳ ସ‌ଂଯୋଗ। କିନ୍ତୁ ଚଳିତ ବର୍ଷ ଅନୁକୂଳ ପରିବେଶର ଅଭାବ ଏଥିରେ ଅନ୍ତରାୟ ସୃଷ୍ଟି କରିଛି। ସମୁଦ୍ର ଭିତରେ ଗର୍ଭସ୍ଥ ଅଲିଭ୍ ରିଡଲେ କଇଁଛ ଅଣ୍ଡାଦାନ ପାଇଁ ସୁରକ୍ଷିତ ଓ ଅନୁକୂଳ ଜାଗା ଖୋଜୁଥିଲେ ବି ବ୍ୟବସାୟିକ ଉଦ୍ଦେଶ୍ୟ ରଖି ଏହି ସ୍ଥାନରେ ଇକୋ ରିଟ୍ରିଟ୍ ଭଳି କାର୍ଯ୍ୟକ୍ରମର ଆୟୋଜନ ଏମାନଙ୍କ ବାଟକୁ ଓଗାଳିଛି। ଯାହା ପରିବେଶବିତଙ୍କୁ ଆନ୍ଦୋଳିତ କରିଛି। ପ୍ରକୃତିର ଏହି ବିରଳ ସୃଷ୍ଟିକୁ ଯଥାସମ୍ଭବ ସୁରକ୍ଷା ଦେବା ବଦଳରେ ପ୍ରାକୃତିକ ଶୋଭାରାଜିକୁ ନଷ୍ଟଭ୍ରଷ୍ଟ କରିଦେବା ଦୁର୍ଭାଗ୍ୟଜନକ ବିଷୟ ବୋଲି ପରିବେଶବିତମାନେ ମତ ଦେଇଛନ୍ତି। ଯେଉଁଥିପାଇଁ ଦୈନନ୍ଦିନ କେଉଁଠି ନା କେଉଁଠି ଏମାନଙ୍କ ମୃତଦେହ ଏକାଧିକ ସଂଖ୍ୟାରେ ଲାଗୁଥିବା ମତ ଦେଇଛନ୍ତି।

ମୁଖ୍ୟତଃ ନଭେମ୍ବର ଆରମ୍ଭରୁ ପୁରୀ ବେଳାଭୂମି ମୁହାଁ ହୋଇଥାନ୍ତି ବିରଳ ଅଲିଭ ରିଡଲେ। ପ୍ରଥମେ ମାଈ ଓ ପରେ ପରେ ପୁରୁଷ କଇଁଛଙ୍କ ଆଗମନ ହୋଇଥାଏ। ନଭେମ୍ବରରୁ ଡିସେମ୍ବର ଭିତରେ ସମୁଦ୍ର ଭିତରେ ହିଁ ଏମାନଙ୍କ ମିଳନର ପର୍ବ ଆରମ୍ଭ ହୁଏ। ଜାନୁଆରିରୁ ଫେବ୍ରୁଆରି ଭିତରେ ଏମାନେ କୂଳକୁ ଆସି ଅଣ୍ଡା ଦେବା ଆରମ୍ଭ କରିଥାନ୍ତି। ପୁରୀ ବେଳାଭୂମି ଅପେକ୍ଷା ଏମାନେ ରାମଚଣ୍ଡୀ, ଚନ୍ଦ୍ରଭାଗା, ଅସ୍ତରଙ୍ଗରେ ବହୁ ସଂଖ୍ୟାରେ ଅଣ୍ଡାଦାନ କରିଥାନ୍ତି। ବିଗତ କିଛିବର୍ଷର ତଥ୍ୟ ଉପରେ ନଜର ପକାଇଲେ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି।

ମିଳିଥିବା ବନ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ୨୦୧୪-୧୫ ଆର୍ଥିକ ବର୍ଷରେ ରାମଚଣ୍ଡୀରେ ଅଲିଭ୍ ରିଡଲେଙ୍କ ୪ଟି ବସା ଓ ଚନ୍ଦ୍ରଭାଗା ନୋଳିଆସାହିରେ ୭ଟି ବସା ଠାବ କରାଯାଇଥିଲା। ୨୦୧୫-୧୬ ଆର୍ଥିକ ବର୍ଷରେ ରାମଚଣ୍ଡୀରେ ୨ଟି ଓ ନୋଳିଆସାହିରେ ୩ଟି ବସା ଠାବ କରାଯାଇଥିଲା। ୨୦୧୬-୧୭ ଆର୍ଥିକ ବର୍ଷରେ ରାମଚଣ୍ଡୀରେ ୧୫ଟି ଓ ନୋଳିଆସାହିରେ ୩୮ଟି ବସା ଠାବ କରାଯାଇଥିଲା। ୨୦୧୭-୧୮ ଆର୍ଥିକ ବର୍ଷରେ ରାମଚଣ୍ଡୀରେ ୧୧ଟି ଓ ନୋଳିଆସାହିରେ ୬ଟି ବସା ଠାବ କରାଯାଇଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ସର୍ବାଧିକ ରାମଚଣ୍ଡୀରେ ୨୮ଟି ଓ ନୋଳିଆସାହିରେ ୩୬ଟି ବସା ଠାବ କରାଯାଇଥିଲା। ଯେଉଁଥିରୁ ହଜାର ହଜାର ସଂଖ୍ୟାରେ ଛୁଆ ବି ଜାତ ହୋଇଛନ୍ତି। ଏମାନଙ୍କୁ ସୁରକ୍ଷିତ ପୁନର୍ବାର ସମୁଦ୍ରକୁ ଛଡ଼ାଯାଇଛି। ଯେହେତୁ ପ୍ରତିବର୍ଷ କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗାରେ ବହୁସଂଖ୍ୟାରେ ଅଲିଭ୍ ରିଡଲେ ଅଣ୍ଡାଦାନ କରନ୍ତି, ସେହି ଦୃଷ୍ଟିରୁ ଏମାନେ ଏହି ଅଞ୍ଚଳକୁ ସୁରକ୍ଷିତ ମାନୁଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। କିନ୍ତୁ ଚଳିତବର୍ଷ ଦେଶ ବିଦେଶର ପର୍ଯ୍ୟଟକଙ୍କ ମନୋରଂଜନ ପାଇଁ ପ୍ରକୃତିର ଏହି ବିରଳ ସୃଷ୍ଟିକୁ ଅଣଦେଖା କରାଯାଇଛି। ଏମାନଙ୍କ ଜାଗାକୁ ଦଖଲକୁ ନେଇ ବ୍ୟବସାୟ କରାଯାଉଛି। ପରିଣାମ ସ୍ବରୂପ ଏହି କଇଁଛମାନେ ଅଣ୍ଡାଦାନ ପାଇଁ ଆଉ କୂଳକୁ ଆସି ପାରୁନାହାଁନ୍ତି। ଅଣ୍ଡାଦାନ କରି ନପାରି ଯଦି ଅଧିକ ସମୟ ଏମାନେ ସମୁଦ୍ର ଭିତରେ ରୁହନ୍ତି, ତେବେ ମରିଯିବାର ବି ଆଶଙ୍କା ରହିଛି। ନଚେତ୍ ଅନ୍ୟ ସ୍ଥାନକୁ ଚାଲିଯିବାର ସମ୍ଭାବନା ଯଥେଷ୍ଟ ରହିଛି। ଫଳରେ ଚଳିତ ବର୍ଷ ବି ଅଲିଭ୍ ରିଡଲେଙ୍କ ଆଗମନ ବହୁ ସଂଖ୍ୟାରେ କମିଯିବାର ଆଶଙ୍କା ଦେଖାଦେଇଛି।

ଏ ସଂପର୍କରେ ପୁରୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଗାତା କହିଛନ୍ତି, ଅଲିଭ୍ ରିଡଲେ କଇଁଛ ଶାନ୍ତିପ୍ରିୟ। ଏମାନେ କୋଳାହଳକୁ ଭଲ ପାଆନ୍ତିନି। ସେହି ଦୃଷ୍ଟିରୁ ନିଜକୁ ସୁରକ୍ଷିତ ମଣି ଅସ୍ତରଙ୍ଗ, ରାମଚଣ୍ଡୀ, ଚନ୍ଦ୍ରଭାଗା ଭଳି ସ୍ଥାନରେ ଏମାନେ ଅଣ୍ଡାଦାନ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଇକୋ ରି‌ଟ୍ରିଟର କୋଳାହଳ, ଲାଇଟ୍, ସାଉଣ୍ଡ ଏମାନଙ୍କ ଆଗମନରେ ପ୍ରତିବନ୍ଧକ ସାଜିଛି। ସବୁଠୁ ବଡ଼ କଥା ଏମାନେ ଅଣ୍ଡା ଦେବାକୁ ଏଠାରେ ସ୍ଥାନ ବି ନାହିଁ। ଯଦି ଅନୁକୂଳ ଜାଗା ନପାଆନ୍ତି, ତେବେ ଏମାନେ ଅନୁକୂଳ ଜାଗା ଖୋଜି ଅନ୍ୟତ୍ର ଚାଲିଯିବେ ବୋଲି ଶ୍ରୀ ଉଦ୍‌ଗାତା କହିଛନ୍ତି।

ସମ୍ବନ୍ଧିତ ଖବର