ପୁରୀ : ପୁରୀ ବେଳାଭୂମିର ଅବକ୍ଷୟମୁଖୀ ପରିବେଶ ଓ ସୁରକ୍ଷାରେ ଅବହେଳା ଯୋଗୁଁ ଅଲିଭ୍ ରିଡଲେ କଇଁଛଙ୍କ ପାଇଁ ଏହା ଶ୍ମଶାନ ପାଲଟିଛି। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପ୍ରଶାସନ ଏହାକୁ ନିଜ କାମରେ ଲଗାଉଛି। ଯେଉଁଥିପାଇଁ ଏହି ବିରଳ କଇଁଛ ଅକାରଣରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏପରିକି ଏହି ବିରଳ କଇଁଛ ପୁରୀ ବେଳାଭୂମି ପ୍ରତି ବିମୁଖ ହୋଇଛନ୍ତି। ଗତ ଦୁଇବର୍ଷ ହେଲା ଏମାନଙ୍କୁ ଆଉ ପୁରୀ ବେଳାଭୂମିରେ ଦେଖିବାକୁ ମିଳୁ ନଥିବା ବେଳେ ଆଗମନ ସଂଖ୍ୟା ବି ଆଶାତୀତ ହ୍ରାସ ପାଇଛି।
ମୁଖ୍ୟତଃ ନଭେମ୍ବର ଆରମ୍ଭରୁ ପୁରୀ ବେଳାଭୂମି ମୁହାଁ ହୋଇଥାନ୍ତି ବିରଳ ଅଲିଭ ରିଡଲେ। ପ୍ରଥମେ ମାଈ ଓ ପରେ ପରେ ପୁରୁଷ କଇଁଛଙ୍କ ଆଗମନ ହୋଇଥାଏ। ନଭେମ୍ବରରୁ ଡିସେମ୍ବର ଭିତରେ ସମୁଦ୍ର ଭିତରେ ହିଁ ଏମାନଙ୍କ ମିଳନର ପର୍ବ ଆରମ୍ଭ ହୁଏ। ଫେବ୍ରୁଆରି ଶେଷ ଆଡ଼କୁ ଏମାନେ କୂଳକୁ ଆସି ଅଣ୍ଡା ଦେବା ଆରମ୍ଭ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଡିସେମ୍ବର ଶେଷ ହେବାକୁ ବସିଥିଲେ ବି ଅଲିଭ୍ ରିଡଲେଙ୍କ ଚଳାଚଳ ସେଭଳି ଦେଖିବାକୁ ମିଳିନି। କାଁ ଭାଁ ଯେଉଁମାନେ ଆସୁଛନ୍ତି, ସେମାନେ ମତ୍ସ୍ୟଜୀବୀଙ୍କ ଶିକାର ହେଉଛନ୍ତି। ମାଛଧରା ଜାଲ, ଡଙ୍ଗାରେ ବାଜି ମୃତ୍ୟୁମୁଖରେ ପଡ଼ୁଛନ୍ତି।
ଏମାନଙ୍କ ମୃତ ଦେହ ବ୍ଲୁ ଫ୍ଲାଗ ବିଚ୍ ପାଇଁ ବିକାଶ କାର୍ଯ୍ୟ ଚାଲିଥିବା ବେଳାଭୂମି ଓ ଲାଇଟ୍ ହାଉସ୍ ସମ୍ମୁଖ ବେଳାଭୂମିରେ ଦେଖିବାକୁ ମିଳିଛି । ଗତକାଲି ବ୍ଲୁ ଫ୍ଲାଗ୍ ବିଚ୍ ପାଇଁ ବିକାଶ କାର୍ଯ୍ୟ ଚାଲିଥିବା ସ୍ଥାନରେ ଦୁଇରୁ ଅଧିକ ବଡ଼ ବଡ଼ କଇଁଛ ଲାଗିଥିବା ଦେଖିବାକୁ ମିଳିଥିଲା। ପର୍ଯ୍ୟଟକଙ୍କ ଆଗରେ ସମୁଦ୍ର ଜୁଆରରେ ଏମାନେ କୂଳରେ ଆସି ଲାଗିବା ପରେ କୁକୁରଙ୍କ ସହ ଅନ୍ୟ ପଶୁପକ୍ଷୀ ଏହାକୁ ଝୁଣି ଖାଉଥିବାର ଦେଖିବାକୁ ମିଳିଥିଲା। ସମାନ ଘଟଣା ଲାଇଟ୍ ହାଉସ୍ ସମ୍ମୁଖ ବେଳାଭୂମିରେ ଦେଖିବାକୁ ମିଳିଥିଲା। ଅପରାହ୍ଣରେ ମଲା କଇଁଛକୁ ବାଲିରେ ପୋତି ଦିଆଯାଇଥିଲା।
ଏହା ଗତକାଲିର ଘଟଣା ନୁହେଁ, ପ୍ରାୟ ସବୁଦିନ ଏଭଳି ମଲା ଅଲିଭ୍ ରିଡଲେ ପୁରୀ ବେଳାଭୂମି କୂଳରେ ଲାଗୁଛନ୍ତି। ଯାହାର ପ୍ରମୁଖ କାରଣ ସାଜିଛି ଅବାଧ ମାଛମରା ଓ ଟ୍ରଲର ଚଳାଚଳ। କାରଣ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏହି ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମି, କୋଣାର୍କ, ଚନ୍ଦ୍ରଭାଗା, ଅସ୍ତରଙ୍ଗ, ସାତପଡ଼ାର ବିଭିନ୍ନ ସ୍ଥାନରେ ସୁରକ୍ଷା କ୍ୟାମ୍ପ କରାଯାଇଛି। କୁଡ଼ିଆ ତିଆରି କରି ଏଠାରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅସ୍ତରଙ୍ଗରୁ ପୁରୀ ବେଳାଭୂମି, ସାତପଡ଼ା ପର୍ଯ୍ୟନ୍ତ ସମୁଦ୍ରର ନିର୍ଦ୍ଦିଷ୍ଟ ଅଞ୍ଚଳରେ ବୋଟ୍, ଟ୍ରଲର ଚଳାଚଳ ଉପରେ କଟକଣା ଲଗାଯାଇଛି। ମାଛଧରା ଉପରେ ରୋକ୍ ଲଗାଯାଇଛି। ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।
ଟ୍ରଲର, ମତ୍ସ୍ୟଜୀବୀଙ୍କ ମାଛ ମରା ଉପରେ ନଜର ରଖିବା ପାଇଁ ବୋଟ୍ ପାଟ୍ରୋଲିଂର ବ୍ୟବସ୍ଥା କରାଯାଇଛି। କିନ୍ତୁ ଯେଉଁ ସଂଖ୍ୟାରେ ମିଳନ ସମୟରେ ଅଲିଭ୍ ରିଡଲେଙ୍କ ମୃତ୍ୟୁ ହେଉଛି ଓ ଏମାନେ କୂଳରେ ଆସି ଲାଗୁଛନ୍ତି, ତାହା ବନ୍ୟପ୍ରାଣୀ ବିଭାଗର ସୁରକ୍ଷା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସଠିକ୍ କାର୍ଯ୍ୟ କରୁନଥିବା ଓ ଅଲିଭ୍ ରିଡ୍ଲେଙ୍କ ସୁରକ୍ଷାରେ ଅହେତୁକ ଅବହେଳା କରୁଥିବା ଏହା ପ୍ରମାଣିତ କରୁଛି।