ଅଲିଭ୍‌ ରିଡଲେଙ୍କ ଅଣ୍ଡାଦାନ ଆରମ୍ଭ

ବିଳମ୍ବରେ ବହିଲା ଦକ୍ଷିଣା ପବନ

ବ୍ରହ୍ମପୁର : ଦକ୍ଷିଣା ପବନ ବିଳମ୍ବ ଯୋଗୁ ଅଲିଭ ରିଡଲେଙ୍କ ଅଣ୍ଡାଦାନ ବି ବିଳମ୍ବ ହୋଇଥିଲା। ଏବେ ଦକ୍ଷିଣା ପବନ ବୋହିବା ଆରମ୍ଭ କରିଛି। ତା’ ସହିତ ଅଣ୍ଡାଦାନ ବି। ପୂର୍ବରୁ ଗୋଟିଏ ଦୁଇଟି ଲେଖାଏଁ ଅଣ୍ଡାଦାନ ଦେଉଥିବ‌ା ଅଲିଭ ରିଡଲେ ଏବେ ଗଣ ଅଣ୍ଡାଦାନ ପାଇଁ ସଜବାଜ ହେଉଛନ୍ତି। ଆସନ୍ତ‌ା ଦିନେ ଦୁଇଦିନ ମଧ୍ୟରେ ଗଞ୍ଜାମ ଉପକୂଳ ମଧ୍ୟରେ ଏହି ଦୃଶ୍ୟ ଦେଖାଯିବାର ସମ୍ଭାବନା ରହିଛି।

ମକର ସ˚କ୍ରାନ୍ତି ଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ହୁଏ। ଏହାପର ଠାରୁ ସାଧାରଣତଃ ଦକ୍ଷିଣା ପବନ ବହିଥାଏ। ଦକ୍ଷିଣା ପବନ ବହିଲେ ଅଲିଭ ରିଡ୍‌ଲେ ‌ସମୁଦ୍ରରୁ ବେଳାଭୂମିକୁ ଆସି ଅଣ୍ଡାଦାନ କରିଥା’ନ୍ତି। କିନ୍ତୁ ଚଳିତବର୍ଷ ସ˚କ୍ରାନ୍ତି ଯିବାର ୧ ମାସରୁ ଅଧିକ ଦିନ ବିତିଥିଲେ ବି ଦକ୍ଷିଣା ପବନ ବହିବା ବିଳମ୍ବ ହୋଇଥିଲା। ଅଲିଭ ରିଡଲେ ସମୁଦ୍ର ଜଳରାଶିରେ ୧ କିମିରୁ ୫ କିମି ମଧ୍ୟରେ ରହିଥିଲେ ହେଁ ଅଣ୍ଡାଦାନ ପାଇଁ ବେଳାଭୂମିକୁ ଆସି ନ ଥିଲେ। କାଁ ଭାଁ ଗୋଟିଏ ଦୁଇଟି କଇଁଛ ଆସି ଅଣ୍ଡା ଦେଇଥିଲେ।

ତେବେ ଗତ ସୋମବାର ଠାରୁ ଦକ୍ଷିଣା ପବନ ବହିବା ଆରମ୍ଭ ହୋଇଛି। ଏହା ସହିତ ଖରା ମଧ୍ୟ ବଢ଼ିଛି। ଫଳରେ ଅଣ୍ଡା ଦେବା ପାଇଁ ଅନୁକୂଳ। ମଙ୍ଗଳବାର ରାତିରୁ ଅଲିଭ ରିଡ୍‌ଲେଙ୍କ ବେଳାଭୂମିକୁ ଆଗମନ ଆରମ୍ଭ ହୋଇଛି। ନୂଆ ପୋଡ଼ମ୍‌‌େପଟା ଠାରୁ ପୋଡ଼ମ୍‌ପେଟା ମଧ୍ୟରେ ୮୪ଟି ଏବଂ ସୋନପୁର ବେଳାଭୂମିରେ ୨୪ଟି କଇଁଛ ଅଣ୍ଡାଦାନ କରିଛନ୍ତି। ପୁରୁଣାବନ୍ଧ ଠାରୁ ବଟେଶ୍ବର ପର୍ଯ୍ୟନ୍ତ ଗଣ ଅଣ୍ଡାଦାନ ସ୍ଥଳକୁ ବନ ବିଭାଗ ପକ୍ଷରୁ ୫୦ଟି ସେଗ୍‌ମେଣ୍ଟରେ ବିଭକ୍ତ କରାଯାଇଛି। ପ୍ରତି ଶହେ ମିଟରରେ ଗୋଟିଏ ସେଗମେଣ୍ଟ କରାଯାଇଛି। ୫ଟି ସେଗମେଣ୍ଟ ଦାୟିତ୍ବରେ ଜଣେ ଫରେଷ୍ଟର ରହିଛନ୍ତି। ପ୍ରତି ୧ଘଣ୍ଟାକୁ ଥରେ ନିଯୁକ୍ତ ଫରେଷ୍ଟର ଅଣ୍ଡା ଦେବାକୁ ଆସୁଥିବା କଇଁଛ ଗଣିବେ। ନୂଆ ପୋଡମ୍‌ପେଟାରେ ବନବିଭାଗର କଣ୍ଟ୍ରୋଲ ରୁମ୍‌ ଏବଂ ବେସ କ୍ୟାମ୍ପ କରାଯାଇଛି। ପ୍ରତି ‌୫ଟି ସେଗମେଣ୍ଟ ଲାଗି ଗୋଟିଏ ଅସ୍ଥାୟୀ ଟେଣ୍ଟ କରାଯାଇଛି।

ଏହାସହିତ ଅଲିଭରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନର ନିରୀକ୍ଷଣ ଓ ତଦାରଖ କାର୍ଯ୍ୟରେ ଆସୁଥିବା ଅଧିକାରୀ ଓ ସରକାରୀ କର୍ମଚାରୀଙ୍କ ଗାଡି ପାର୍କିଂ ବ୍ୟବସ୍ଥା ଲାଗି ଏକ ଟିମ୍‌ ଗଠନ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର