ବ୍ରହ୍ମପୁର: ପ୍ରକୃତିର ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନର ସୁରକ୍ଷିତ ସ୍ଥାନ ପାଲଟିଛି ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ବାଲୁକା ଶଯ୍ୟା। ଅଣ୍ଡାଦାନ ସମୟ ପାଖେଇ ଆସୁଥିବା ବେଳେ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହେଉଛି ବେଳାଭୂମି। କଇଁଛଙ୍କ ମିଳନ ପର୍ବ ପରେ ଫେବ୍ରୁଆରି ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ଗଣଅଣ୍ଡାଦାନ ହେବ ବୋଲି ଅନୁମାନ କରାଯାଉଛି। ଅଣ୍ଡାଦାନ ପାଇଁ ବର୍ତ୍ତମାନ ଋଷିକୁଲ୍ୟା ମୁହାଣ ସଂଲଗ୍ନ ପୋଡ଼ମପେଟାରୁ ଗୋଖରକୁଦା ମଧ୍ୟରେ ଏକ ନୂତନ ବାଲୁକାଶଯ୍ୟା ସୃଷ୍ଟି ହୋଇଛି। ଯାହାକି ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ପାଲଟିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହାକୁ ‘ଡାଇନାମିକ୍‌ ବିଚ୍‌’ କୁହାଯାଏ। ଏ ବର୍ଷ ଋଷିକୁଲ୍ୟା ମୁହାଣର ପୋଡ଼ମପେଟାରୁ ଗୋଖରକୁଦା ମଧ୍ୟରେ ସୃଷ୍ଟି ହୋଇଥିବା ବେଳାଭୂମିରେ ଅଣ୍ଡାଦାନ ଆଶା କରାଯାଉଥିବା ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ରନାଥ ସାହୁ କହିଛନ୍ତି।

Advertisment

ଗଣଅଣ୍ଡାଦାନ ପାଇଁ ଅଲିଭ୍‌ ରିଡ୍‌ଲେ କଇଁଛ ପ୍ରତିବର୍ଷ ଋଷିକୁଲ୍ୟା ମୁହାଣ ନିକଟରେ ସୃଷ୍ଟି ହେଉଥିବା ବାଲୁକା ଶଯ୍ୟାକୁ ଆସିଥାନ୍ତି। କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଥିବା ଯୋଗୁଁ ବନବିଭାଗ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଋଷିକୁଲ୍ୟା ବେଳାଭୂମି ଅନ୍ୟ ବେଳାଭୂମିଠାରୁ ଭିନ୍ନ। ପ୍ରତିବର୍ଷ ମୁହାଣର ଦିଗ ପରିବର୍ତ୍ତନ ହୋଇ ଏଠାରେ ନୂତନ ବେଳାଭୂମି ସୃଷ୍ଟି ହୋଇଥାଏ। କଇଁଛ ଅଣ୍ଡାଦାନ କରିବା ପରେ ଲକ୍ଷାଧିକ ଖୋଳପା ପଡ଼ିଥାଏ। ପ୍ରାକୃତିକ ପଦ୍ଧତିରେ ତାହା ନଷ୍ଟ ହେବାକୁ ସମୟ ଲାଗିଥାଏ। ବାଲିରେ ଅଣ୍ଡା ଖୋଳପା ଦୀର୍ଘଦିନ ଧରି ପଡ଼ି ରହିବା ପରେ କଠିନ ହୋଇଯାଏ। ଏଣୁ ତାହା ନଷ୍ଟ ହୋଇପାରେ ନାହିଁ। ଏହାଦ୍ବାରା କଇଁଛମାନେ ଅଣ୍ଡାଦାନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏପରିକି ବାଲି ଖୋଳିବାରେ ସେମାନଙ୍କୁ ଅସୁବିଧା ହୁଏ। କିନ୍ତୁ ପ୍ରତିବର୍ଷ ନୂତନ ବେଳାଭୂମି ସୃଷ୍ଟି ହେଉଥିବାରୁ କଇଁଛ ସେଠାରେ ଅଣ୍ଡାଦାନ କରିଥାନ୍ତି। ଋଷିକୁଲ୍ୟା ମୁହାଣ ବେଳାଭୂମି ପରିବର୍ତ୍ତନଶୀଳ। ପ୍ରାକୃତିକ ପଦ୍ଧତିରେ ପ୍ରତିବର୍ଷ ସେଠାରେ ନୂତନ ବେଳାଭୂମି ସୃଷ୍ଟି ହୋଇଥାଏ। ଏଭଳି ବେଳାଭୂମିକୁ ‘ଡାଇନାମିକ୍‌ ବିଚ୍‌’ କୁହାଯାଏ ବୋଲି ଶ୍ରୀ ସାହୁ କହିଛନ୍ତି। ନୂତନ ବାଲୁକାଶଯ୍ୟା ପ୍ରାୟ ଏକ କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ ‌ହୋଇଛି। ପୂର୍ବରୁ ପୋଡ଼ମପେଟା ନିକଟରେ ବେଳାଭୂମି ଥିଲା। କିନ୍ତୁ ତାହା ଧୋଇ ହୋଇଯାଇଥିଲା। ଏବେ ପୁଣିଥରେ ସେଠାରେ ସମୁଦ୍ରରୁ ବାଲି ଆସି ଜମା ହୋଇ ଗୋଖରକୁଦା ପଟେ ନୂତନ ବାଲୁକାଶଯ୍ୟା ସୃଷ୍ଟି ହୋଇଛି।