ଜଳବାୟୁ ପରିବର୍ତ୍ତନ ନା ଲକ୍‌ଡାଉନ ପ୍ରଭାବ ! ଜୁନ୍‌ରେ ଅଣ୍ତା ଦେଉଛନ୍ତି ଅଲିଭ୍‌ରିଡ୍‌ଲେ

ରାଜନଗର : ପରିବେଶର ଦ୍ରୁତ ଅବକ୍ଷୟ ହେତୁ ସାମୁଦ୍ରିକ ପ୍ରକ୍ରିୟାରେ ଅସ୍ବାଭାବିକତା ସୃଷ୍ଟି ହୋଇଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅସମୟରେ ଝଡ଼ବର୍ଷା ତାଣ୍ତବ ରଚୁଛି। ଖାଦ୍ୟ ଶୃଙ୍ଖଳାରେ ବିପର୍ଯ୍ୟୟ ଯୋଗୁଁ ଅନେକ ବିରଳ ଜୀବ ଏବେ ବିଲୁପ୍ତ ଅବସ୍ଥାରେ। ଏପରି ସମୟରେ ଗତ କିଛିବର୍ଷ ହେଲା ଗହୀରମଥାରୁ ମୁହଁ ଫେରାଇ ନେଉଥିବା ଅଲିଭରିଡଲେ ଏ ବର୍ଷ ଅଧିକ ସଂଖ୍ୟାରେ ସମୂହ ଅଣ୍ତାଦାନରେ ସାମିଲ ହେଲେ। ଗତ ୧୦ ବର୍ଷ ଭିତରେ ସବୁଠୁ ଅଧିକ ସଂଖ୍ୟାରେ କଇଁଛ ଶାବକ ସମୁଦ୍ରକୁ ଗଲେ। ଏବେ ଜୁନ ମାସରେ ବି ଅଲିଭରିଡଲେ ଅଣ୍ତା ଦେଉଥିବା ଖବର ସାମ୍ନାକୁ ଆସିଛି। ସମୂହ ଅଣ୍ତାଦାନ ପ୍ରକ୍ରିୟା ପରଠାରୁ ଏହି କଇଁଛମାନେ ବିକ୍ଷିପ୍ତ ଭାବେ ଅଣ୍ତା ଦେଉଥିବା ଡିଏଫ୍‌ଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି। ଏପରି ଅସ୍ବାଭାବିକ ପ୍ରକ୍ରିୟା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ଜଳବାୟୁ ପରିବର୍ତ୍ତନ ପାଇଁ ନା ଲକ୍‌ଡାଉନ ଯୋଗୁଁ ପରିବେଶ ପ୍ରଦୂଷଣ ହ୍ରାସ ପାଇଥିବାରୁ ଏପରି ଅସ୍ବାଭାବିକ ପ୍ରକ୍ରିୟା ଦେଖିବାକୁ ମିଳୁଛି, ତାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।

The Logical Indian

ବିରଳ ଅଲିଭରିଡଲେ କଇଁଛଙ୍କ ସଂଖ୍ୟା ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଗହୀରମଥାରେ ସମାଗମ ହୋଇ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇଥାନ୍ତି। ଅକ୍ଟୋବର ଶେଷ ସପ୍ତାହରୁ ଗହୀରମଥା ଉପକୂଳରେ ଅଲିଭରିଡଲେଙ୍କୁ ଦେଖିବାକୁ ମିଳିଥାଏ। ଦୀର୍ଘ ୪ମାସ ଧରି ମିଳନ ପ୍ରକ୍ରିୟାରେ ସାମିଲ ହେବା ପରେ ଫେବ୍ରୁଆରିରୁ ମାର୍ଚ୍ଚ ମଧ୍ୟରେ ସମୂହ ଅଣ୍ତାଦାନରେ ସାମିଲ ହୋଇଥାନ୍ତି। ଏ ବର୍ଷ ମାର୍ଚ୍ଚ ୧୪ରୁ ୨୧ ତାରିଖ ଯାଏ ଅଣ୍ତାଦାନ ପ୍ରକ୍ରିୟାରେ ୪ ଲକ୍ଷ ୭ହଜାର ୨୦୪ ମା କଇଁଛ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ମେ ପ୍ରଥମ ସପ୍ତାହରେ ୨ କୋଟି ୨୦ ଲକ୍ଷ କଇଁଛ ଶାବକ ବାହାରି ସମୁଦ୍ରକୁ ଯାଇଛନ୍ତି। ମାତ୍ର ଏବେ ଏହି ବିରଳ କଇଁଛ ଅଣ୍ତା ଦେଉଥିବା ଦୃଷ୍ଟି ଗୋଚର ହୋଇଛି। ସମୂହ ଅଣ୍ତାଦାନ ପ୍ରକ୍ରିୟା ପରଠାରୁ ମାର୍ଚ୍ଚ ୨୨ରୁ ୩୦ ତାରିଖ ମଧ୍ୟରେ ନାସୀ-୧ରେ ୪ଟି, ନାସି-୨ରେ ୩୩୬, ଚିଂଚିରିରେ ଗୋଟିଏ, ବରୁଣେଇ ଓ ରାମତାରାରେ ୨ଟି ଲେଖାଏ କଇଁଛ ଅଣ୍ତା ଦେଇଥିବାବେଳେ ଏପ୍ରିଲରେ ରାମତାରାରେ ୨ଟି, ସାତଭାୟା, ହବାଳୀଖଟି, ଏକକୂଳାରେ ଗୋଟିଏ ଲେଖାଏ, ନାସୀ-୨ରେ ୨୫ଟି ଓ ନାସୀ-୧ରେ ୧୧ଟି କଇଁଛ ଅଣ୍ତା ଦେଇଛନ୍ତି। ମେ ମାସରେ ନାସୀ-୧ରେ ୩ଟି, ନାସୀ–୨ରେ ୧୭ଟି କଇଁଛ ଅଣ୍ତା ଦେଇଥିବାବେଳେ ଜୁନରେ ୧୧ଟି କଇଁଛ ଅଣ୍ତା ଦେଇଥିବା ବନବିଭାଗ ସୂତ୍ରରୁ ଜଣାପଡିଛି। ଏହି କଇଁଛ ଅଣ୍ତାଦେବା ପରେ ଓ ଛୁଆ ଫୁଟିବା ପରେ ହଜାର ହଜାର କିମି ଅତିକ୍ରମ କରି ଶ୍ରୀଲଙ୍କାର ଜାଫ୍ନା ଉପକୂଳ ଯାଏ ଯାଇଥାନ୍ତି। ଅକ୍ଟୋବର ବେଳକୁ ପୁଣି ଗହୀରମଥାକୁ ଆସିଥାନ୍ତି। ମାତ୍ର ଏ ବର୍ଷ ଗଣ ଅଣ୍ତାଦାନ ପ୍ରକ୍ରିୟା ପରେ ଦୀର୍ଘ ୩ମାସ ହେଲା ବିରଳ ବିକ୍ଷିପ୍ତ ଭାବେ ଅଣ୍ତାଦାନ ପ୍ରକ୍ରିୟା ଜାରି ରଖିଛନ୍ତି। ଗତ ୧୦ ବର୍ଷର ହିସାବକୁ ନେଲେ ପାଣିପାଗ ପରିବର୍ତ୍ତନ ଯୋଗୁଁ କଇଁଛମାନେ ଗହୀରମଥାରୁ ମୁହଁ ଫେରାଇ ନେଉଥିବା କୁହାଯାଉଥିଲା। ମାତ୍ର ଏ ବର୍ଷ ଅଧିକ ସଂଖ୍ୟାରେ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହେବା, ଅଧିକ ସଂଖ୍ୟାରେ କଇଁଛ ଶାବକ ବାହାରିବା ଓ ଅସମୟରେ ୩ ମାସ ଧରି ଅଣ୍ତାଦାନ ଜାରି ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ସୂଚନା ଥାଉ କି, କରୋନା ପାଇଁ ମାର୍ଚ୍ଚ ୨୨ରୁ ଲକ୍‌ଡାଉନ ପ୍ରକ୍ରିୟା ଚାଲିଛି। ଲକଡାଉନ ଯୋଗୁଁ ସାରା ଦେଶରେ କିଛିଦିନ ପାଇଁ ଗାଡିମୋଟର, କଳକାରଖାନା ଠପ୍ ହୋଇ ପଡ଼ିଥିଲା। ଜଳବାୟୁରେ ପରିବର୍ତ୍ତନ ଆସିବା ସହିତ ଶୁଦ୍ଧତା ଫେରିଥିଲା। ଏହି କାରଣରୁ ଅଲିଭରିଡ୍‌ଲେ ଅସମୟରେ ଅଣ୍ତା ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର