କଟକ : ଅଲିଭ୍ରିଡ୍ଲେ କଇଁଛ ସୁରକ୍ଷା ପାଇଁ ସମୁଦ୍ରରେ ମାଛ ମାରୁଥିବା ବୋଟ୍, ଟ୍ରଲର୍ଗୁଡ଼ିକରେ ଟ୍ରାନ୍ସପୋଣ୍ଡର୍ ବସାଯିବା ପାଇଁ ସାନି ଟେଣ୍ଡର୍ ଆହ୍ବାନ କରାଯାଇଛି। ଏ ନେଇ ମତ୍ସ୍ୟ ବିଭାଗ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।
ମତ୍ସ୍ୟ ନିର୍ଦ୍ଦେଶାଳୟର ଉପ-ନିର୍ଦ୍ଦେଶକ (ମେରାଇନ୍) ବି.କେ. ଦାଶଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ, ଦୁଇଥର ଟ୍ରାନ୍ସପୋଣ୍ଡର୍ ପାଇଁ ଗତ ୨୦୨୧ ଡିସେମ୍ବର ୧୦ ଓ ୨୦୨୨ ଏପ୍ରିଲ୧୮ରେ ଟେଣ୍ଡର୍ ଆହ୍ବାନ କରାଯାଇଥିଲା। କିନ୍ତୁ, ଏଥିରେ କେହି ଅଂଶଗ୍ରହଣ କରି ନଥିଲେ। ଗତ ଜୁନ୍ ୭ରେ ଏ ନେଇ ସାନି ଟେଣ୍ଡର୍ ଆହ୍ବାନ ହୋଇଛି। ଏଥିସହିତ ପୁଲିସ ଡିଜି ଓ ଆଇ.ଜି କାର୍ଯ୍ୟାଳୟର ଅତିରିକ୍ତ ଏସ୍ପି ଏସ୍.କେ. ମଲ୍ଲିକ ସତ୍ୟପାଠ ଦାଖଲ କରି ମେରାଇନ୍ ଥାନାଗୁଡ଼ିକରେ ଖାଲିପଡ଼ିଥିବା ପଦବି ପୂରଣ ପ୍ରସଙ୍ଗରେ ତଥ୍ୟ ଦାଖଲ କରିଛନ୍ତି। ୨୦୧୮ର ବିଜ୍ଞପ୍ତି ଅନୁସାରେ; ୨୦୨୨, ଜୁଲାଇ ୨ରେ ୧୪୩ ସବ୍-ଇନ୍ସପେକ୍ଟର୍ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହିତ ସିଭିଲ୍ କନ୍ଷ୍ଟେବଳ ପଦ ପୂରଣ ପାଇଁ ଖୁବ୍ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ। ନିଯୁକ୍ତି ପ୍ରକ୍ରିୟା ଶେଷ ହେବାପରେ ମେରାଇନ ଥାନାଗୁଡ଼ିକରେ ଖାଲି ପଡ଼ିଥିବା ବିଭିନ୍ନ ପଦ ପୂରଣ ହେବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ରାଜ୍ୟର ମେରାଇନ୍ ଥାନାଗୁଡ଼ିକରେ ଖାଲି ପଡ଼ିଥିବା ପଦବି ପୂରଣ ଓ ସମୁଦ୍ରରେ ମାଛ ମାରୁଥିବା ବୋଟ୍, ଟ୍ରଲର୍ଗୁଡ଼ିକରେ ଟ୍ରାନ୍ସପୋଣ୍ଡର୍ ବସାଯିବା ପ୍ରସଙ୍ଗରେ ସାନି ସ୍ଥିତି ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଆର୍.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୭କୁ ଧାର୍ଯ୍ୟ କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ଅଲିଭ୍ରିଡ୍ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ହାଇକୋର୍ଟ ନିଜଆଡ଼ୁ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଆମିକସ୍କ୍ୟୁରି ମୋହିତ୍ ଅଗ୍ରୱାଲ୍ ମାମଲା ପରିଚାଳନା କରୁଛନ୍ତି।