ଆରମ୍ଭ ହେଲା କଇଁଛ ଋତୁ: ପାଟ୍ରୋଲିଂରେ ହାଇସ୍ପିଡ୍‌ ବୋଟ୍‌

ମେ ୩୧ ଯାଏଁ ମାଛଧରା ଉପରେ କଟକଣା ଜାରି

ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କଇଁଛ ଋତୁ ଆରମ୍ଭ ହୋଇଛି। ଏହି ସମୟରେ ବିରଳ ଅଲିଭରିଡ୍‌ଲେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ୍‌ ହେବେ। ଅଲିଭ୍‌ରିଡଲେଙ୍କୁ ଜଳଦସ୍ୟୁ, ମାଛମାଫିଆଙ୍କ କବଳରୁ ରକ୍ଷା କରିବା ସହିତ ବେଆଇନ୍‌ ଟ୍ରଲର୍‌ ଚଳାଚଳ ଉପରେ ଅଙ୍କୁଶ ଲଗାଇବା ପାଇଁ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଥମଥର ପାଇଁ ଏଥିରେ ଦୁଇଟି ହାଇସ୍ପିଡ ବା ବେଗବାନ୍‌ ବୋଟ୍‌କୁ ସାମିଲ୍‌ କରାଯାଇଛି।

ଗହୀରମଥା ସମଗ୍ର ବିଶ୍ୱରେ ବିରଳ ଅଲିଭରିଡଲେଙ୍କ କଇଁଛଙ୍କ ଏନ୍ତୁଡିଶାଳ ଭାବେ ଜଣାଶୁଣା। ଏହି ସମୟରେ କଇଁଛମାନେ ଅଣ୍ଡାଦାନ କରିଥା’ନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଗହୀରମଥା ଓ ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ୧୬୦ କିଲୋମିଟର ସମୁଦ୍ର ପଥରେ ମାଛମରା ଉପରେ କଟକଣା ଜାରି କରାଯାଇଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷତମାମ ଟ୍ରଲର୍‌ ଚଳାଚଳ ଓ ମାଛଧରା ଉପରେ ନିଷେଧାଦେଶ ରହିଛି। ଗହୀରମଥା ବନବିଭାଗ ରେଞ୍ଜ ଅଫିସର୍‌ ସୁବ୍ରତକୁମାର ପାତ୍ରଙ୍କ କହିବାନୁସାରେ, କଇଁଛ ଋତୁ ସମୟରେ ମତ୍ସ୍ୟ ବିଭାଗ ପକ୍ଷରୁ ଧାମରା ମୁହାଣରୁ ଦେବୀ ମୁହାଣ ୨୦ କିଲୋମିଟର ପର୍ଯ୍ୟନ୍ତ ଟ୍ରଲର୍‌, ବୋଟ୍‌ ଓ ଭୁଟୁଭୁଟି ଚଳାଚଳ ଛପରେ କଟକଣା ଜାରି କରାଯାଇଛି। ଏଥିସହିତ, ମାଛଧରା ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି।

ଅପରପକ୍ଷେ, ବନ ବିଭାଗ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ପୂର୍ବବର୍ଷ ମାନଙ୍କରେ ପାଟ୍ରୋଲିଂରେ ୧୪୦ ହର୍ସପାୱାର ଓ ୨୨୦ ହର୍ସ ପାୱାର ଟ୍ରଲର୍‌ ସାମିଲ କରାଯାଇଥିଲା। ମାତ୍ର, ଗଭୀର ସମୁଦ୍ରରେ ମାଛ ମାଫିଆମାନେ ବେଆଇନ୍‌ ଭାବରେ ୩ ଶହ ରୁ ୪ ଶହ ହର୍ସ ପାୱାର ବିଶିଷ୍ଟ ଟ୍ରଲର ମାଧ୍ୟମରେ ମାଛ ଧରୁଥିଲେ। ବନବିଭାଗ ପାଟ୍ରୋଲିଂ ଟିମ୍‌ ସେମାନଙ୍କୁ ଧରି ପାରୁନଥିଲେ। ଫଳରେ, ହଜାର ହଜାର ସଂଖ୍ୟକ ବିରଳ ଅଲିଭ୍‌ରିଡ୍‌ଲେ ଟ୍ରଲର୍‌ ମାଡରେ ମୃତ୍ୟୁବରଣ କରୁଥିଲେ।

ପ୍ରଥମଥର ପାଇଁ ପାଟ୍ରୋଲିଂରେ ୨ଟି ହାଇସ୍ପିଡ୍‌ ବୋଟ୍‌ ସାମିଲ୍‌ କରାଯାଇଛି। ଆଇ.ସି.ଜେଡ୍‌.ଏମ୍‌.ପି. (ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ୍‌ ଜୋନ୍‌ ମ୍ୟାନେଜ୍‌ମେଣ୍ଟ) ଅନୁଦାନରେ ଏହା ଆସିଛି। ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଆସିଥିବା ଏହି ଦୁଇଟି ହାଇସ୍ପିଡ୍‌ ବୋଟ୍‌ର ମୂଲ୍ୟ ୪ କୋଟି ଟଙ୍କା ବୋଲି ଜଣାପଡ଼ିଛି। ୩୧ ହର୍ସ ପାୱାର ବିଶିଷ୍ଟ ବୋଟ୍‌ ଦୁଇଟି ଫାଇବରରେ ତିଆରି। ଏହି ହାଇସ୍ପିଡ୍‌ ବୋଟ୍‌ରେ ଚଳିତ ଋତୁରେ ପାଟ୍ରୋଲିଂ ପ୍ରକ୍ରିୟା ଆରମ୍ଭ ହେବ। ବିରଳ କଇଁଛକୁ ସୁରକ୍ଷା ଦେବା ସହିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସୁରକ୍ଷା ପାଇଁ ଏହା ପାଟ୍ରୋଲିଂରେ ସାମିଲ୍‌ କରାଯାଇଛି ବୋଲି ବନବିଭାଗ କହିଛି।

ଏଥିସହିତ, ଏହି ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସର କ୍ୟାମ୍ପ ସହିତ ଏକକୂଳା, ସାତଭାୟା, ଜଉଦିଆ, ଦୋବନ୍ଧି, ଶାସନପେଟା, ତାଲଙ୍ଗ, ଜଟାଧାର, ଷଣ୍ଢକୁଦ ୧ଓ ୨, ହାୱାଖାନା, ରାମତାରା ଓ ବନ୍ଦର ଆଦି ୧୪ ଟି ସ୍ଥାନରେ ଟ୍ରଟଲ୍‌ ପ୍ରୋଟେକ୍ସନ୍‌ କ୍ୟମ୍ପ କରାଯାଇଛି। ଅଫିସର କ୍ୟାମ୍ପରେ ୧୦ ଜଣ ଲେଖାଏଁ କର୍ମଚାରୀ ଓ ଅନ୍ୟ ୧୨ଟି ଟ୍ରଟଲ ପ୍ରୋଟେକ୍ସନ କ୍ୟାମ୍ପରେ ୫ ଜଣ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏତଦ୍‌ବ୍ୟତୀତ ବାବୁବାଲି, ଅଗରନାସୀ ଓ ଶାସନପେଟାରେ ଗୋଟିଏ ସେକ୍ସନ୍‌ ଲେଖାଏଁ ଏ.ପି.ଆର୍‌. ଫୋର୍ସ ମୁତୟନ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର