ରାଜନଗର: ବିରଳ ଅଲିଭରିଡ୍ଲେ କଇଁଛଙ୍କ ଏନ୍ତୁଡିଶାଳ କେନ୍ଦ୍ରାପଡା ଉପକୂଳର ଗହୀରମଥାରେ କଇଁଛଙ୍କ ଗଣ ଅଣ୍ତାଦାନ ପକ୍ରିୟା ଆରମ୍ଭ ହୋଇଛି। ପ୍ରତିକୂଳ ପାଗ ଯୋଗୁଁ ଚଳିତବର୍ଷ ଗଣ ଅଣ୍ତାଦାନ ହେବ କି ନାହିଁ, ଆଶଙ୍କା ପ୍ରକାଶ ପାଇଥିଲା। ମାର୍ଚ୍ଚ ମାସ ସରି ଯାଇଥିବାରୁ ଚଳିତବର୍ଷ ଅଲିଭରିଡଲେ କଇଁଛ ଅଣ୍ତା ନଦେଇ ଫେରିଯିବେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ମାତ୍ର ଗତକାଲି ସଂଧ୍ୟାରେ ଗହୀରମଥାରେ ଗଣଅଣ୍ତାଦାନ ପକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୮୦ ହଜାର କଇଁଛ ଗଣଅଣ୍ତାଦାନ ପକ୍ରିୟାରେ ସାମିଲ ହୋଇଥିବା ବନବିଭାଗ ସୂତ୍ରରୁ ଜଣାପଡିଛି। ଅଲିଭରିଡଲେ ମାଆ କଇଁଛମାନେ କୂଳଠାରୁ ୧ କିମି ଭିତରେ ଦୀର୍ଘ ୨ମାସ ହେଲା ଭିଡ ଜମାଇଥିଲେ ମଧ୍ୟ ପାଗ ଅନୁକୂଳ ହେଉନଥିବାରୁ ଗଣ ଅଣ୍ତାଦାନ ପକ୍ରିୟାରେ ସାମିଲ ହେଉନଥିଲେ। ଚଳିତମାସ ୩ ତାରିଖ ଠାରୁ ପାଗ ଶୁଖିଲା ସାଙ୍ଗକୁ ଦକ୍ଷିଣା ପବନ ବୋହିବାରୁ ଗୋଟିଏ ଦିନରେ ୮୦ ହଜାର ମା’ ଅଲିଭରିଡଲେ ଗଣ ଅଣ୍ତାଦାନ ପକ୍ରିୟାରେ ସାମିଲ ହୋଇଛନ୍ତି।
ଗତକାଲି ସଂଧ୍ୟାରୁ କଇଁଛ ଗହୀରମଥାର ନାସୀ–୨ ବାଲୁକା ଶଯ୍ୟାକୁ ଉଠି ଗଣ ଅଣ୍ତାଦାନ ପକ୍ରିୟାରେ ସାମିଲ ହୋଇଛନ୍ତି। ଆଜି ଭୋର ଯାଏଁ ଏହି ପକ୍ରିୟା ଜାରି ରହିଥିଲା। ଏହି ଅଣ୍ତା ଗୁଡିକରୁ ୪୫ ରୁ ୬୦ ଦିନ ମଧ୍ୟରେ କଇଁଛ ଶାବକ ବାହାରିଥାନ୍ତି। ଅଲିଭରିଡଲେ କଇଁଛଙ୍କ ଗଣ ଅଣ୍ତାଦାନ ପକ୍ରିୟା ଆରମ୍ଭ ହୋଇଥିବାରୁ ଏମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ବ୍ୟବସ୍ଥା କଡାକଡି କରାଯାଇଛି। ଅଣ୍ତାଦାନ ସ୍ଥଳକୁ ବାଡ଼ ବୁଜାଯିବା ସହ ବନ କର୍ମଚାରୀମାନେ ଅଣ୍ତାଦାନ ସ୍ଥଳକୁ ଜଗି ରହିଛନ୍ତି। ରାଜନଗର ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ, ଗହୀରମଥା ରେଂଜ ଅଫିସର ପ୍ରଦୋଷ କୁମାର ମହାରଣା ପ୍ରମୁଖ ଅଣ୍ତାଦାନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/hfsfhfhfhhf.jpg)