କଟକ : ଅଲିଭ୍‌ରିଡ୍‌ଲେ କଇଁଛ ସୁରକ୍ଷା ସଂପର୍କିତ ମାମଲାର ହାଇକୋର୍ଟ ଶୁଣାଣି କରି କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଓ ଡାଏରି ମନ୍ତ୍ରଣାଳୟର ଯୁଗ୍ମ ସଚିବ (ମେରାଇନ)ଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ସମୁଦ୍ରରେ ମାଛ ମାରୁଥିବା ଡଙ୍ଗା, ଯନ୍ତ୍ରଚାଳିତ ବୋଟ୍, ଟ୍ରଲର୍‌ଗୁଡିକରେ ଟ୍ରାନ୍ସପୋଣ୍ଡର୍‌ ବସାଯିବା ପ୍ରସଂଗରେ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ (କୋଷ୍ଟାଲ) ଦାଖଲ କରିଥିବା ସତ୍ୟପାଠରେ ଏ ସଂପର୍କିତ ନିୟମାବଳୀରେ ପରିବର୍ତ୍ତନ ଆବଶ୍ୟକ ବୋଲି ଉଲ୍ଲେଖ କରାଯାଇଥିଲା। ଏଥିପାଇଁ ଯୁଗ୍ମ ନିର୍ଦ୍ଦେଶକ ମଧ୍ୟ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ (ମେରାଇନ)ଙ୍କ ସହିତ ଆଲୋଚନା କରିଥିଲେ। ନିୟମାବଳୀରେ କେତେକ ପରିବର୍ତ୍ତନ ପ୍ରସଂଗରେ ସହମତି ପ୍ରକାଶ ପାଇଥିବା ରାଜ୍ୟ ସରକାରଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଏହି ପ୍ରସଂଗରେ କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ହାଇକୋର୍ଟ ଆଜି କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ (ମେରାଇନ)ଙ୍କୁ ନୋଟିସ୍ ଜାରି କରି ଏହି ପ୍ରସଂଗ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆଜି ମାମଲାର ଶୁଣାଣି ସମୟରେ ମତ୍ସ୍ୟ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଇସ୍ରୋ ଭେସେଲ ଟ୍ରାକିଂ ବ୍ୟବସ୍ଥା (ଭିଟିଏସ) ପାଇଁ ସାଟେଲାଇଟ ସୁବିଧା (ବ୍ୟାଣ୍ଡ୍‌ୱଥ) ଦେବାକୁ ସହମତି ପ୍ରକାଶ କରିଛି। କିନ୍ତୁ ଭିଟିଏସ୍ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ମତ୍ସଜୀବୀଙ୍କୁ ଆବଶ୍ୟକ ଟ୍ରାନ୍ସପୋଣ୍ଡର, ନେଟୱର୍କ ଭିତ୍ତିଭୂମି, ବ୍ୟାଣ୍ଡ୍‌ୱିଥ ପ୍ରଦାନ କରିବ। କୌଣସି ମତ୍ସ୍ୟଜୀବୀଙ୍କୁ ବ୍ୟକ୍ତିଗତ ଭାବେ ଇସ୍ରୋ ଏହା ଦେଇ ପାରିବ ନାହିଁ। ନିୟମାବଳୀରେ ପରିବର୍ତ୍ତନ ପ୍ରସଂଗରେ ମତ୍ସ୍ୟ ନିର୍ଦ୍ଦେଶକ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ସେହିଭଳି ମେରାଇନ୍‌ ଥାନାଗୁଡିକରେ ପଦ ପୂରଣ ପ୍ରସଂଗରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି। ପୁଲିସ ଡିଜି ଓ ଆଇଜି କାର୍ଯ୍ୟାଳୟର ଅତିରିକ୍ତ ଏସ୍‌ପି ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଯେ ସବ୍-ଇନ୍ସପେକ୍ଟର, ଏଏସ୍‌ଆଇ ଓ କନଷ୍ଟେବଳ ପଦ ପୂରଣ ପାଇଁ ପ୍ରକ୍ରିୟା ଆସନ୍ତା ଏପ୍ରିଲରେ ଶେଷ ହେବା ପରେ ମେରାଇନ ଥାନା ଗୁଡିକରେ ପଦ ପୂରଣ ପାଇଁ ପଦକ୍ଷେପ ନିଆଯିବ। ଏଥି ସହିତ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ଚାଲିଥିବା ବେଳେ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ତରଫରୁ ପୃଥକ ସତ୍ୟପାଠ ଦାଖଲ କରାଯାଇଛି।

ଅଲିଭ୍‌ରିଡଲେ କଇଁଛଙ୍କ ସୁରକ୍ଷା ପ୍ରସଂଗ ନେଇ ହାଇକୋର୍ଟ ନିଜ ଆଡୁ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଆମିକସ୍ କ୍ୟୁରି ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।