ଅନୁଭବ-ବର୍ଷା ବିବାଦ : ଘରୋଇ ହିଂସା ମାମଲାରେ ଓକିଲଙ୍କ ମାଧ୍ୟମରେ ଅଦାଲତରେ ହାଜର ହେଲେ ଅନୁଭବ, ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୮ରେ

କଟକ: ଘରୋଇ ହିଂସା ଅଭିଯୋଗ ନେଇ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦାୟର କରିଥିବା ମାମଲାରେ ଆଜି କଟକ ସଦର ଏସ୍‌ଡିଜେଏମ୍ ଅଦାଲତରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓକିଲଙ୍କ ମାଧ୍ୟମରେ ହାଜର ହୋଇଛନ୍ତି। ମାମଲାରେ ଜବାବ ରଖିବାକୁ ଅନୁଭବଙ୍କ ପକ୍ଷରୁ ଅଧିକ ସମୟ ଲୋଡ଼ା ଯାଇଥିବା ବେଳେ ଅଦାଲତ ଏଥି ପାଇଁ ଅନୁମତି ଦେବା ସହିତ ବର୍ଷାଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୮କୁ ଧାର୍ଯ୍ୟ କରିଛନ୍ତି। ଅକ୍ଟୋବର ୧୨ରେ ଅଦାଲତ ବର୍ଷାଙ୍କ ମାମଲାରେ ଜାରି କରିଥିବା ନୋଟିସ୍ ପାଇ ଅନୁଭବ ଆଜି ଓକିଲଙ୍କ ମାଧ୍ୟମରେ ହାଜର ହୋଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଘରୋଇ ହିଂସା ଅଭିଯୋଗ ଆଣି ବର୍ଷା ୨୦୨୦, ଅଗଷ୍ଟ ୭ରେ ଏହି ମାମଲା ରୁଜୁ କରିଥିଲେ। ସେପ୍ଟେମ୍ବର ୭ରେ ସୁରକ୍ଷା ଅଧିକାରୀ ଅନୁଭବଙ୍କ ବାସଭବନରେ ପହଞ୍ଚି ବର୍ଷାଙ୍କ ବୟାନ ରେକର୍ଡ କରିଥିଲେ।
ସୁରକ୍ଷା ଅଧିକାରୀ ବର୍ଷାଙ୍କୁ କ’ଣ ସବୁ ନିର୍ଦ୍ଦିଷ୍ଟ ଭାବେ ଘରୋଇ ହିଂସା ସଂପର୍କିତ ଅଭିଯୋଗ ରହିଛି ସେ ସଂପର୍କରେ ପଚାରି ବୁଝିଥିଲେ। କେବେ ଠାରୁ ଏଭଳି ନିର୍ଯାତନାର ଶିକାର ହେଉଛନ୍ତି, କାହା ବିରୋଧରେ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ଅଭିଯୋଗ ରହିଛି ସେ ନେଇ ବର୍ଷାଙ୍କୁ ସୁରକ୍ଷା ଅଧିକାରୀ ପଚାରି ଥିଲେ। ‌ଯୌତୁକ ଦାବି ଓ ଅନ୍ୟ ଘରୋଇ ବିବାଦ ପ୍ରସଂଗରେ ବର୍ଷାଙ୍କର କଣ ଅଭିଯୋଗ ରହିଛି ସେ ନେଇ ମଧ୍ୟ ସୁରକ୍ଷା ଅଧିକାରୀ ପଚାରି ବୁଝିବା ସହିତ ନିର୍ଦ୍ଦିଷ୍ଟ ଫର୍ମରେ ଲେଖି ଥିଲେ। ଫର୍ମର ଥିବା ୭ଟି ନିର୍ଦ୍ଦିଷ୍ଟ ପ୍ରଶ୍ନ ଓ ଅନ୍ୟ ତଥ୍ୟ ପୂରଣ କରାଯିବା ପରେ ବର୍ଷା ସେଥିରେ ସ୍ବାକ୍ଷର କରିଥିଲେ। ଏହା ପରେ ସୁରକ୍ଷା ଅଧିକାରୀ ଏ ସଂପର୍କିତ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ। ଅନ୍ୟପଟେ ବର୍ଷାଙ୍କ ପକ୍ଷରୁ କଟକ ପରିବାର ଅଦାଲତରେ ତାଙ୍କ ଦାମ୍ପତ୍ୟ ସଂପର୍କର ସୁରକ୍ଷା ଅନୁରୋଧ କରି ଦାୟର ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରାଯିବ। ଏଥି ସହିତ ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଦାୟର କରିଥିବା ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମକୋର୍ଟରେ ଦାୟର କରିଥିବା ଆବେଦନ ଏବେ ବିଚାରାଧୀନ ରହିଛି।
Update Odisha
ମା‌ମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ବିଭିନ୍ନ ସଂଗିନ ଅଭିଯୋଗ ଆଣିବା ସହିତ ଭରଣପୋଷଣ ଏବଂ କ୍ଷତିପୂରଣ ବାବଦକୁ ୧୫ କୋଟିରୁ ଅଧିକ ଟଙ୍କା ଦାବି କରି କଟକ ଏସଡିଜେଏମ୍ ଅଦାଲତର ଦ୍ବାରସ୍ଥ ହାଇଥିଲେ।  ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ-୨୦୦୫ର ଧାରା ୧୨, ୧୭, ୧୮, ୧୯, ୨୦, ୨୨ ଓ ୨୩ ଅନୁଯାୟୀ ବର୍ଷା ଏହି ମାମଲା ରୁଜୁ କରିଥିଲେ। ବର୍ଷାଙ୍କ ପକ୍ଷରୁ ଦାୟର ପିଟିସନରେ ନିଜ ବାହାଘର ଠାରୁ ଆରମ୍ଭ କରି ଆବେଦନ ଦାୟର କରିବା ପର୍ଯ୍ୟନ୍ତ ସେ କିଭଳି ନିର୍ଯାତନାର ସାମନା କରିଛନ୍ତି, ତାହା ସବିଶେଷ ଭାବେ ଉଲ୍ଲେଖ କରାଯାଇଥିଲା ପରିବାରର ସମ୍ମାନକୁ ଜଗି ବର୍ଷା ସବୁ ବେଳେ ଚୁପ ରହି ଆସୁଥିଲେ। ଗଲା ମାର୍ଚ୍ଚ ୮ ତାରିଖରେ ସେମାନେ ଏକାଠି ଦିଲ୍ଲୀ ଯିବାର ଯୋଜନା ଥିଲେ ବି ହଠାତ ଅନୁଭବ ତାଙ୍କୁ ଏକୁଟିଆ ଘରେ ଛାଡି ପରିବାର ସହ ଦିଲ୍ଲୀ ପଳାଇଥିଲେ। ସେ ମେ’ ୨୫ ତାରିଖ ପର୍ଯ୍ୟନ୍ତ ଶାଶୂ ଘରେ ଏକୁଟିଆ ଥିବା ବେଳେ ତାଙ୍କ ପାଇଁ ଅନୁଭବ କୌଣସି ପ୍ରକାର ବ୍ୟବସ୍ଥା ବି କରି ନଥିଲେ।

ମେ’ ୨୫ରେ ଅନୁଭବ ପରିବାର ସହ କଟକ ଆସିଥିବା ବେଳେ ଘରେ ପଶି ତାଙ୍କ ଉପରେ ବାଘ ଭଳି ଗର୍ଜନ କରିଥିଲେ। ଦିଲ୍ଲୀରେ ଥିବା ବେଳେ ଅନୁଭବ ତାଙ୍କୁ ଫୋନ ଓ ହ୍ବାଟସଆପ୍ ମେସେଜରେ ବିଭିନ୍ନ ଧମକ ଦେଉଥିଲେ। ଜୁନ ୧୧ ତାରିଖରେ ତାଙ୍କୁ ସହମତିରେ ଡାଇଭର୍ସ ନେଇ ଯିବାକୁ କହି ଧମକ ଦେଇଥିଲେ। ଏଭଳି ସ୍ଥିତିରେ ସେ ନ୍ୟାୟ ପାଇଁ ଅଦାଲତଙ୍କ ଦ୍ବାରସ୍ଥ ହେବାକୁ ବାଧ୍ୟ ହେଲେ ବୋଲି ବର୍ଷା ଦର୍ଶାଇଛନ୍ତି। ତାଙ୍କର ହୋଇଥିବା ଶାରୀରିକ, ମାନସିକ, ଆର୍ଥିକ କ୍ଷତିପୂରଣ ଭରଣା ପାଇଁ ଘରେ ରହିବାକୁ ଅଧିକାର ଦେବା, ନଚେତ ଘରଭଡା ବାବଦରେ ମାସକୁ ୨୦ ହଜାର ଟଙ୍କା ଦେବା, ମାସିକ ଖର୍ଚ୍ଚ ତୁଲାଇବାକୁ ପ୍ରତିମାସରେ ୫୦ ହଜାର ଟଙ୍କା ଦେବା, ମେଡିକାଲ ଖର୍ଚ୍ଚ ବାବଦକୁ ୨ କୋଟି ଟଙ୍କା ଏବଂ ତାଙ୍କର ଆୟର ବାଟ ବନ୍ଦ କରି ଦେଇଥିବାରୁ ୧୩ କ‌ୋଟି ଟଙ୍କା ଦେବା ପାଇଁ ଅନୁଭବଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବର୍ଷା ଅଦାଲରେ ନିବେଦନ କରିଛନ୍ତି। ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ଆର.କେ.ରଥ ଏହି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର

Comments are closed.