ପାଠଶାଳାରୁ ତିଆରି ହେବେ ଅଲିମ୍ପିଆନ୍; ସୁନ୍ଦରଗଡ଼ ଜିଲ୍ଲାର ୨୭ ସ୍କୁଲ ସାମିଲ, ସ୍କୁଲ ପିଲାଙ୍କ ସହ ଯୋଗଦେଲେ ଶିକ୍ଷାମନ୍ତ୍ରୀ

ସୁନ୍ଦରଗଡ଼: ପାଠାଶାଳାରୁ ତିଆରି ହେବେ ଅଲିମ୍ପିଆନ୍। ଚୀନ ଓ ଜାପାନ ଢାଞ୍ଚାରେ ଅଲିମ୍ପିକ୍ସ ବିଜେତା ସୃଷ୍ଟି କରିବାକୁ ଓଡ଼ିଶାରେ ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍ ସମ୍ପର୍କରେ ତାଲିମ ଦେବାକୁ ରାଜ୍ୟ ସରକାର ‘ ଓଡ଼ିଶା ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଓ ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ସୁନ୍ଦରଗଡ଼ ଗାଁ ଅଞ୍ଚଳର ହକି ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ପୂର୍ବରୁ ରାଜ୍ୟ ସରକାର ଜିଲ୍ଲାର ସମସ୍ତ ୧୭ଟି ଯାକ ବ୍ଲକରେ ଆଷ୍ଟ୍ରୋଟର୍ଫ ନିର୍ମାଣ ସହ ପିଲାଙ୍କୁ ଖେଳ ଉପକରଣ ଯୋଗାଇବା ବ୍ୟବସ୍ଥା କରିଛନ୍ତି। ଆଉ ଏବେ ଆରମ୍ଭ ହୋଇଛି ପାଠଶାଳାରୁ ଅଲିମ୍ପିକ୍ଯାତ୍ରା।

ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡିଶା ଆରମ୍ଭ କରିଥିବା ଏହି ଅଭିନବ କାର୍ଯ୍ୟକ୍ରମରେ ତୃଣମୂଳସ୍ତରରୁ ସ୍କୁଲ ପିଲାଙ୍କୁ ଅଲିମ୍ପିକ୍ ସହ ଅନ୍ୟାନ୍ୟ ଖେଳ ପାଇଁ ପ୍ରଶିକ୍ଷଣ ଦିଆଯିବ। ଖୋର୍ଦ୍ଧାର ୬୩ ଓ ସୁନ୍ଦରଗଡ଼ ଜିଲ୍ଲାର ୨୭ଟି ସ୍କୁଲ ପିଲା ଏହି କାର୍ଯ୍ୟକ୍ରମରେ ସାମିଲ ହେବାର ସୌଭାଗ୍ୟ ପାଇଛନ୍ତି। ସେଥିମଧ୍ୟରେ ବିଶ୍ରା ବ୍ଲକର ବିଶ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ବ୍ଲକର ତୁଳସୀକାନି, ଡୁମେର୍ତ୍ତା, ଜରେଇକେଲା, ବନ୍ଧମୁଣ୍ଡା, ଦଲପୋଷ, ଝିରପାନି, ଜଗଦା, ବରସୁଆଁ, ସୁକୁଦା, ପୋଗରାବାହାଲ, କଲ୍ୟାଣତୋଲା ପ୍ରାଥମିକ ବିଦ୍ୟାଳୟ ଓ ରାଉରକେଲା ପୌରାଞ୍ଚଳର ସେକ୍ଟର-୬ ବିଦ୍ୟାନଗରୀ ପ୍ରାଥମିକ ବିଦ୍ୟାଳୟ, ରାଉରକେଲା ଉର୍ଦ୍ଦୁ, ଆରପିଏଲ, ରଘୁନାଥପାଲି ପିୟୁପିଏସ, ତୁମକେଲା, ଉଦିତନଗର, ସେକ୍ଟର- ଏନଏସି (ଏସଟି), ବିଦ୍ୟୁତ କଲୋନି, କଳିଙ୍ଗବିହାର, ଡିଏମପି, ଗୋପବନ୍ଧୁପାଲ୍ଲୀ, ଛେଣ୍ଡ ହାଉସିଂ କଲୋନି, ନୟାବଜାର ଏନଏସି (ଏସଟି), ଏଚ.କେ. ରଏ ୟୁପିଏସ୍, କଳିଙ୍ଗବିହାର ଉଚ୍ଚ ପ୍ରାଥମିକ ସ୍କୁଲ ରହିଛି।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଆଭାସି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସ୍କୁଲ ପିଲାଙ୍କ ସହ ଯୋଗ ଦେଇ କହିଥିଲେ, ‘ସାରା ଦେଶରେ ଓଡ଼ିଶା କ୍ରୀଡ଼ାର ହବ୍ ପାଲଟିଛି। ଏବେ ସ୍କୁଲସ୍ତରରୁ ଆଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଓଡ଼ିଶା ସରକାରଙ୍କ ଆଉ ଏକ ନୂଆ ପଦକ୍ଷେପ। କେବଳ ପାଠ ନୁହେଁ, ଏହା ସହ ବିଭିନ୍ନ କ୍ରୀଡ଼ାରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇ ଦକ୍ଷ କରିବା ରାଜ୍ୟ ସରକାରଙ୍କ ଯୋଜନା ରହିଛି। ଅଲିମ୍ପିକ୍ସ ସହ ଏସିଆନ୍ ଗେମ୍, ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପରି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବାକୁ ସ୍କୁଲସ୍ତରରୁ ପିଲାଙ୍କୁ ପ୍ରଶିକ୍ଷିତ କରାଯିବ’ ବୋଲି ମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନଙ୍କ ସମେତ ରାଜ୍ୟ କ୍ରୀଡ଼ା ଛାତ୍ରାବାସର ଖେଳାଳିମାନେ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଭାରତୀୟ ଅଲିମ୍ପିକ୍ ସଂଗଠନ ଓ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ସହ ବୁଝାମଣା ହୋଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର