ରାଉରକେଲା: ଭାରତୀୟ ମହିଳା ହକି ଜଗତରେ ଗତ ଏକ ଦଶନ୍ଧି ହେଲା ରାଜୁତି କରିଆସୁଥିବା ଓଡ଼ିଆ ତାରକା ଆଜି ଅନ୍ତର୍ଜାତୀୟ ହକିରୁ ଅବସର ନେଇଛନ୍ତି। ମାତ୍ର ୨୭ ବର୍ଷ ବୟସରେ ଲିଲିମାଙ୍କ ଅବସର ସମସ୍ତଙ୍କୁ ଚମକାଇ ଦେଇଛି। ବହୁ ପୂର୍ବତନ କ୍ରୀଡ଼ାବିତ୍ ଏହାକୁ ଅପ୍ରତ୍ୟାଶିତ ଅବିହିତ କରିଥିବାବେଳେ ଅନେକ ଏବେ ଏହାକୁ ଗ୍ରହଣ କରିପାରୁନାହାନ୍ତି। ପ୍ରାୟ ସମସ୍ତଙ୍କର ମୁହଁରେ ଗୋଟିଏ କଥା, ଲିଲିମାଙ୍କଠାରୁ ଆହୁରି ଅଧିକ ଖେଳ ବାକିଥିଲା। ନିର୍ଦ୍ଦିଷ୍ଟ କେଉଁ କାରଣରୁ ସେ ଆକସ୍ମିକଭାବେ ଅବସର ଘୋଷଣା କଲେ ତାହା ସ୍ପଷ୍ଟ ହୋଇନି; କିନ୍ତୁ କ୍ରମାଗତଭାବେ ଭାରତୀୟ ଦଳରୁ ବାଦ୍ ଦିଆଯିବା ହିଁ ପ୍ରମୁଖ କାରଣ ବୋଲି ଚର୍ଚ୍ଚା ଜୋର୍ ଧରିଛି।
ଅମୂଲ୍ୟାନନ୍ଦ ବିହାରୀ(ଲିଲିମାଙ୍କ କୋଚ୍)
‘ଛୋଟବେଳୁ ଲିଲିମାଙ୍କୁ ଅତି ପାଖରୁ ଦେଖିଛି। ପାନପୋଷ କ୍ରୀଡ଼ା ଛାତ୍ରାବାସରେ ପଦାର୍ପଣ କରିବା ଦିନଠାରୁ ତାଙ୍କର ଅନ୍ତର୍ନିହିତ କ୍ରୀଡ଼ାନୈପୁଣ୍ୟ ବାରି ହୋଇପଡ଼ିଥିଲା। ତାଙ୍କର ନିଷ୍ଠାପର ପରିଶ୍ରମ, ଅଭ୍ୟାସ ଓ ଦୃଢ଼ ସଂକଳ୍ପ ମନୋବୃତ୍ତି ଯୋଗୁଁ ଏକ ଦଶନ୍ଧି ଧରି ଭାରତୀୟ ହକି ଦଳରେ ନିଜକୁ ସ୍ଥାୟୀ କରିପାରିଥିଲେ। ସେ କେବଳ ଦଳର ଜଣେ ନିର୍ଭରଯୋଗ୍ୟ ସଦସ୍ୟ ନ ଥିଲେ, ବରଂ ମହତ୍ତ୍ବପୂର୍ଣ୍ଣ ଖେଲାଳିଭାବେ ଏକାଧିକବାର କରିସ୍ମା ଦେଖାଇଥିଲେ। ତାଙ୍କର ପାୱାର ହିଟ୍, ମୁଭ୍ମେଣ୍ଟ୍ ଓ ପାସ୍ ଦେବାର ଦକ୍ଷତା ସର୍ବୋତ୍କୃଷ୍ଟ ଥିଲା।
/sambad/media/post_attachments/wp-content/uploads/2022/01/lilima-minz.jpg)
ଶୁଭଦ୍ରା ପ୍ରଧାନ(ଭାରତୀୟ ମହିଳା ଦଳର ପୂର୍ବ ଅଧିନାୟିକା)
ଲିଲିମାଙ୍କ ଖେଳ ଉଚ୍ଚକୋଟୀର ଥିଲା। ସେ ବହୁବାର ଦଳକୁ ସଫଳତା ଆଣିଦେଇଥିଲେ। ଗତ ଅଲିମ୍ପିକ୍ କ୍ବାଲିଫାୟରରେ ତାଙ୍କର ପ୍ରଦର୍ଶନ ଅବର୍ଣ୍ଣନୀୟ। ପ୍ରକୃତରେ, ତାଙ୍କ ପାଖରେ ବହୁତ ଖେଳ ବାକିଥିଲା। ଅବସର ନେଲେ ମଧ୍ୟ ସେ ହକି ସହ ସଂପୃକ୍ତ ରହିବେବୋଲି ଆଶା। କାରଣ, ତାଙ୍କ ଭଳି ଜଣେ ଅଭିଜ୍ଞ ଖେଳାଳି ହିଁ ହକିର ବିକାଶ ପାଇଁ ବହୁତ କିଛି କରିପାରିବେ। ଏହାସହ ଅନ୍ତର୍ଜାତୀୟ ନହେଲେ ବି ଖେଳ କିନ୍ତୁ ଜାରି ରଖିବା ଶେୟସ୍କର।
ସରିତା ହନୁମାନ(ଅନ୍ତର୍ଜାତୀୟ ମହିଳା ହକି ଖେଳାଳି)
ଲିଲିମାଙ୍କ ଖେଳ ଅପାସୋରା ହୋଇ ରହିବ। ଦୀର୍ଘ ବର୍ଷ ଧରି ହକି ପଡ଼ିଆରୁ ଜନ୍ମମାଟି ସୁନ୍ଦରଗଡ଼, ଓଡ଼ିଶା ତଥା ଭାରତ ପାଇଁ ସୁନାମ ଆଣିଛନ୍ତି। ଏକାଧିକ ଉପଲବ୍ଧି ହାସଲ କରି ସମସ୍ତଙ୍କୁ ଖୁସି ମନାଇବାର ସୁଯୋଗ ଦେଇଛନ୍ତି। ତେବେ ତାଙ୍କ ପାଖରୁ ବହୁତ ଖେଳ ବାକିଥିଲା। ଅନ୍ୟୁନ ଆଉ ୨/୩ ବର୍ଷ ଖେଳିଥିଲେ ଭାରତୀୟ ହକି ପାଇଁ ଭଲ ହୋଇଥାନ୍ତା। ସେ ଫିଟ୍ ବି ଥିଲେ। ଏତେ ଶୀଘ୍ର ଅବସର ନେଇଥିବାରୁ ଦୁଃଖ ଲାଗୁଛି; କିନ୍ତୁ ତାଙ୍କର ନିଷ୍ପତ୍ତିକୁ ଆମେ ସମ୍ମାନ ଦେବା ଜରୁରୀ।
/sambad/media/post_attachments/wp-content/uploads/2022/01/lilima_minz2.jpg)
ପୁନମ ଟପ୍ପୋ(ପୂର୍ବ ଅନ୍ତର୍ଜାତୀୟ ଖେଳାଳି)
ଅତି କମ୍ ବୟସରେ ସେ ଅବସର ନେଇଗଲେ। ସେ ଆଉ କିଛି ବର୍ଷ ଭାରତୀୟ ହକିକୁ ସେବା ଦେଇପାରିଥାନ୍ତେ। ସେ ଜଣେ ଉତ୍କୃଷ୍ଟ ଖେଳାଳି, ତାଙ୍କର ସୁଦୀର୍ଘ କ୍ରୀଡ଼ା ଜୀବନରୁ ଏହା ସ୍ପଷ୍ଟ ହୁଏ। ଖେଳ ବ୍ୟତିତ ମୁଁ ତାଙ୍କୁ ବ୍ୟକ୍ତିଗତସ୍ତରରେ ବହୁତ ଭଲଭାବେ ଜାଣେ। ତାଙ୍କର ଶୃଙ୍ଖଳିତ ଜୀବନଶୈଳୀ, କାର୍ଯ୍ୟଶୈଳୀ ଅନୁକରଣୀୟ। ଅନ୍ତର୍ଜାତୀୟ ହକିରୁ ଅବସର ନେଇଥିଲେ ମଧ୍ୟ ସେ ହକି ଖେଳ ସହ ସଂଶ୍ଲିଷ୍ଟ ରହିଲେ ଭଲ।
ଇଗ୍ନେସ ତିର୍କୀ(ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି)
ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ହକିର କଳାକୌଶଳ ଶିକ୍ଷାଲାଭ କରି ଲିଲିମା ନିଜକୁ ପ୍ରତଷ୍ଠିତ କରିପାରିଥିଲେ। ଏକ ଦଶନ୍ଧି ଧରି ଭାରତୀୟ ଦଳର ପ୍ରତିନିଧିତ୍ବ କରିବା ଏକ ନିଆରା ଉପଲବ୍ଧି। ଏଭଳି ଉପଲବ୍ଧି ସମସ୍ତଙ୍କ ଭାଗ୍ୟରେ ଜୁଟିଥାଏ। କିନ୍ତୁ କଠୋର ଅଧ୍ୟବସାୟ ବଳରେ ସେ ଏହା କରିପାରିଥିଲେ। ବର୍ଷବର୍ଷ ଧରି ସୁନ୍ଦରଗଡ଼ ଜିଲ୍ଲା ଓ ରାଜ୍ୟ ପାଇଁ ସୁନାମ ଆଣିଥିବା ଲିଲିମାଙ୍କ ପାଇଁ ଆମେ ସମସ୍ତେ ଗର୍ବିତ।