ଓମ୍ ପ୍ରକାଶ ଜଗତିଙ୍କ ପରଲୋକ

କଟକ-ସିଡିଏ : ବିଶିଷ୍ଟ ଅର୍ଥନୀତି ବିଶାରଦ, ସ୍ତମ୍ଭକାର ଓମ୍ ପ୍ରକାଶ ଜଗତି (୬୧)ଙ୍କର ପରଲୋକ ଘଟିଛି। ହୃଦ୍‌ଘାତର ଶିକାର ହୋଇ ସେ ୨୧ ତାରିଖରୁ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୋମବାର ଭୋର୍‌ ପ୍ରାୟ ୪ଟାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଡ. ଜୟଶ୍ରୀ ଜଗତି, ଦୁଇ ଝିଅ ବ୍ୟାଙ୍କ ଅଫିସର୍‌ ପ୍ରଜ୍ଞାଶ୍ରୀ ଜଗତି ଓ ଡାକ୍ତର ସୋନାଲି ଜଗତି, ଶାଳକ ହରପ୍ରସାଦ ପୃଷ୍ଟି,‌ ଦେବୀପ୍ରସାଦ ପୃଷ୍ଟି, ଡ. ପ୍ରବୋଧ କୁମାର ବଳିୟାରସିଂହ, ପ୍ରିୟବ୍ରତ କର, ଇଂଜିନିୟର୍‌ ପୂର୍ଣ୍ଣେନ୍ଦୁ ମିଶ୍ର, ଯଶୋବନ୍ତ ପଟ୍ଟନାୟକ, ଡ. ଗୌରକିଶୋର ସାହୁ, ଦେବାଶିଷ ସାହୁ, ମଂଜୁଲତା ପାତ୍ର, ମାମୁ ଲକ୍ଷ୍ମୀଧର ପାତ୍ର, ବୀରକିଶୋର ସାହୁ, ଆଶୁତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ଼ ଝିଅ ପ୍ରଜ୍ଞାଶ୍ରୀ ମୁଖାଗ୍ନି ଦେଇଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ହଳଦିଆ ଠାକୁରପାଟଣା ଅଞ୍ଚଳର ମୂଳ ବାସିନ୍ଦା, କଟକରେ ଜନ୍ମିତ ଓମ୍‌ ପ୍ରକାଶ ଗତ ଦୁଇ ଦଶନ୍ଧି ଧରି ବେଙ୍ଗାଲୁରୁରେ ପରିବାର ସହିତ ରହୁଥିଲେ। ଗତ କିଛି ମାସ ହେଲା ସେ କଟକର ରାଣୀହାଟରେ ରହୁଥିଲେ।

ବିଶିଷ୍ଟ ଶିକ୍ଷାବିତ୍, ଆଇନଜୀବୀ ସ୍ବର୍ଗତ ଯଦୁନାଥ ଜଗତି ଓ ଅନସୂୟା ଜଗତିଙ୍କ ଏକମାତ୍ର ପୁତ୍ର ଓମ୍ ପ୍ରକାଶ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଓ କଂପାନି ସେକ୍ରେ‌ଟାରି ଯୋଗ୍ୟତା ହାସଲ କରିବା ପରେ ୩୫ବର୍ଷରୁ ଅଧିକ କାଳ ଦେଶର ପ୍ରତିଷ୍ଠିତ କର୍ପୋରେଟ୍‌ ସଂସ୍ଥା ଟାଟା ସ୍ପଞ୍ଜ୍, ଏମ୍‌ଏମ୍‌ଟିସି, ସିଜି ଗ୍ଲାସ୍, କ୍ରମ୍ପଟନ୍ ଗ୍ରିଭ୍‌ସର‌େ ସିଏଫ୍‌ଓ ଭାବେ କାର୍ଯ୍ୟ କରିଥିଲେ। ପରେ ସେ ବେଙ୍ଗାଲୁରୁସ୍ଥିତ ବହୁରାଷ୍ଟ୍ରୀୟ ସଂସ୍ଥା ଫାଓଲର୍ ୱେଷ୍ଟରପ୍‌ର ସିନିୟର ଭାଇସ୍ ପ୍ରେସିଡେଣ୍ଟ (ଫାଇନାନ୍ସ, ଲିଗାଲ୍) ଭାବେ କାର୍ଯ୍ୟ କରିଥିଲେ। ସେ ଡିକିନ୍‌ସନ୍ ଫାଓଲର୍ ଗ୍ରୁପ୍ ଅଫ୍ କଂପାନିର ଅର୍ଥ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ବର୍ତ୍ତମାନର ବାଣିଜ୍ୟ, ଆର୍ଥିକ ସ୍ଥିତିକୁ ନେଇ ଓଡ଼ିଶାର ସର୍ବାଧିକ ପ୍ରସାରିତ ତଥା ପଠିତ ଦୈନିକ ‘ସମ୍ବାଦ’ରେ ନିୟମିତ ସ୍ତମ୍ଭ ‘ବଜାର ହାଲଚାଲ୍’ ଲେଖି ଆସୁଥିଲେ। ପୂର୍ବରୁ ଦୈନିକ ‘ସମାଜ’ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଅଫ୍ ଇଣ୍ଡିଆ ଏବଂ ଇନଷ୍ଟିଚ୍ୟୁଟ ଅଫ୍ କଂପାନି ସେକ୍ରେଟାରିଜ୍ ଅଫ ଇଣ୍ଡିଆ ଦ୍ବାରା ପ୍ରକାଶିତ ଜର୍ଣ୍ଣାଲ୍‌ରେ ତାଙ୍କର ପ୍ରବନ୍ଧ ପ୍ରକାଶ ପାଇ ଆସୁଥିଲା। ଦେଶର ଅନ୍ୟତମ ପ୍ରତି‌ଷ୍ଠିତ କର୍ପୋରେଟ୍ ମିଡିଆ ସିଏଫ୍ଓ ପକ୍ଷରୁ ତାଙ୍କୁ ୨୦୧୮ରେ ସିଏଫ୍‌ଓ ୧୦୦ ସମ୍ମାନ ପ୍ରଦାନ କରାଯାଇଥିଲା।

ତାଙ୍କ ବିୟୋଗରେ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଶା ଜଣେ ବିଜ୍ଞ, ଧୀମାନ୍‌ ବ୍ୟକ୍ତିଙ୍କୁ ହରାଇଥିଲା। ରାଜ୍ୟ ତଥା ଦେଶର ଅର୍ଥନୀତିକୁ ସେ ଗଭୀର ଭାବେ ଅବଲୋକନ କରିପାରୁଥିଲେ। ‘ସମ୍ବାଦ’ରେ ପ୍ରକାଶ ପାଉଥିବା ତାଙ୍କର ନିୟମିତ ସ୍ତମ୍ଭ ‘ବଜାର ହାଲଚାଲ୍’ ପାଠକଙ୍କ ଗହଣରେ ବେଶ୍ ଲୋକପ୍ରିୟ ଥିଲା। ସେହିପରି ଅନ୍ୟମାନଙ୍କ ମଧ୍ୟରେ କଥାକାର ଗୌରହରି ଦାସ, ଗବେଷକ ଅସିତ ମହାନ୍ତି, ଆମ ଓଡ଼ିଶା ସଂପାଦକ ସ୍ବରାଜ ମିଶ୍ର, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ଶ୍ରୀମନ୍ତିନୀ ଜେନା, ବିଜୟ କୁମାର ନରେନ୍ଦ୍ର, ସୁବ୍ରତ କୁମାର ଗରାବଡ଼ୁ, କାମାକ୍ଷା ମହତାବ, ଅଜୟ ଚୌଧୁରୀ, ରଂଜନ ରାୟ, ଦୁର୍ଗା ମିଶ୍ର, ସତ୍ୟପ୍ରିୟ ମହାନ୍ତି, ନିର୍ମଳ ସାହୁ, ଜଗନ୍ନାଥ ଦାସ, ସୁଜିତ ମହାନ୍ତି, ଅଭୟ ନାୟକ, ପ୍ରମୋଦ ଶତପଥୀ, ଜ୍ୟୋତିରଂଜନ ତ୍ରିପାଠୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର