ସୁନ୍ଦରଗଡ଼, (ଡମ୍ବରୁଧର ନାୟକ): ଖଣି ପ୍ରଭାବିତ ଅଞ୍ଚଳ ଓ ଅଧିବାସୀଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଭାବେ ଗଠିତ ଓଡ଼ିଶା ଖଣି କ୍ଷେତ୍ର ବିକାଶ ନିଗମ (ଓମ୍ବାଡ୍ସି) ଅଧିକାରୀମାନଙ୍କ ମନମର୍ଜିରେ ଚାଲିଛି। ଓଡ଼ିଶା ଖଣି କ୍ଷେତ୍ର ବିକାଶ ନିଗମ ରାଜ୍ୟ ପାଣ୍ଠିରେ ୨୦,୧୧୦ କୋଟି ଟଙ୍କା ଜମା ରହିଥିବାବେଳେ ୨୦୨୨ ନଭେମ୍ବର ୩୦ ସୁଦ୍ଧା ୯ଟି ଜିଲ୍ଲାରେ ମାତ୍ର ୫,୪୮୬ କୋଟି ଖର୍ଚ୍ଚ କରାଯାଇଛି। ୧୭,୬୦୪ କୋଟିର ୫୩ଟି ପ୍ରକଳ୍ପ ନିର୍ଦ୍ଦେଶକ ପରିଷଦରେ ଅନୁମୋଦିତ ହୋଇଥିଲେ ମଧ୍ୟ ମାତ୍ର ୮,୪୯୨ କୋଟି ପ୍ରଦାନ କରାଯାଇଛି। ପ୍ରକଳ୍ପଗୁଡ଼ିକ ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ଏହାସତ୍ତ୍ବେ ମଧ୍ୟ ତାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ୨୦୧୪ ଡିସେମ୍ବର ୨ରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ସ୍ବତନ୍ତ୍ର ଭାବେ ଖଣି ପ୍ରଭାବିତ ଅଞ୍ଚଳର ଆଦିବାସୀଙ୍କ କଲ୍ୟାଣ ପାଇଁ ଓମ୍ବାଡ୍ସି ଗଠନ କରାଯାଇଥିଲା। ଏଥିରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା, ସୁନ୍ଦରଗଡ଼ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପାଇଁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ, ଶିକ୍ଷା ତାଲିମ ଓ କୌଶଳ ବିକାଶ, ସ୍ବାସ୍ଥ୍ୟ, ଅଙ୍ଗନବାଡ଼ି, ଜୀବିକା ପ୍ରୋତ୍ସାହନ, ଗ୍ରାମାଞ୍ଚଳ ସଡ଼କ ସଂଯୋଗ, ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ, ଜଳ ସଂରକ୍ଷଣ, ଭୂତଳ ଜଳ ପରିଚାଳନା ଆଦି ପ୍ରକଳ୍ପ ବା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ, ଗୋଟିଏପଟେ ପାଣ୍ଠି ପ୍ରଦାନ କରା ନ ଯିବା ଓ ଅନ୍ୟପଟେ ଲାଭଖୋର ନିର୍ମାଣକାରୀ ସଂସ୍ଥା ସହ ଅସାଧୁ ଅଧିକାରୀଙ୍କ ଦୁର୍ନୀତି, ଅନିୟମିତତା ଯୋଗୁ ପ୍ରକଳ୍ପ କାମସବୁ ଅତି ନିମ୍ନମାନର ହେଉଛି। ଅନେକ ପ୍ରକଳ୍ପ ବର୍ଷ ବର୍ଷ ଧରି ଶେଷ ହେଉନାହିଁ।
Flickrପଛୁଆ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡ୍ସି ପାଣ୍ଠିରେ ନିର୍ମାଣ ହେଉଥିବା ବୃହତ୍ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ଉଦାହରଣ ଭାବେ ନିଆଯାଇପାରେ। ପଞ୍ଚାୟତିରାଜ ଓ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଓମ୍ବାଡ୍ସିର ୩୧୨ କୋଟି ବ୍ୟୟରେ ଜିଲ୍ଲାର ହେମଗିର, ଲେଫ୍ରିପଡ଼ାର ୧୧ ପଞ୍ଚାୟତ, କୁତ୍ରା ଓ ରାଜଗାଙ୍ଗପୁର ବ୍ଲକ୍ର ୭ଟି ପଞ୍ଚାୟତରେ ଏହି ପ୍ରକଳ୍ପ କାମ ଚାଲିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଲେଫ୍ରିପଡ଼ା(ଅଂଶ), ଟାଙ୍ଗରପାଲି, ବାଲିଶଙ୍କରା, ସବଡେଗା ଓ ବଡ଼ଗାଁ ବ୍ଲକ ପାଇଁ ଅର୍ଥ ଯୋଗାଇ ଦିଆଯାଇଛି। କିନ୍ତୁ, ପ୍ରଥମ ପର୍ଯ୍ୟାୟରେ ହେମଗିର, କୁତ୍ରା ଓ ରାଜଗାଙ୍ଗପୁର ବ୍ଲକ୍ରେ ଆରମ୍ଭ ହୋଇଥିବା ପାନୀୟଜଳ ପ୍ରକଳ୍ପ କାମ ଏ ଯାଏ ସରିନି। ୨୦୧୯ ଡିସେମ୍ବର ୧୭ରେ ଆରମ୍ଭ ହୋଇଥିବା କାମ ୨୦୨୧ ଡିସେମ୍ବରରେ ସରିବାକୁ ଥିଲା। କିନ୍ତୁ, ଅଢ଼େଇ ବର୍ଷ ପରେ ବି ପାଇପ୍ ପୋତା କାମ ଶେଷ ହୋଇପାରିନି। ବହୁ ଗାଁରେ ପାଇପ୍ ପୋତା କାମ ଅଧାରେ ରହିଛି। କାର୍ଯ୍ୟ ଅବଧିକୁ ୨୦୨୨ ଡିସେମ୍ବର ଯାଏ ବୃଦ୍ଧି କରାଯାଇଥିଲେ ମଧ୍ୟ ଆହୁରି ବହୁ କାମ ବାକି ରହିଛି। ଏଥିପାଇଁ ଆବଶ୍ୟକ ଶେଷ ପର୍ଯ୍ୟାୟ ଅର୍ଥ ରାଜ୍ୟ ପାଣ୍ଠି ପକାଇ ରଖିଥିବା ଅଭିଯୋଗ ହୋଇଛି। କେବଳ ଏହି ଗୋଟିଏ ପ୍ରକଳ୍ପ ନୁହେଁ, ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମର ମାତ୍ର ୪୪ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିବାବେଳେ ଶିକ୍ଷା କ୍ଷେତ୍ରରେ ଏସ୍ଟି/ଏସ୍ସି ଉନ୍ନୟନ ବିଭାଗ ଆଶ୍ରମ ସ୍କୁଲ ବାବଦକୁ ମାତ୍ର ୬୧ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି।
ଅନ୍ୟପକ୍ଷରେ, ବହୁକୋଟିର ବୃହତ୍ ପ୍ରକଳ୍ପ ସବୁ ହାତକୁ ନିଆଯାଉଥିବାବେଳେ ତାହା ପ୍ରଭାବିତ ଅଧିବାସୀ ବା ଅଞ୍ଚଳର ବିକାଶ ପାଇଁ କେତେ ସହାୟକ ହେବ, ସେ ନେଇ କୌଣସି ତର୍ଜମା କରାଯାଉନାହିଁ। ଏହାଛଡ଼ା ପାଣ୍ଠି ପ୍ରଦାନରେ ମଧ୍ୟ ଅକାରଣ ବିଳମ୍ବ କରାଯାଉଛି। ସେଥିପାଇଁ ଖଣି ଅଞ୍ଚଳର ବିକାଶ ବାଟବଣା ହୋଇଯାଉଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/ombadc.jpg)