ଭୁବନେଶ୍ବର: ଜଗନ୍ନାଥଙ୍କ ଟଙ୍କା ପରେ ୟେସ ବ୍ୟାଙ୍କରେ ଓଏମସିର ଟଙ୍କା ଜମାକୁ ନେଇ ବିଧାନସଭାରେ ଅଭିଯୋଗ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ଓଡିଶା ଖଣି ନିଗମ ୟେସ ବ୍ୟାଙ୍କରେ ୬୫୦ କୋଟି ଜମା ରଖିଛି । ଗତ ବର୍ଷ ଏପ୍ରିଲ ମାସରେ ଏହି ଟଙ୍କା ଓଏମସି ପକ୍ଷରୁ ଜମା କରାଯାଇଥିବା ନେଇ ସୂଚନା ମିଳିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କ ଉପରେ କଟକଣା ଜାରି କରିବା ପରେ ଏସବୁ ଟଙ୍କା ଫେରି ପାଇବା ନେଇ ଅନିଶ୍ଚିତତା ରହିଛି । ପୂର୍ବରୁ ଜଗନ୍ନାଥଙ୍କ ଟଙ୍କା ୟେସ ବ୍ୟାଙ୍କରେ ଜମା କରିବା ସଂପର୍କରେ ତୁମ୍ବି ତୋଫାନ ହେବା ପରେ ଏବେ ପୁଣି ଓଏମସି ଟଙ୍କା ଜମାକୁ ନେଇ ପ୍ରଶ୍ନ ଉଠିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ରଖିବା ପ୍ରସଙ୍ଗରେ ଆଜି ବିଧାନସଭାରେ ବିବୃତି ରଖିଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ମନ୍ତ୍ରୀ ଗୃହରେ କହିଛନ୍ତି ମାର୍ଚ ୫ ତାରିଖ ଯାଏଁ ୟେସ୍ ବ୍ୟାଙ୍କ ସହିତ ଆର୍ଥିକ କାରବାର ନକରିବାକୁ ନେଇ କୌଣସି ସୂଚନା ଆସି ନଥିଲା । ଶ୍ରୀମନ୍ଦିରର ଟଙ୍କା ରଖିବାକୁ ମୋଟ୍ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ । କିନ୍ତୁ ୟେସ୍ ବ୍ୟାଙ୍କ ସର୍ବାଧିକ ୮.୬୧ ପ୍ରତିଶତ ସୁଧ ଦେବାକୁ ପ୍ରସ୍ତାବ ଦେଇଥିବାରୁ ଜଗନ୍ନାଥଙ୍କ ଟଙ୍କା ଏଥିରେ ରଖାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହିତ ମନ୍ତ୍ରୀ କହିଛନ୍ତି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଜରିଆରେ ହୋଇଥାଏ । ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ ବୋଲି କହିଛନ୍ତି ।
ଆଜି ବିଧାନସଭାନରେ ଏ ନେଇ ଆଲୋଚନା ବେଳେ ବିଜେପି ସଦସ୍ୟମାନେ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁଙ୍କୁ ଟାର୍ଗେଟ କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଅଭିଯୋଗ କରିଥିଲେ, ଜଗନ୍ନାଥଙ୍କୁ କାଙ୍ଗାଳ କରିବା ପ୍ରୟାସରେ ଲାଗିଛନ୍ତି ସରକାର । ଭକ୍ତଙ୍କ ଆବେଗ ସହ ଖେଳାଯାଉଛି । ଜଗନ୍ନାଥଙ୍କ ସମ୍ପତ୍ତି ଲୁଟିବାକୁ ଉଦ୍ୟମ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କିଏ ୟେସ ବ୍ୟାଙ୍କରେ ଟଙ୍କା ରଖିଲା ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ମୋହନ ମାଝି ଦାବି କରିଥିଲେ । ସରକାରଙ୍କ ପ୍ରଶାସନିକ ଅଧିକାରୀମାନେ ମହାପ୍ରଭୁଙ୍କ ଟଙ୍କା ଚଳୁ କରିଛନ୍ତି । ଏପରିକି ବିଜୟ ସାହୁଙ୍କୁ ବି ଟାର୍ଗେଟ କରିଥିଲେ ମୋହନ ମାଝି । ଏହି ଟଙ୍କାର ପ୍ରଦୀପ୍ତ ମହାପାତ୍ର ଓ ବିଜୟ ସାହୁ ୟୁରୋପ ଗସ୍ତ କରିଥିଲେ କି ସରକାରଙ୍କ ଜବାବ ଦିଅନ୍ତୁ ବୋଲି ଆଲୋଚନା ବେଳେ ଦାବି କରିଥିଲେ ମୋହନ । ଘଟଣାର ସିବିଆଇ ତଦନ୍ତ ପାଇଁ ବି ସେ ଦାବି କରିଥିଲେ ।