ଭୁବନେଶ୍ବର: ରାଜ୍ୟର ଆଠଟି ଖଣି ଅଞ୍ଚଳବାସୀଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ, ଗ୍ରାମୀଣ ଯୋଗାଯୋଗ, ଜୀବନଜୀବିକା ଓ ଜଳ ସଂରକ୍ଷଣ ଭଳି ୭ଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଚିହ୍ନଟ ହୋଇଛି। ଓଡ଼ିଶା ଖଣିଜଧାରକ ଉନ୍ନୟନ ନିଗମ (ଓମ୍‌ବାଡ୍‌ସି) ପାଣ୍ଠି ବିନିଯୋଗ କରାଯାଇ ଏହି ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। କିନ୍ତୁ ଉଦ୍‌ବେଗର ବିଷୟ ହେଉଛି ଯେ ଏସବୁ ପ୍ରକଳ୍ପ ଲାଗି ଯେତିକି ପାଣ୍ଠି ‌ଘୋଷଣା ହେଉଛି ସେତିକି ଦିଆଯାଉନାହିଁ। ଯେତିକି ଟଙ୍କା ଦିଆଯାଉଛି ତାହାର ଅଧା ବି ଖର୍ଚ୍ଚ ହେଉନାହିଁ। ପାଣ୍ଠି ବିନିଯୋଗ ସଂପର୍କିତ ଏଭଳି ସାଂଘାତିକ ତଥ୍ୟ ଓମ୍‌ବାଡ଼୍‌ସି ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଓମ୍‌ବାଡ୍‌ସି ଓଭରସାଇଟ୍‌ ଅଥରିଟି ଜଷ୍ଟିସ୍‌ ଅନଙ୍ଗ କୁମାର ପଟ୍ଟନାୟକ ଏହାକୁ ଗମ୍ଭୀରତାର ସହିତ ନେଇଛନ୍ତି। ସେ ‘ସମ୍ବାଦ’କୁ କହିଛନ୍ତି ଯେ ସମୀକ୍ଷା ବେଳେ ଦେଖାଯାଉଛି, ପ୍ରକଳ୍ପଗୁଡ଼ିକ ଆଗକୁ ବଢ଼ିବା ବେଳେ ବିଭିନ୍ନ ପ୍ରକାର ବାଧା ସୃଷ୍ଟି ହେଉଛି। ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ବିଭିନ୍ନ ବୈଷୟିକ ସମସ୍ୟା ରହୁଛି। ସେସବୁ ଦୂର ଲାଗି ସେ ନିଜେ କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ସଂସ୍ଥା ସହିତ ଆଲୋଚନା କରି ସମସ୍ୟା ଦୂର କରିବାକୁ ଚେଷ୍ଟା କରୁଛନ୍ତି। ପୂରା ନହେଲେ ବି ଆଗାମୀ ଦିନରେ ଅର୍ଥ ଖର୍ଚ୍ଚ ସ୍ଥିତିରେ ଉନ୍ନତି ଆସିବ ବୋଲି ଜଷ୍ଟିସ୍‌ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି। ତଥ୍ୟ ଅନୁସାରେ, ଓମ୍‌ବାଡ୍‌ସି ପାଣ୍ଠିରେ ଖଣି ପ୍ରଦୂଷିତ ୪ଟି ଜିଲ୍ଲାରେ ୩୦ଟି ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି। ୧୪ଟି ସହରରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କେନ୍ଦୁଝର ଓ ସୁନ୍ଦରଗଡ଼ରେ ଦୁଇଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ଚାଲିଛି ଏବଂ ଯାଜପୁରରେ ଦୁଇଟି ମେଗା ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ୪.୫ ଲକ୍ଷ ଘରେ ଟ୍ୟାପ୍‌ରୁ ଜଳ ବ୍ୟବହାର ଭଳି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୮,୦୦୮ କୋଟି ଟଙ୍କା ଘୋଷଣା ହୋଇଥିବା ବେଳେ ସେଥିରୁ ୫୦% ରାଶି ଦିଆଯାଇଛି ଏବଂ ଦିଆଯାଇଥିବା ରାଶିର ୭୮ ପ୍ରତିଶତ ଖର୍ଚ୍ଚ ହୋଇପାରିଛି।

Advertisment

ଶିକ୍ଷାର ବିକାଶ ପାଇଁ ୩୫୨୯ କୋଟି ଟଙ୍କା ଘୋଷଣା କରାଯାଇଥିବା ବେଳେ ମାତ୍ର ୨ଶହ କୋଟି ଟଙ୍କା ପ୍ରଦାନ ହୋଇଛି। ସେଥିରୁ ୫୭% ଅର୍ଥ ଖର୍ଚ୍ଚ ହୋଇଛି। ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅନୁସୂଚିତ ଜାତି ଓ ଜନଜାତି ତଥା ବୈଷୟିକ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ଅର୍ଥ ଦିଆଯାଇଛି। ଡାକ୍ତରଖାନା କୋଠା ନିର୍ମାଣ, ରାସ୍ତାଘାଟ ତିଆରି ଭଳି ଭିତ୍ତଭୂମି ବିକାଶକୁ ଅଗ୍ରାଧିକାର ଦେଇଛି ଓମ୍‌ବାଡ୍‌ସି। ସେ ବାବଦରେ ୨୨୦ଟି କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦିଆଯାଇଛି। ହେଲେ ପୂର୍ତ୍ତ ବିଭାଗ ମାତ୍ର ୩୬% କାର୍ଯ୍ୟ କରିଛି। ଅପହଞ୍ଚ ଅଞ୍ଚଳରେ ଉନ୍ନତ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଓ ଲୋକମାନଙ୍କୁ ଡାକ୍ତରଖାନା

ଆଣିବା ଲାଗି ଅଭିନବ ବାଇକ୍‌ ଆମ୍ବୁଲାନ୍ସ ବ୍ୟବସ୍ଥା‌ କରିବାକୁ ନିଷ୍ପତ୍ତି ହୋଇଛି। ସମନ୍ବିତ ଶିଶୁ ବିକାଶ ଯୋଜନାକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ମଧ୍ୟ ଧ୍ୟାନ ଦିଆଯାଇଛି। ତେବେ ଶିକ୍ଷା, ପାନୀୟ ଜଳ ଭଳି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପାଣ୍ଠିର ଖର୍ଚ୍ଚ ଚିନ୍ତାଜନକ। ଘୋଷଣା ହୋଇଥିବା ୩୫୨୭.୪୧ କୋଟି ଟଙ୍କା ମଧ୍ୟରୁ ମାତ୍ର ୨୮% ଅର୍ଥ ଦିଆଯାଇଛି ଏବଂ ସେଥିରୁ ୪୫% ଅର୍ଥ ଖର୍ଚ୍ଚ ହୋଇଛି। ଜୀବନଜୀବିକା କ୍ଷେତ୍ରରେ ୫ହଜାର ହିତାଧିକାରୀ ପାଇଁ ମତ୍ସ୍ୟ ଓ ପଶୁପାଳନ, ରେଶମ ଚାଷ ଓ ହସ୍ତଶିଳ୍ପ କ୍ଷେତ୍ରରେ ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି। ୮୦ ହଜାର ହିତାଧିକାରୀ ‘ଓଡିଶା ଜୀବିକା ମିସନ’ ଓ ‘ଆମ ଜଙ୍ଗଲ’ ଯୋଜନାରେ ଉପକୃତ ହୋଇଛନ୍ତି। ତେବେ ଏଥିପାଇଁ ଅନୁମୋଦନ ହୋଇଥିବା ୭ଶହ କୋଟି ଟଙ୍କାରୁ ମାତ୍ର ୩୬% ଅର୍ଥ ମିଳିଛି ଓ ସେଥିରୁ ୪୧% ଅର୍ଥ ଖର୍ଚ୍ଚ ହୋଇଛି। ଗ୍ରାମୀଣ ଯୋଗାଯୋଗ କ୍ଷେତ୍ରରେ ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲା ପାଇଁ ୫୦୯ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରୁ ୫୫% ଅର୍ଥ ମିଳିଛି ଓ ତା’ ମଧ୍ୟରୁ ୭୮% ଅର୍ଥ ଖର୍ଚ୍ଚ ହୋଇଛି। ଏହି ଅର୍ଥରେ ୧୪୨ଟି ରାସ୍ତା ଓ ୧୪ଟି ପୋଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ସେଥିରୁ ୧୧ ଟି ପୋଲ ଓ ୧୨୮ଟି ରାସ୍ତା ନିର୍ମାଣ ସରିଛି। ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ୪ଟି ଜିଲ୍ଲାର ୯ ଟି ସହରରେ ବାୟୁର ମାନ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଜଳ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ମଞ୍ଜୁର ହୋଇଥିବା ୭ଶହ କୋଟିରୁ ୪୧% ଅର୍ଥ ମିଳିଛି ଓ ସେ ମଧ୍ୟରୁ ୭୨% ଖର୍ଚ୍ଚ ହୋଇଛି। ଉଲ୍ଲେଖଥାଉକି, ୨୦୨୩ରେ ୧୭୯୦୨.୫୫ କୋଟି ଟଙ୍କାରେ ୫୫ଟି ଉନ୍ନୟନମୂଳକ ପ୍ରକଳ୍ପ ନିର୍ମାଣ ପାଇଁ ଓମ୍‌ବାଡ୍‌ସି ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିଲା।