ଓଏମ୍‌ସି ଫେରାଇବ ଅନାବଶ୍ୟକ ଲିଜ୍ ଜମି, ସରକାରଙ୍କ ଖାତାକୁ ଫେରିବ ୮୫୦ ଏକର ଜମି

ଆଶାୟୀ ଭୂମିହୀନଙ୍କ ମେଳି

ଓଏମ୍‌ସି ଫେରାଇବ ଅନାବଶ୍ୟକ ଲିଜ୍ ଜମି, ସରକାରଙ୍କ ଖାତାକୁ ଫେରିବ ୮୫୦ ଏକର ଜମି

Sakshi Education

କାଳିଆପାଣି:  ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ୯୭୪ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ କାଳିଆପାଣି କ୍ରୋମାଇଟ୍‌ ଖଣିରୁ ୩୪୭ ହେକ୍ଟର ଅର୍ଥାତ୍‌ ୮୫୦ ଏକର ପାଖାପାଖି ଜମି ସରକାରଙ୍କ ଖ‌ାତାକୁ ଫେରିବ। ସଂପୃକ୍ତ ବିଶାଳ ଭୂଖଣ୍ଡ ବର୍ଷବର୍ଷ ଧରି ଖଣିକାର୍ଯ୍ୟ ଦିଗରେ ଅବ୍ୟବହୃତ ରହିଆସିଛି। ଏଥିସହ ଗତ ୧୦ ବର୍ଷ ଧରି କରାଯାଇଥିବା ଖଣିଜ ଅନ୍ବେଷଣ ପରେ ଏଠାରେ ଆଶାନୁରୂପ ଖଣିଜ ଦ୍ରବ୍ୟ ଗଚ୍ଛିତ ନଥିବା ସ୍ପଷ୍ଟ ‌ହୋଇଛି। ଏହାକୁ ଦୃଷ୍ଟିରେ ରଖି ଓଏମ୍‌ସି କର୍ତ୍ତୃପକ୍ଷ ଉକ୍ତ ଜମିକୁ ସରକାରଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

ଗତ ୩ ମାସ ଧରି ନିରପେକ୍ଷ ସଂସ୍ଥା ଓରସାକ୍‌ ପକ୍ଷରୁ ଡିଜିପିଏସ୍‌ ସର୍ଭେ କରାଯିବା ପରେ ଖଣି ବିଭାଗ, ବନ ବିଭାଗ ଓ ରାଜସ୍ବ ବିଭାଗକୁ ନେଇ ଯୁଗ୍ମ ତଦନ୍ତ ହୋଇଥିଲା। ଏ ରିପୋର୍ଟକୁ ରାଜ୍ୟ ସରକାରଙ୍କ ଖଣି ଓ ଇସ୍ପାତ ନିର୍ଦ୍ଦେଶାଳୟକୁ ପଠାଯାଇଛି। କିନ୍ତୁ, ଚୂଡ଼ାନ୍ତ ନିଷ୍ପତ୍ତି ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ(ଆଇବିଏମ୍‌)ର ରିପୋର୍ଟ ଉପରେ ନିର୍ଭର କରୁଛି।

ଅନ୍ୟପକ୍ଷରେ, ସରକାରଙ୍କ ଖାତାକୁ ଏହି ଜମି ଫେରୁଥିବା ସୂଚନା ମିଳିବା ମାତ୍ରେ ଆଜି ଚିରିଗୁଣିଆ ମାଝିସାହି ସଭ‌ା ମଣ୍ଡପରେ ଆଶାୟୀ ଭୂମିହୀନ ମିଳିତ ପ୍ରଜା ସମିତି ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ୭୫ ପ୍ରତିଶତ ଆଦିବାସୀଙ୍କ ସମେତ ୩ ଶହ ପାଖାପାଖି ଭୂମିହୀନ ପରିବାର ସଦସ୍ୟ ଉପସ୍ଥିତ ଥିଲେ।

ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, କାଳିଆପାଣି ସମିତିସଭ୍ୟ ସାଲୁକା ହନହାଗା, ସରପଞ୍ଚ ବିକାଶ କୁମାର ପାତ୍ର, ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ଧୀର, ଯୁଗ୍ମ ସାଧାରଣ ସଂପାଦକ ଭରତ ଚନ୍ଦ୍ର ମହାନ୍ତ ଓ ରାଁସୋଳର ପୂର୍ବତନ ସରପଞ୍ଚ ବିଶ୍ବଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଆପତ୍ତି ଓ ଅନୁରୋଧ ଶୁଣିଥିଲେ। ଏ ପ୍ରସଙ୍ଗରେ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଓ ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କୁ ଭେଟି ତାଙ୍କ ହସ୍ତକ୍ଷେପ ଲୋଡ଼ାଯିବ ଏବଂ ଏଥିପାଇଁ ଏକ ୧୦ ଜଣିଆ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe