ଭୁବନେଶ୍ବର: ଓମ୍ଫେଡ୍ରେ କେନ୍ଦ୍ରୀୟ ଅନୁଦାନର ହେରଫେର ଓ ଟେଣ୍ଡର ଫିକ୍ସିଂର ଭିଜିଲାନ୍ସ ତଦନ୍ତ ହେବ। ଓମ୍ଫେଡ୍ର କିଛି ବରିଷ୍ଠ କର୍ମଚାରୀଙ୍କ ବିରୋଧରେ ଏହି ତଦନ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ୩ମାସ ଭିତରେ ଏହାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଦେବା ଲାଗି କ୍ରାଇମବ୍ରାଞ୍ଚକୁ କୁହାଯାଇଛି। ସୂଚନା ଅନୁସାରେ, ୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ଓମଫେଡର ରାଜ୍ୟ କାର୍ଯ୍ୟାଳୟ ସମେତ ୧୧ଟି ଜିଲ୍ଲା ଦୁଗ୍ଧ ସମବାୟ ୟୁନିଅନର ଅଡିଟ ବେଳେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ନଜରକୁ ଆସିଥିଲା। କେନ୍ଦ୍ରୀୟ ଯୋଜନା ଆଇଡିଡିପି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆରକେଭିୱାଇ), ଆରକେଭିୱାଇ ଗୋମାତା ସମୃଦ୍ଧି ପ୍ରକଳ୍ପ-୨, ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ(ଏନ୍ପିଡିଡି), ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି, ଏନ୍ପିବିବିଡିଡି, ଏନ୍ଏମ୍ପିଏସ୍, ସ୍ବତନ୍ତ୍ର ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ(ଏସ୍ପିଡିଡି) ଓ ଆଦିବାସୀ ମହିଳା ଦୁଗ୍ଧ ସମବାୟ ସମିତି ଭଳି ଯୋଜନାରେ ଆସିଥିବା ଟଙ୍କାକୁ ବିଭିନ୍ନ ଢଙ୍ଗରେ ହରିଲୁଟ୍ କରାଯାଇଛି। ଅଡିଟ୍ରେ ସମୁଦାୟ ୨୦୭କୋଟି ୪୪ଲକ୍ଷରୁ ଅଧିକ ଅର୍ଥକୁ ନେଇ ଆପତ୍ତି ହୋଇଥିବା ବେଳେ ତହିଁରୁ ୩୦କୋଟି ୬୫ଲକ୍ଷ ୮୨ହଜାର ଟଙ୍କା ହେରଫେରରେ ସଂପୃକ୍ତ କର୍ମଚାରୀଙ୍କଠାରୁ ଭରଣା କରିବା ଲାଗି କୁହାଯାଇଛି। ଏପରିକି ଦୁଗ୍ଧ ଚାଷୀଙ୍କୁ ଅନ୍ଲାଇନ୍ରେ ଟଙ୍କା ପଇଠ ପାଇଁ ଆସିଥିବା ୫କୋଟି ୫୬ଲକ୍ଷରୁ ଅଧିକ ଟଙ୍କାକୁ ଅନ୍ୟତ୍ର ଖର୍ଚ କରାଯାଇଛି। ସମୁଦାୟ ୬୩ଟି ବର୍ଗରେ କିଭଳି ଅନୁଦାନ ଅର୍ଥକୁ ହେରଫେର କରାଯାଇଛି ତାହା ଅଡିଟ୍ରେ ଦର୍ଶାଯାଇଛି। ମିଛ ବିନିଯୋଗ ପ୍ରମାଣପତ୍ର(ୟୁସି), ଖର୍ଚ୍ଚ ନ ହୋଇଥିବା ଟଙ୍କା ନ ଫେରାଇବା, ବେଆଇନ ଭାବେ ଅନୁମତି ବିହୀନ ଖର୍ଚ, ବିଲ୍ ନ ଥାଇ ଖର୍ଚ, ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇବା ଭଳି ଦିଗରେ ଏହି ଚଞ୍ଚକତା ହୋଇଥିବା ଜଣାପଡ଼ିଛି।
ଅଡିଟ୍ ରିପୋର୍ଟରେ ଏଭଳି ହେରଫେର ସାମ୍ନାକୁ ଆସିବା ପରେ ୨୦୨୦ ମସିହାରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅର୍ଥ ହରିଲୁଟ୍ରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ତଦନ୍ତ କରିବା ଲାଗି ଆବେଦନକାରୀ ଲୋକାୟୁକ୍ତଙ୍କୁ ନିବେଦନ କରିଥିଲେ। ଲୋକାୟୁକ୍ତ ଏହାର ଶୁଣାଣି କରିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଉଲ୍ଲେଖ ଯେ ଦୁଗ୍ଧ ଚାଷୀଙ୍କୁ ଦୁଗ୍ଧ କିଣା ବାବଦରେ ଅର୍ଥକୁ ଅନ୍ଲାଇନ୍ ଜରିଆରେ ପ୍ରଦାନ କରିବା ଲାଗି ଏକ ନିଷ୍ପତ୍ତି ହୋଇଥିଲା। ଆରକେଭିୱାଇ ଯୋଜନା ଅଧୀନରେ ଟଙ୍କା ନେଣଦେଣ ବଦଳରେ ଅନ୍ଲାଇନ୍ ଜରିଆରେ ଟଙ୍କା ପ୍ରଦାନ କରିବା ଲାଗି ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଏକ ଡାଟା ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/omfed.jpg)