ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡରେ ୩ ଲକ୍ଷ ଟଙ୍କା ଋଣ ଦିଆଯାଉ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର

ବ୍ୟାଙ୍କ ଋଣ ଦେବାକୁ ଇଚ୍ଛା ପ୍ରକାଶ କରୁ ନ ଥିବା ଅଭିଯୋଗ

ଭୁବନେଶ୍ୱର : ଓଡ଼ିଶାର ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ କିଷାନ କ୍ରେଡିଟ୍‌ କାର୍ଡ(କେସିସି) ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାର ବ୍ୟବସ୍ଥା ଅଛି। କିନ୍ତୁ କୌଣସି ବ୍ୟାଙ୍କ ଋଣ ଦେବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଫଳରେ ଚାଷୀମାନେ ହଇରାଣ ହେଉଛନ୍ତି। ଏହି ମାମଲାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ କହିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଜଗତସଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଖଣ୍ଡାସାହି ଗ୍ରାମର ଦୁଗ୍ଧ ଚାଷୀ ଧ୍ରୁବ ଚରଣ ପରିଡ଼ାଙ୍କ ଏକ ଅଭିଯୋଗ ପତ୍ରକୁ ସଂଲଗ୍ନ କରି ଏହି ସମସ୍ୟା ସମ୍ପର୍କରେ ଅର୍ଥ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରୀ ପରିଡ଼ା କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଲେଖିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପତ୍ର ନମ୍ବର (ଏମ୍‌୦୧୦୦୭୧୫୧୨୦୨୦/୨୭.୦୭.୨୦୨୦)ରେ ବ୍ୟାଙ୍କ ଜରିଆରେ ଓମଫେଡ୍‌ ଦୁଗ୍ଧ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର କିଷାନ କ୍ରେଡିଟ୍ କାର୍ଡ ଦେବାକୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ବ୍ୟାଙ୍କଗୁଡ଼ିକ ଋଣ ଦେଉ ନାହାନ୍ତି। ଏଥି ପାଇଁ ଓମଫେଡ୍ ଚାଷୀମାନେ କୋଭିଡ୍‌-୧୯ ସମୟରେ ହଇରାଣ ହେଉଛନ୍ତି। ଏହି ଋଣ ବ୍ୟବସ୍ଥା ହୋଇପାରିଲେ ଜଗତସିଂହପୁରର ଅନେକ ଓମଫେଡ୍‌ ଦୁଗ୍ଧ ଚାଷୀ ଉପକୃତ ହୋଇପାରିବେ।

ସମ୍ବନ୍ଧିତ ଖବର