ଦୁଃସମୟରେ ଦୁଗ୍ଧଚାଷୀଙ୍କୁ ସହାୟତା କରୁ ଓମ୍‌ଫେଡ୍‌: ପଞ୍ଚାନନ

କ୍ଷୀର ସଂଗ୍ରହ କରି ଘିଅ ପ୍ରସ୍ତୁତ କରିବାକୁ ପ୍ରସ୍ତାବ

ଭୁବନେଶ୍ବର : କରୋନା ମହାମାରୀରେ ଲୋକଙ୍କ ଜୀବନ ଓ ଜୀବିକା ଉଭୟ ଯାଉଛି। ଏବେ ଦୈନିକ ୨ ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ କରିବାକୁ ଓମ୍‌ଫେଡ୍‌ ଘୋଷଣା କରି ଦୁଗ୍ଧ ଚାଷୀଙ୍କ ଜୀବିକା ବୁଡ଼ାଇବାକୁ ବସିଛି। ଏହି ନୀତିରେ ପରିବର୍ତ୍ତନ କରିବା ଆବଶ୍ୟକ। ଆଜି ଏପରି ଦାବି କରି ସରକାର ଓ ଓମ୍‌ଫେଡ୍‌ କର୍ତ୍ତୃପକ୍ଷଙ୍କୁ ବିକଳ୍ପ ବାଟ ଦେଖାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ।

ଏକ ଭିଡିଓ ବାର୍ତ୍ତା ଜାରି କରି ଶ୍ରୀ କାନୁନଗୋ କହିଛନ୍ତି, ଓମ୍‌ଫେଡ୍‌ ଦୈନିକ ୯ ଲକ୍ଷରୁ ୧୦ ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ କରିବା କ୍ଷମତା ରହିଛି। କିନ୍ତୁ ମହାମାରୀରେ ବ୍ୟବସାୟ ମାନ୍ଦା ଚାଲୁଥିବା ଦର୍ଶାଇ ଯେପରି ଭାବେ ଦୁଗ୍ଧ ସଂଗ୍ରହ କମାଇଦେବାକୁ ଘୋଷଣା କରିଛି, ତାହା ଚାଷୀ ବିରୋଧୀ। ଗାଈଟିଏ ରଖି ଦୁଗ୍ଧ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ଚାଷୀଟି ଏବେ କିପରି ଗୁଜରାଣ ମେଣ୍ଟାଇବ, ସେ କଥା କଣ ସରକାର ଏବଂ ଓମ୍‌ଫେଡ୍‌ କର୍ତ୍ତୃପକ୍ଷଙ୍କୁ ଦେଖାଯାଉନାହିଁ।

ଶ୍ରୀ କାନୁନଗୋ ବିକଳ୍ପ ପ୍ରସ୍ତାବ ଦେଇ କହିଛନ୍ତି, ଓମ୍‌ଫେଡ୍‌ ତାର ସମ୍ପୂର୍ଣ୍ଣ କ୍ଷମତା ଥିବା ୯ ଲକ୍ଷରୁ ୧୦ ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ କରୁ। ଏଥିରେ ଘିଅ ପ୍ରସ୍ତୁତ କରି ରଖାଯାଇପାରିବ। ଯାହାକି ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ବିଭିନ୍ନ ମନ୍ଦିର କାର୍ଯ୍ୟରେ ଲାଗିପାରିବ। ଲକ୍‌ଡାଉନ୍‌ରେ ଛେନା ପ୍ରସ୍ତୁତ କରୁଥିବା ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏପରି ସମୟରେ କମ୍‌ ଦୁଗ୍ଧ ସଂଗ୍ରହ ନେଇ ଓମ୍‌ଫେଡ୍‌ ଘୋଷଣା କରିବା ଅର୍ଥ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ।

ଓମ୍‌ଫେଡ୍‌ ଦୁଗ୍ଧ ପାଉଡର କାରଖାନା ନେଇ ବି ଶ୍ରୀ କାନୁନଗୋ ପ୍ରଶ୍ନ ଉଠାଇ ଅଭିଯୋଗ କରିଛନ୍ତି, ୨୦୦୩ ମସିହାରେ ଦୁଗ୍ଧ ପାଉଡର କାରଖାନା ପାଇଁ ୮ କୋଟି ଟଙ୍କା ଟିକସ ଛାଡ଼ କରି ଦିଆଗଲା। ପ୍ରତିଶ୍ରୁତି ଥିଲା ପାଉଡର କାରଖାନା ହେଲେ ଦୁଗ୍ଧ ଚାଷୀଙ୍କ ଲାଭ ହେବ। କିନ୍ତୁ ସେ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଗଲା। ଏବେ ଓମ୍‌ଫେଡ୍‌ ତାର ସମ୍ପୂର୍ଣ୍ଣ କ୍ଷମତା ବିଶିଷ୍ଟ ୧୦ ଲକ୍ଷ ଲିଟର କ୍ଷୀର ସଂଗ୍ରହ କରି ଦୁଗ୍ଧ ଚାଷୀମାନଙ୍କ ଏହି ଦୁଃସମୟରେ ଠିଆ ହେଉ ବୋଲି ଶ୍ରୀ କାନୁନଗୋ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର