ଭୁବନେଶ୍ୱର: ଓମ୍‌ଫେଡ୍‌ କ୍ଷୀର ଦର ବଢ଼ାଯାଇଛି। ଖାଉଟିମାନେ ଲିଟର ପିଛା ୫୨ ଟଙ୍କା ଦେଉଥିଲା ବେଳେ ଏବେ ୫୪ ଟଙ୍କା ଦେବେ। ଆଜି ବିଶ୍ବ ଦୁଗ୍ଧ ଦିବସ ପାଳନ ଅବସରରେ ଏହି ସୂଚନା ଦିଆଯାଇଛି। ଏହା ସହ ଦୁଗ୍ଧ ଚାଷୀମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ଘୋଷଣା କରିଛନ୍ତି। ଦୁଗ୍ଧ ଚାଷୀମାନଙ୍କୁ କ୍ଷୀର ଲିଟର ପିଛା ଅଧିକ ୩ ଟଙ୍କା ଦିଆଯିବା ସହ ସେମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ାଯାଉଛି। କିନ୍ତୁ ଖାଉଟିମାନଙ୍କ ଉପରେ ଏହି ବର୍ଦ୍ଧିତ ଦର ଲଦି ଦିଆଯିବ ନାହିଁ। ଏଥିରୁ ୨ ଟଙ୍କା ସରକାର ବହନ କରିବେ। ଖାଉଟିମାନେ ଲିଟର ପିଛା ଅଧିକ ଦୁଇ ଟଙ୍କା ଦେଇ କ୍ଷୀର କିଣିବେ।  

Advertisment

ଦୁଗ୍ଧ ଚାଷୀଙ୍କୁ ଅଧିକ ୩ ଟଙ୍କା ସହ ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା
୫ ବର୍ଷରେ ଦୁଗ୍ଧ ଉତ୍ପାଦନ ଦ୍ବିଗୁଣିତ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଲୋକସେବା ଭବନରେ ରାଜ୍ୟସ୍ତରୀୟ ବିଶ୍ୱ ଦୁଗ୍ଧ ଦିବସ-୨୦୨୫ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୦୨୪-୨୫ ଆର୍ଥିକ ବର୍ଷରେ ‘ମୁଖ୍ୟମନ୍ତ୍ରୀ କାମଧେନୁ’ ଯୋଜନାରେ ପ୍ରାୟ ୩ ଲକ୍ଷ ଗୋପାଳକଙ୍କୁ ୭୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ। ରାଜ୍ୟର ୭୭ଟି ପଞ୍ଜୀକୃତ ଗୋଶାଳାରେ ଅସହାୟ ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରାଣୀ କଲ୍ୟାଣ ସଂଗଠନମାନଙ୍କୁ ୧୦.୫ କୋଟି ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରିଥିଲେ। ଏହି ଅବସରରେ ଓମ୍‌ଫେଡ୍‌ର ବାଲ୍‌ଟି ଦହି, ଏ-୨ ମିଲ୍‌କ, ଏ-୨ ଘିଅ ଲୋକାର୍ପିତ ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦୁଗ୍ଧ ଉତ୍ପାଦନ ଆମ ଗ୍ରାମୀଣ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ। ଏହା ଆମ ସମାଜରେ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ଆମ ରାଜ୍ୟରେ ୨୦୨୩-୨୪ ବର୍ଷରେ ୨୬.୪ ଲକ୍ଷ ମେଟ୍ରିକ୍‌ ଟନ୍ ଦୁଗ୍ଧ ଉତ୍ପାଦିତ ହୋଇଥିବା ବେଳେ ଏହାକୁ ଆଗାମୀ ୫ ବର୍ଷରେ ଦ୍ବିଗୁଣିତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସରତ। ସେଥିପାଇଁ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଆରମ୍ଭ ହୋଇଛି। ଏଥିରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩ ଲକ୍ଷ ହିତାଧିକାରୀ ୭୧ କୋଟି ଟଙ୍କାର ଅନୁଦାନ ରାଶି ପାଇ ଉପକୃତ ହୋଇସାରିଲେଣି। ସେହିପରି ନୂତନ ଗୋଶାଳା ପ୍ରତିଷ୍ଠା ଓ ପଞ୍ଜୀକୃତ ଗୋଶାଳାକୁ ସହାୟତା ଲକ୍ଷ୍ୟରେ ଆମ ସରକାର ୧୮୬ କୋଟି ଟଙ୍କା ବ୍ୟୟ-ଅଟକଳରେ ‘ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ବୁଲା ଓ ଅସହାୟ ଗୋରୁଗାଈଙ୍କ ଖାଦ୍ୟ, ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ପଞ୍ଜୀକୃତ ଗୋଶାଳାଗୁଡ଼ିକୁ ଗୋରୁ ପିଛା ଦୁଇଟି କିସ୍ତିରେ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ଗତ ନଭେମ୍ବର ମାସରେ ୬୮ଟି ଗୋଶାଳାକୁ ୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୭୭ଟି ଗୋଶାଳାକୁ ୧୦.୫ କୋଟି ଟଙ୍କାର ଅନୁଦାନ ଆଜି ଦିଆଯାଇଛି। ଏହି ଅର୍ଥ ରାଜ୍ୟର ପ୍ରାୟ ୨୨ ହଜାର ନିରାଶ୍ରୟ ଗୋରୁଗାଈଙ୍କ ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ଥିଲେ। ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଦେଇଥିଲେ।