ଓମ୍‌ଫେଡ୍‌ ପଲିଥିନ୍ ପାଉଚ୍ କିଣା ମାମଲା : ‘୪ ରିପୋର୍ଟକୁ ଅଣଦେଖା କରିଛନ୍ତି ଲୋକାୟୁକ୍ତ’

ଭୁବନେଶ୍ବର : ଓମ୍‌ଫେଡ୍‌ରେ ପଲିଥିନ୍ ପାଉଚ୍ କିଣା ଦୁର୍ନୀତି ଅଭିଯୋଗ ମାମଲାରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ କ୍ଲିନଚିଟ୍ ଦେଇଛନ୍ତି ଲୋକାୟୁକ୍ତ। ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ। ୪ଟି ରିପୋର୍ଟକୁ ଲୋକାୟୁକ୍ତ ଅଣଦେଖା କରିଥିବା ଅଭିଯାନ ପକ୍ଷରୁ ଅଭିଯୋଗ ହୋଇଛି। ତେଣୁ ଲୋକାୟୁକ୍ତଙ୍କ ନିର୍ଦେଶନାମା ବିରୋଧରେ ହାଇକୋର୍ଟରେ କେସ୍ ଦାଖଲ କରାଯିବ ବୋଲି ଅଭିଯାନ ପକ୍ଷରୁ କୁହାଯାଇଛି।

ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ କହିଲେ, ଦୁଇ ଜଣ ବରିଷ୍ଠ ପ୍ରଶାସକ ମଧୁସୂଦନ ପାଢ଼ୀ ଓ ସି.ଏସ୍‌ କୁମାର, ଓମ୍‌ଫେଡ୍‌ ବୋର୍ଡର ନିଷ୍ପତ୍ତି ଓ ଏଜି ଅଡିଟ ରିପୋର୍ଟକୁ ଲୋକାୟୁକ୍ତ ଅଣଦେଖା କରିଛନ୍ତି। ଓମ୍‌ଫେଡ୍‌ ପଲିଥିନ୍ ପାଉଚ୍ କିଣାରେ ‌ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ପଶୁ ସଂପଦ ବିଭାଗକୁ ମୁଖ୍ୟ ଶାସନ ସଚିବ ୨୦୧୭ରେ ଦାୟିତ୍ବ ଦେଇଥିଲେ। ହେଲେ ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ସେହି ବ୍ୟକ୍ତି ଅର୍ଥାତ୍ ଶ୍ରୀ ସେଠୀ ଏହାର ସଚିବ ରହିଥିଲେ। ଏପରିକି ଓମ୍‌ଫେଡ୍‌ର ସଭାପତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦୁର୍ନୀତିର ତଦନ୍ତ ଦାବି କରିଥିଲେ। ତେଣୁ ଏସବୁ ରିପୋର୍ଟକୁ ଲୋକାୟୁକ୍ତ ଅଣଦେଖା କରିଥିବାରୁ ଆଗାମୀ ଦିନରେ ହାଇକୋର୍ଟଙ୍କ ଆଶ୍ରୟ ନେବୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ ସୁଧୀର ମହାନ୍ତି, ସର୍ବେଶ୍ବର ବେହୁରା, ଶ୍ରୀକାନ୍ତ ପାକଳ, ଜିତେନ୍ଦ୍ର ସାହୁ ଓ ଦିଲ୍ଲୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର