ଓମ୍‌ଫେଡ୍‌ କଞ୍ଚାମାଲ ପାଇଁ ପୁନଃଟେଣ୍ଡର୍‌ ୬ରେ

ଭୁବନେଶ୍ବର: ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ ୬ ତାରିଖ ଦିନ କଞ୍ଚାମାଲ ପାଇଁ ପୁନଶ୍ଚ ଟେଣ୍ଡର କରାଯିବ ବୋଲି ଓମ୍‌ଫେଡ୍‌ ପକ୍ଷରୁ କୁହଯାଇଛି। ଓମ୍‌ଫେଡ୍‌ ପକ୍ଷରୁ କୁହାଯାଇଛି ଯେ, ଓମ୍‌ଫେଡ଼ ରାଧାଦାମୋଦରପୁର ଗୋଖାଦ୍ୟ କାରଖାନାରେ ୧୮ ପ୍ରତିଶତ ଓ ୨୦ ପ୍ରତିଶତ ପ୍ରୋଟିନ୍ ଥିବା ଦୁଇ ପ୍ରକାର ଗୋଖାଦ୍ୟ ତିଆରି କରୁଛି। ଯାହାର ମୂଲ୍ୟ ରିହାତି ପରେ କେଜି ପ୍ରତି ୧୯ ଟଙ୍କା ଓ ୨୦ ଟଙ୍କା ରହିଛି। ଗୋଖାଦ୍ୟ କେଜି ପ୍ରତି ଓମ୍‌ଫେଡ ୨ଟଙ୍କା ରିହାତିରେ ଚାଷୀମାନଙ୍କୁ ଯୋଗାଇଥାଏ। ଇତିମଧ୍ୟରେ ଓମ୍‌ଫେଡ୍ ଗୋଖାଦ୍ୟ ପାଇଁ ବ୍ୟବହୃତ ବିଭିନ୍ନ କଞ୍ଚାମାଲର ଟେଣ୍ଡର କରିଥିଲେ ମଧ୍ୟ ଟେଣ୍ଡରରେ ବିଡରମାନେ ଆଶାନୁରୂପ ଭାଗ ନେଇନାହାନ୍ତି। ସାଧାରଣତଃ ବର୍ଷାଦିନେ କଞ୍ଚାମାଲ୍‌ର ଦର ଅଧିକ ରହୁଥିବାରୁ ଓମ୍‌ଫେଡ ଗ୍ରୀଷ୍ମଦିନରୁ ହିଁ କଞ୍ଚାମାଲ ସଂଗ୍ରହ କରି ରଖିଥାଏ ଏବଂ ତାହାକୁ ବର୍ଷାଦିନରେ ଉପଯୋଗ କରିଥାଏ। ଏ ବର୍ଷ ପ୍ରଳୟଙ୍କରୀ ‘ଫନି’ ଯୋଗୁଁ ଓମ୍‌ଫେଡ୍ ୨୦୦୦ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଉତ୍ପାଦନ କରି ପ୍ରଭାବିତ ଅଞ୍ଚଳକୁ ଯୋଗାଇଥିଲା। ଯେଉଁଥିପାଇଁ ଓମ୍‌ଫେଡ ପାଖରେ ଗଚ୍ଛିତ ଥିବା କଞ୍ଚାମାଲ୍‌ ସରିଯାଇଥିଲା। ବାତିଲ୍ ହୋଇଥିବା ଟେଣ୍ଡରରେ କଞ୍ଚାମାଲ୍‌ର ଦରରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଯଦି ଓମ୍‌ଫେଡ୍ ସେହି ଦରରେ କଞ୍ଚାମାଲ କିଣି ଗୋଖାଦ୍ୟ ତିଆରି କରିଥାନ୍ତା , ତା’ହେଲେ ଚାଷୀଙ୍କୁ କେଜି ପ୍ରତି ଅଧିକ ୬ ଟଙ୍କା ଦେବାକୁ ପଡ଼ିଥାନ୍ତା। ଏହାକୁ ଦୃଷ୍ଟିରେ ରଖି ଓମ୍‌ଫେଡ୍ କଞ୍ଚାମାଲ ପାଇଁ ଆସନ୍ତା ଅଗଷ୍ଟ ୬ ତାରିଖରେ ପୁନଶ୍ଚ ଟେଣ୍ଡର ଖୋଲିବାର ନିଷ୍ପତ୍ତି ନିଆଯାଇଛି ବୋଲି ଓଏମ୍‌ଫେଡ୍‌ ପକ୍ଷରୁ କୁହଯାଇଛି।

ସମ୍ବନ୍ଧିତ ଖବର