ଭୁବନେଶ୍ୱର : ସମବାୟ ସମିତି ଏବଂ କ୍ଷୀର ଚାଷୀଙ୍କ ମଧ୍ୟରେ ବିବାଦ ଓ ତିକ୍ତତାର ଫଳ ଓମ୍‌ଫେଡ୍‌ ଭୋଗୁଛି। ଓମ୍‌ଫେଡ୍‌କୁ ଦୈନିକ ୭ ଲକ୍ଷ ଲିଟର କ୍ଷୀରର ଆବଶ୍ୟକତା ଥିବା ବେଳେ ଏହି କାରଣରୁ ଦୈନିକ ପାଖାପାଖି ୨ ଲକ୍ଷ ଲିଟର କମ୍‌ ମିଳୁଛି। ଅପରପକ୍ଷେ ପ୍ରାପ୍ୟ କମ୍‌ ମିଳୁ ଥିବାରୁ କିଛି ଚାଷୀ ଅନ୍ୟ ଘରୋଇ ସଂସ୍ଥାକୁ କ୍ଷୀର ବିକି ଦେବା ମଧ୍ୟ ଏହାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି।

Advertisment

publive-image

ସୂଚନା ଅନୁଯାୟୀ, ରାଜ୍ୟରେ ୩୬୦୦ରୁ ଅଧିକ ସମବାୟ ସମିତିରେ ପ୍ରାୟ ୩ ଲକ୍ଷ ୬୩ ହଜାର କ୍ଷୀର ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଜାନୁଆରିରୁ ଏପ୍ରିଲ ମଧ୍ୟରେ ଏହି ଚାଷୀମାନଙ୍କଠାରୁ ୭ ଲକ୍ଷ ଲିଟର କ୍ଷୀର ସଂଗ୍ରହ ହୋଇଥାଏ। ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଦୈନିକ ୪ଲକ୍ଷ ଲିଟର ସଂଗ୍ରହ ହୋଇଥାଏ। ତେବ‌େ ଏହା ପଛରେ ଏକାଧିକ କାରଣ ଥିବା ସାମ୍ନାକୁ ଆସିଛି। ଅନେକ ସମୟରେ ଚାଷୀ ସମବାୟ ସମିତିକୁ କ୍ଷୀର ନଦେଇ ଘରୋଇ କମ୍ପାନିଗୁଡ଼ିକୁ କ୍ଷୀର ଦେବା ଫଳରେ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଓମଫେଡ୍‌ ବିଭିନ୍ନ ସମୟରେ ସେମାନଙ୍କ କ୍ଷୀର ନେଉ ନଥିବା ତଥା ସେମାନଙ୍କୁ କ୍ଷୀରର ଉଚିତ୍‌ ପ୍ରାପ୍ୟ ଦେଉନାହିଁ ବୋଲି କ୍ଷୀର ଚାଷୀମାନେ ଅଭିଯୋଗ କରୁଛନ୍ତି। ଏହି କାରଣରୁ କିଛି ଚାଷୀ ପ୍ରତିବାଦସ୍ବରୂପ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିବାର ଅନେକ ନଜିର ରହିଛି।

publive-image

ଆଉ ଏକ କାରଣ ହେଲା, ସମବାୟ ସମିତି ଏବଂ କ୍ଷୀର ଚାଷୀଙ୍କ ମଧ୍ୟରେ ସମ୍ପର୍କ କିଛି ବର୍ଷ ହେଲା ତିକ୍ତ ହେବାରେ ଲାଗିଛି। ପୂର୍ବରୁ ସମବାୟ ସମିତି ପକ୍ଷରୁ ଚାଷୀମାନଙ୍କୁ ଗୋ-ଖାଦ୍ୟ ପ୍ରଦାନ, ଗୋରୁଙ୍କ ଚିକିତ୍ସା ବ୍ୟବସ୍ଥା, ସ୍ବାସ୍ଥ୍ୟ ଶିବିର ଆଦି ବିଭିନ୍ନ ପ୍ରକାର ଗୋ-ମଙ୍ଗଳମୟ କାର୍ଯ୍ୟକ୍ରମ କରାଯାଉଥିଲା। ମାତ୍ର କିଛି ବର୍ଷ ହେଲା, ତାହା ବନ୍ଦ ପଡ଼ିଛି। ତେଣୁ ସମବାୟ ସମିତି ବିରୋଧରେ ଚାଷୀଙ୍କ ଅସନ୍ତୋଷ ବୃଦ୍ଧି ପାଉଛି। ଅପରପକ୍ଷେ ସମବାୟ ସମିତିଗୁଡ଼ିକରେ କେବଳ ନିର୍ଦ୍ଦିଷ୍ଟ କିଛି ଚାଷୀଙ୍କ ପ୍ରଭାବ ରହୁଛି ଅଭିଯୋଗ ହେଉଛି। ଏଥିଯୋଗୁଁ ଚାଷୀ ଏହି ସମବାୟ ସମିତି ନିକଟରେ ପଞ୍ଜୀକୃତ ହୋଇଥିଲେ ମଧ୍ୟ ସେମାନଙ୍କଠାରୁ ଦୂରେଇ ଯାଉଛନ୍ତି।

୨୦୧୨ ମସିହାରୁ ସମବାୟ ସମିତିଗୁଡ଼ିକରେ ଅଡିଟ୍‌ କରାଯାଇ ନଥିବାରୁ ପ୍ରକୃତରେ ଚାଷୀମାନଙ୍କ ପାଇଁ ଆସୁଥିବା ଟଙ୍କାକୁ ସେମାନେ କେଉଁଠାରେ ଖର୍ଚ୍ଚ କରୁଛନ୍ତି, ତାହା ଜଣାପଡ଼ୁନାହିଁ। ସେହିପରି ପ୍ରାପ୍ୟଜନିତ କିଭଳି ସମସ୍ୟା ରହୁଛି ଯେ ଚାଷୀ ସମବାୟ ସମିତିକୁ କ୍ଷୀର ନଦେଇ ଘରୋଇ କମ୍ପାନିକୁ ଦେବା ପାଇଁ ଚାହୁଛି, ତାହା ମଧ୍ୟ ବୁଝିବାକୁ କେହି ନାହାନ୍ତି।

publive-image Facebook

ଏ ସଂପର୍କରେ ଓମ୍‌ଫେଡ୍‌ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ପୂର୍ବ ଭଳି ସ୍ଥିତି ନାହିଁ। କଟକରେ ମେଗା ଓମଫେଡ୍‌ ଡାଏରି ପ୍ଲାଣ୍ଟ ହେବା ପରେ ୧୦ଲକ୍ଷ ଲିଟର ପର୍ଯ୍ୟନ୍ତ ଚାଷୀ କ୍ଷୀର କଲେ ମଧ୍ୟ ଏହାକୁ କ୍ରୟ କରାଯାଇପାରିବ। ଏପରିକି ଲକ୍‌ଡାଉନ୍‌ରେ ସବୁ ଦୋକାନ ବନ୍ଦ ହୋଇଗଲେ ମଧ୍ୟ ଚାଷୀଙ୍କ ଅସୁବିଧା ହେବ ନାହିଁ। ତେଣୁ ଏଭଳି ଅବସ୍ଥାରେ ରାଜ୍ୟରେ ଚାଷୀ କେମିତି ଦୈନିକ କେବଳ ୪ କିମ୍ବା ୭ ଲକ୍ଷ ନୁହେଁ, ଏହାଠୁ ଅଧିକ କ୍ଷୀର ଉତ୍ପାଦନ କରିବେ, ସେଥିପ୍ରତି ଗୁରୁତ୍ବ ଦିଆଯିବା ଉଚିତ। ଅନ୍ୟ ରାଜ୍ୟ ପକ୍ଷରୁ ଚାଷୀମାନଙ୍କୁ ଯେଉଁଭଳି ପ୍ରୋତ୍ସାହନ ରାଶି ଦିଆଯାଉଛି, ଓଡ଼ିଶା ସରକାର ମଧ୍ୟ ସେ ଦିଗରେ ପଦକ୍ଷେପ ନେବା ଉଚିତ। ଆହୁରି ମଧ୍ୟ ଅଙ୍ଗନବାଡି କେନ୍ଦ୍ର ଏବଂ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଭଳି କ୍ଷୀର ଦିଆଗଲେ, ପିଲା ଉପକୃତ ହୋଇପାରିବେ ବୋଲି କୁହାଯାଇଛି।