ଭୁବନେଶ୍ବର: ଶେଷରେ ଓଡ଼ିଶାରେ ପଶିଛି ‘ଓମିକ୍ରନ୍’। ଓଡ଼ିଶାକୁ ଫେରିଥିବା ୨ ବିଦେଶ ଫେରନ୍ତା କରୋନାର ଏହି ନୂଆ ପ୍ରଜାତି ‘ଓମିକ୍ରନ୍‌’ରେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି। ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍ଏସ୍‌) ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଦୁହିଁଙ୍କ ଘର ଜଗତସିଂହପୁରରେ। ଜଣେ କଟକରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ପାରାଦୀପ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆରୁ ଆସିଥିବା ବେଳେ ଅନ୍ୟ ଜଣେ କତାରରୁ ଫେରିଛନ୍ତି। ଜଣଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିବା ଅନ୍ୟ ଜଣଙ୍କ ନିକଟରେ କୌଣସି ଲକ୍ଷଣ ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପଜିଟିଭ୍ ଚିହ୍ନଟ ହେଉଥିବା ବିଦେଶ ଫେରନ୍ତାଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ପାଇଁ ଦିନକୁ ଦିନ ବିପଦ ଘନେଇବାରେ ଲାଗିଛି।

Advertisment

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ନାଇଜେରିଆରୁ ଆସିଥିବା ୪୧ବର୍ଷୀୟ ଆକ୍ରାନ୍ତ କଟକର ଏକ ହୋଟେଲ୍‌ରେ ପୃଥକ୍‌ବାସରେ ରହିଥିଲେ। ସେଠାରେ ତାଙ୍କ ନମୁନା ସଂଗ୍ରହ ହୋଇଥିଲା। ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ସ୍ଥାନୀୟ ‌କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେହିପରି କତାରରୁ ମୁମ୍ବାଇ ଜରିଆରେ ରାଜ୍ୟକୁ ‌ଆସିଥିବା ୪୩ବର୍ଷୀୟ ଆକ୍ରାନ୍ତ ଭୁବନେଶ୍ବରକୁ ଆସିବା ପରେ ଟାକ୍ସିରେ ଜଗତସିଂହପୁରକୁ ଯାଇଥିଲେ। ନମୁନା ପରୀକ୍ଷା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ଦୁଇ ଆକ୍ରାନ୍ତଙ୍କ ନମୁନା ଜିନ୍ ଅନୁଶୀଳନ ପାଇଁ ଆଇଏଲଏସ୍‌କୁ ପଠାଯାଇଥିବା ବେଳେ ଦୁହେଁ ‘ଓମିକ୍ରନ୍’ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ନାଇଜେରିଆ ଫେରନ୍ତାଙ୍କ ସଂସ୍ପର୍ଶରେ ୧୦ଜଣ ଆସିଥିବା ବେଳେ କତାର ଫେରନ୍ତାଙ୍କ ସଂସ୍ପର୍ଶରେ ୧୧ଜଣ ଆସିଛନ୍ତି। ସେମାନଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା‌ଯାଇଥିବା ବେଳେ ସମସ୍ତଙ୍କ ନମୁନା ନେଗେଟିଭ୍ ରହିଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ଦୁଇ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେମାନେ ବିଦେଶରୁ ଆସିବା ପରେ ପୃଥକବାସରେ ରହିଥିଲେ। ଦୁହିଁଙ୍କ ସଂସ୍ପର୍ଶରେ ଆସିଥିବା ୨୧ଜଣଙ୍କ ଉପରେ ନଜର ରଖାଯାଇଛି। ଗତ ନ‌ଭେମ୍ବର ୨୧ତାରିଖ ପରେ ରାଜ୍ୟକୁ ଫେରୁଥିବା ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଥିଲା। ଏ ପର୍ଯ୍ୟନ୍ତ ୮ହଜାର ୮ଶହ ବିଦେଶ ଫେରନ୍ତା ଆସିଛନ୍ତି। ଓମିକ୍ରନ୍ ଆଟ୍‌ ରିସ୍କ ଦେଶରୁ ପ୍ରାୟ ୧୬ଶହ ଜଣ ଫେରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପଜିଟିଭ୍ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତ ଓମିକ୍ରନ୍‌ରେ ଆକ୍ରାନ୍ତ ନ ଥିବା ସ୍ପଷ୍ଟ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଜିନ୍ ଅନୁଶୀଳନରୁ ୨ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଡା.ମିଶ୍ର କହିଛନ୍ତି।
ଅପରପକ୍ଷରେ ରାଜ୍ୟରେ ମୋଟ ୧୨ଜଣ ବିଦେଶ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ଏଥିରେ ଭୁବନେଶ୍ବର, ସୁନ୍ଦରଗଡ଼, ମୟୂରଭଞ୍ଜରୁ ରହିଛନ୍ତି। ଭୁବନେଶ୍ବରରୁ ୨ ବିଦେଶ ଫେରନ୍ତା ପଜିଟିଭ୍ ଚିହ୍ନଟ ହେବା ପରେ ବମିଖାଲ ଜୟଦୁର୍ଗା ନଗରକୁ ବିଏମ୍‌ସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହାସହ ନାଇଜେରିଆ ଆକ୍ରାନ୍ତଙ୍କୁ ସାକ୍ଷାତ କରିବାକୁ ଆସିଥିବା ତାଙ୍କର ଜଣେ ସଂପର୍କୀୟଙ୍କ ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି। ଜିନ୍ ଅନୁଶୀଳନ ପରେ ଏମାନେ ‘ଓମିକ୍ରନ୍’ରେ ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ। ଏହାସହ ରାଜ୍ୟବ୍ୟାପୀ ଆରଟି-ପିସିଆର ନମୁନାରେ ପଜିଟିଭ୍ ଚିହ୍ନଟ ହେଉଥିବା ସମସ୍ତ ଆକ୍ରାନ୍ତଙ୍କ ନମୁନା ଜିନ୍ ଅନୁଶୀଳନ ପାଇଁ ପଠାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଲ୍ୟାବ୍‌ମାନଙ୍କୁ ନିର୍ଦେଶ ଦିଆଯାଇଛି।

ରାଜ୍ୟରେ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ଓମିକ୍ରନ୍‌ର ମୁକାବିଲା ଦିଗରେ ବିଭାଗ କିଭଳି ପ୍ରସ୍ତୁତି କରାଯାଇଛି ଓ ଯଦି ଆଗାମୀ ଦିନରେ କରୋନାର ତୃତୀୟ ଲହର ଆସେ ତାହାଲେ କିଭଳି ଏହାର ମୁକାବିଲା କରାଯିବ ତାହା ସଂପର୍କରେ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କ ସହିତ ସ୍ବାସ୍ଥ୍ୟ ବିଭାଗର ମଧ୍ୟ ‌ବୈଠକ ବସିବ ବୋଲି ସୂଚନା ମିଳିଛି।