ରାଜ୍ୟରେ କାୟା ମେଲାଉଛି ଓମିକ୍ରନ; ଦିନକରେ ୨୩ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୩୭କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ ବଢ଼ିଯାଇଛି । ଗୋଟିଏ ଦିନରେ ୨୩ ଜଣ ଚିହ୍ନଟ ହୋଇଛନ୍ତି । ସବୁଠୁ ଚିନ୍ତାଜନକ କଥା ହେଉଛି, ଅଧା ଓମିକ୍ରନ ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । କେନ୍ଦୁଝରରୁ ସର୍ବାଧିକ ୭ ଜଣ, ଖୋର୍ଦ୍ଧାରୁ ୪ ଜଣ, ସମ୍ବଲପୁର ଓ ପୁରୀରୁ ୩ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ ଓ ଅନୁଗୁଳରୁ ୨ ଜଣ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ଓ ବାଲେଶ୍ୱରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇଲେ ରାଜ୍ୟରେ ମୋଟ ଓମିକ୍ରନ ସଂକ୍ରମଣ ୩୭ରେ ପହଞ୍ଚିଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ତେବେ ବିଶେଷଜ୍ଞ ଡାକ୍ତରଙ୍କ କହିବା କଥା, ରାଜ୍ୟରେ ଧୀରେ ଧୀରେ ଡେଲଟାକୁ ପଛରେ ପକାଉଛି ଓମିକ୍ରନ । ଜିନୋମ ସିକ୍ୱେନସିଂ କମ୍ ହେଉଥିବାରୁ କେତେ ସଂଖ୍ୟାରେ ଓମିକ୍ରନ ସଂକ୍ରମଣ ହେଉଛି, ତାହା ସଠିକ୍ ଆକଳନ କରାଯାଇପାରୁନାହିଁ ।

ଓଡ଼ିଶାରେ ୩୭ରେ ପହଞ୍ଚିଲା ଓମିକ୍ରନ । ଗୋଟିଏ ଦିନରେ ଆସିଲା ୨୩ ମାମଲା । ଡିସେମ୍ବର ୨୧ ତାରିଖରେ ଓଡ଼ିଶାରେ ପ୍ରଥମ ଓମିକ୍ରନ ଆକାନ୍ତ ଚିହ୍ନଟ ହୋଇଥିଲା । ଏହାରି ଭିତରେ ୧୨ ଦିନ ବିତିଯାଇଛି । ରାଜ୍ୟରେ ୩୭ରେ ପହଞ୍ଚିଯାଇଛି ଓମିକ୍ରନ ମାମଲା । କେବଳ ଜାନୁଆରୀ ୨ ତାରିଖରେ ୨୩ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଅଧା ବିଦେଶୀ ଫେରନ୍ତା ଥିବା ବେଳେ ଅଧା ରହିଛି ସ୍ଥାନୀୟ ସଂକ୍ରମଣ । ଯାହା ଜଣାପଡୁଛି ଧୀରେ ଧୀରେ ରାଜ୍ୟରେ କାୟା ମେଲାଇ ଚାଲିଛି ଓମିକ୍ରନ । ତେବେ ଆଶ୍ୱସ୍ତିର କଥା ହେଉଛି, ଓମିକ୍ରନ ଆକ୍ରାନ୍ତ ଗୁରୁତର ନାହାନ୍ତି । ସେମାନଙ୍କ ଠାରେ ସ୍ୱଳ୍ପ ଲକ୍ଷଣ କିମ୍ବା ଆଦୌ ଲକ୍ଷଣ ନଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଓଡ଼ିଶାରେ ଓମିକ୍ରନ ମାମଲା

ଜାନୁଆରି ୨ – ୨୩
ଡିସେମ୍ବର ୩୦ – ୫
ଡିସେମ୍ବର ୨୯ – ୧
ଡିସେମ୍ବର ୨୬ – ୪
ଡିସେମ୍ବର ୨୩ – ୨
ଡିସେମ୍ବର ୨୧ – ୨

ବଢୁଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା । ଡେଲଟାକୁ ହଟାଉଛି କି କରୋନାର ନୂଆ ପ୍ରଜାତି? ଡିସେମ୍ବର ଶେଷ ସପ୍ତାହରୁ ରାଜ୍ୟରେ ପୁଣି ଥରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହା ସହ ବଢ଼ିଚାଲିଛି ଓମିକ୍ରନ ସଂକ୍ରମଣ । ଡେଲଟା ଭୂତାଣୁ ସବୁଠୁ ଅଧିକ ପ୍ରଭାବଶାଳୀ ଥିବା ବେଳେ ସଂକ୍ରମଣ କମ୍ ରହିଥିଲା । ଏବେ ସଂକ୍ରମଣ ପୁଣି ବଢୁଥିବାରୁ ଓମିକ୍ରନ ଯୋଗୁଁ ଏହା ହେଉଥିବା ଆଶଙ୍କା ପ୍ରକାଶ ପାଇଛି ।

ରାଜ୍ୟରେ ସଂକ୍ରମଣ ବଢ଼ିବା ସହ ଦ୍ରୁତ ଗତିରେ ବଢ଼ିଚାଲିଛି ଟେଷ୍ଟ ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର । ରବିବାର ଦିନ ସଂକ୍ରମଣ ହାର ରହିଛି ୦.୬୮ ପ୍ରତିଶତ । ଯାହା ୮ ଦିନ ତଳେ ଅର୍ଥାତ ଡିସେମ୍ବର ୨୭ ତାରିଖ ଦିନ ମାତ୍ର ୦.୨୨ ପ୍ରତିଶତ ଥିଲା । ସଂକ୍ରମଣ ହାର ହଠାତ ବୃଦ୍ଧି ପାଇବା ଚିନ୍ତା ବଢ଼ାଇଛି । ରାଜ୍ୟରେ ଜିନୋମ ସିକ୍ୱେନ୍ସି ଅଧିକ ସଂଖ୍ୟାରେ ହୋଇପାରୁନାହିଁ । ତେଣୁ ଓମିକ୍ରନ ମାମଲା କେତେ କାୟା ମେଲାଇଲାଣି ତାହା ଠିକ୍ ଭାବେ ଆକଳନ ହୋଇ ପାରୁନାହିଁ । ବିଶେଷଜ୍ଞଙ୍କ କହିବା କଥା ଡେଲଟାକୁ ପଛରେ ପକାଇ ପ୍ରଭାବଶାଳୀ ହେଉଛି ଓମିକ୍ରନ ।

ତାରିଖ ପରୀକ୍ଷା ସଂକ୍ରମଣ ସଂକ୍ରମଣ ହାର

ଜାନୁଆରି ୨: ୬୧, ୪୫୧ ୪୨୪- ୦.୬୮%
ଜାନୁଆରି ୧: ୬୨, ୨୧୪ ୨୯୮- ୦.୪୭%
ଡିସେମ୍ବର ୩୧: ୬୧, ୨୭୭ ୨୨୮- ୦.୩୭%
ଡିସେମ୍ବର ୩୦: ୬୨, ୧୯୨ ୨୨୫- ୦.୩୬%
ଡିସେମ୍ବର ୨୯: ୬୩, ୨୯୦ ୨୨୧- ୦.୩୪%
ଡିସେମ୍ବର ୨୮: ୫୧, ୮୪୨ ୧୫୬- ୦.୩୦%
ଡିସେମ୍ବର ୨୭: ୫୫, ୦୮୪ ୧୨୩- ୦.୨୨%

ସମ୍ବନ୍ଧିତ ଖବର