ଭୁବନେଶ୍ୱର : ରାଜ୍ୟରେ କରୋନାର ଘାତକ ପ୍ରଜାତି ଡେଲ୍‌ଟାକୁ ଓମିକ୍ରନ୍ ପଛରେ ପକାଇ ଦେଇଛି। ନିକଟରେ ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସ୍‌ରେ ହୋଇଥିବା ଜିନୋମ ସିକ୍ବେନ୍ସିଂରେ ୯୭ ପ୍ରତିଶତ ପର୍ଯ୍ୟନ୍ତ ଓମିକ୍ରନ୍ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଜାନୁଆରି ୨୭ତାରିଖରୁ ଫେବ୍ରୁଆରି ୫ ତାରିଖ ଭିତରେ ସଂଗ୍ରହ ହୋଇଥିବା ନମୁନାରୁ ଡେଲ୍‌ଟା ଉପରେ ଓମିକ୍ରନ୍ ପ୍ରଭାବ ବିସ୍ତାର କରିଥିବା ସ୍ପଷ୍ଟ ହୋଇଛି। ଡେଲ୍‌ଟା ତୁଳନାରେ ଓମିକ୍ରନ୍‌ରେ ଅଧିକ ସଂକ୍ରମଣ ହେଉଥିଲେ ହେଁ କମ୍ ମୃତ୍ୟୁ ହେଉଥିବାରୁ ରାଜ୍ୟ ପାଇଁ ଏକପ୍ରକାର ଆଶ୍ବସ୍ତି ଆଣିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ୨୪୧ ନମୁନାରୁ ୨୩୫ଟି ନମୁନାରେ ଓମିକ୍ରନ୍ ପ୍ରଜାତି ରହିଛି। ୬ଟି ଡେଲ୍‌ଟାକୁ ଚିହ୍ନଟ କରାଯାଇଛି। ୨୩୫ ଓମିକ୍ରନ୍ ପ୍ରଜାତି ଭିତରୁ ୨୧୭ଟିରେ ଏହାର ଉପ-ପ୍ରଜାତି ବିଏ.୨, ୬ଟି ବିଏ.୧ ଓ ୧୨ଟି ବି.୧.୧.୫୨୯ ଚିହ୍ନଟ ହୋଇଛି। ତେଣୁ କେବଳ ଓମିକ୍ରନ୍ ନୁହେଁ, ଏହାର ଏକ ଉପ-ପ୍ରଜାତି ବିଏ.୨ ମଧ୍ୟ ରାଜ୍ୟରେ ବେଶ୍‌ ପ୍ରଭାବ ବିସ୍ତାର କରିଥିବା ନମୁନା ପରୀକ୍ଷାରୁ ଜଣାପଡ଼ିଛି। କିଛିଦିନ ପୂର୍ବରୁ ଜିନୋ‌ମ ସିକ୍ବେନ୍ସିଂରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ନମୁନାରେ ଓମିକ୍ରନ୍‌ ପଜିଟିଭ୍ ଚିହ୍ନଟ କରାଯାଇଥିଲା। ତେବେ ରାଜ୍ୟ ସରକାର କିଣିଥିବା ଓମିସିଓର କିଟ୍‌ରେ କେତେ ପ୍ରତିଶତ ପର୍ଯ୍ୟନ୍ତ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ତାହା ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

publive-image Image Courtesy of Republic World

ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ଡା.ତ୍ରିଭୁବନ ମହାପାତ୍ର କହିଛନ୍ତି, ଓମିକ୍ରନ୍‌ର ଉପ-ପ୍ରଜାତି ବିଏ.୨ ଦ୍ରୁତ ସଂକ୍ରମଣ କରିବାରେ ସକ୍ଷମ। ବିଶ୍ବର ୫୦ରୁ ଅଧିକ ଦେଶରେ ଏହି ଉପ-ପ୍ରଜାତିକୁ ଚିହ୍ନଟ କରାଯାଇ ସାରିଲାଣି। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓ ଏହାକୁ ଚିନ୍ତାଚନକ ଭାରିଏଣ୍ଟ ବୋଲି ଏ ପର୍ଯ୍ୟନ୍ତ ଘୋଷଣା କରିନାହିଁ। ତେଣୁ ବିଏ.୨ରେ ଅଧିକ ମୃତ୍ୟୁ ହେଉଛି କି ନାହିଁ ତାହାର ଅଧିକ ତର୍ଜମାର ଆବଶ୍ୟକତା ରହିଛି। ଓଡ଼ିଶାରେ ଏବେ ବି ଡେଲ୍‌ଟା ପ୍ରଜାତି ରହିଛି। ‌ମାତ୍ର ଯେଉଁସବୁ ମୃତ୍ୟୁ ହୋଇଛି ସେସବୁର ଜିନୋମ ସିକ୍ବେନ୍ସିଂ କରାଗଲେ ସଂପୃକ୍ତ ବ୍ୟକ୍ତି ଜଣକ ଡେଲ୍‌ଟା, ଓମିକ୍ରନ୍ କିମ୍ବା ଓମିକ୍ରନ୍‌ର ଉପ-ପ୍ରଜାତି ବିଏ.୨ରେ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରିବ ବୋଲି ଡା.ମହାପାତ୍ର କହିଛନ୍ତି।
ଅପରପକ୍ଷରେ ରାଜ୍ୟରେ ପୁରୁଣା କୋଭିଡ ମୃତ୍ୟୁ ଘୋଷଣା ଜାରି ରହିଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୨୧ଜଣ ପ୍ରାଣ ହରାଇଥିବା କୁହାଯାଇଛି। ଚଳିତମାସ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୨୦୬ଜଣଙ୍କ ମୃତ୍ୟୁ ଘୋଷଣା ହୋଇ ସାରିଲାଣି।

ଆହୁରି କେତେଦିନ ପର୍ଯ୍ୟନ୍ତ ପୁରୁଣା କୋଭିଡ ମୃତ୍ୟୁ ଘୋଷଣା ଜାରି ରହିବ ତାହା ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୮୮୧୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ସଂକ୍ରମଣ ଶୀର୍ଷକୁ ଛୁଇଁବାର ୬/୭ ସପ୍ତାହ ପରେ ମୃତ୍ୟୁ ସଂଖ୍ୟା କମିଥାଏ। ଏବେ ବି ବହୁ ରୋଗୀ ଆଇସିୟୁ ଓ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ଏପରିକି ୭୦ରୁ ଅଧିକ ଭେଣ୍ଟିଲେଟରରେ ରହିଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ଏଭଳି ଜାରି ରହିବ। ନୂଆ ପ୍ରଜାତି ବିଷୟରେ ଏବେଠାରୁ କହିବା ଠିକ୍ ହେବ ନାହିଁ। କରୋନାର ଭିନ୍ନ ଭିନ୍ନ ପ୍ରଜାତି ରହିବ ଓ ଭୂତାଣୁ ଥିବା ପର୍ଯ୍ୟନ୍ତ ପ୍ରଜାତି ବି ବଦଳିବ। ମାତ୍ର ଏହା ଅଧିକ ଘାତକ ହେବ କି ନାହିଁ ସେ ସଂପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପାଖରେ ବିଶେଷ ତଥ୍ୟ ନାହିଁ। ପ୍ରମାଣିକ ତଥ୍ୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଜରୁରୀ ବୋଲି ଡା.ମହାପାତ୍ର କହିଛନ୍ତି।

ରାଜ୍ୟରେ ଲଗାତାର ଚତୁର୍ଥ ଦିନ ଲାଗି ଦୈନିକ ସଂକ୍ରମଣ ୨ହଜାର ତଳେ ସ୍ଥିର ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୪୮୦ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧାରୁ ସର୍ବାଧିକ ୧୬୩, ସୁନ୍ଦରଗଡ଼ ୧୩୯, କଟକ ୧୩୩, ନୟାଗଡ଼ ୫୯, ନୂଆପଡ଼ା ୫୭, କୋରାପୁଟ ୫୮, ଯାଜପୁର ୭୩, ଅନୁଗୁଳ ୭୨, ଗଜପତି-ଜଗତସିଂହପୁର ୪୩ ଲେଖାଏ ଓ ଷ୍ଟେଟ୍‌ ପୁଲରୁ ୩୬ ଆକ୍ରାନ୍ତ ବାହାରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୭୩ହଜାର ୩କୁ ବୃଦ୍ଧି ପାଇଛି।