ଭୁବନେଶ୍ବର: ରାଜ୍ୟରେ ‘ଓମିକ୍ରନ୍’ ସ୍ଥିତି ଯେ କୌଣସି ମୁହୂର୍ତରେ ବିଗିଡ଼ି ଯାଇପାରେ। ବିଦେଶ ଫେରନ୍ତାଙ୍କ ସୂଚନାକୁ ନେଇ ସରକାରଙ୍କ ରହସ୍ୟଜନକ ନିରବତା ଏଭଳି ଚିତ୍ର ବୟାନ କଲାଣି। ଗତ ୧ମାସ ଭିତରେ ରାଜ୍ୟକୁ କେତେ ସଂଖ୍ୟକ ବିଦେଶ ଫେରନ୍ତା ଆସିଛନ୍ତି, ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଠାବ କରାଯାଇ ନମୁନା ପରୀକ୍ଷା ହୋଇଛି ତାହାର କୌଣସି ସୂଚନା ଦିଆଯାଉନାହିଁ। କେବଳ ସେତିକି ନୁହେଁ, କେତେ ଜଣ ଘରକୁ ଫେରି ପୁଣିଥରେ ରାଜ୍ୟ ବାହାରକୁ ପଳାଇଛନ୍ତି ତାହାର ମଧ୍ୟ ତଥ୍ୟ କାହା ପାଖରେ ନାହିଁ। ହେଲେ ଅତ୍ୟନ୍ତ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୧ମାସ ଭିତରେ ଓଡ଼ିଶାକୁ ଆସିଥିବା ୪୦ ପ୍ରତିଶତ ଫେରନ୍ତାଙ୍କ ନମୁନା ପରୀକ୍ଷା ସମ୍ଭବ ହୋଇପାରିଛି। ରାଜଧାନୀରେ ଏହି ଚିତ୍ର ଆହୁରି ଖରାପ ବୋଲି କୁହାଯାଉଛି। ତେଣୁ ଅନ୍ୟ ବିଦେଶ ଫେରନ୍ତାଙ୍କ ସ୍ଥିତି ଏବେ କ’ଣ? ସେମାନେ ଏବେ କେଉଁଠି ଅଛନ୍ତି ? ଅନ୍ୟମାନଙ୍କୁ ସଂକ୍ରମିତ କରି ସାରିଲେଣି କି? ଏଭଳି ପୁଳା ପୁଳା ପ୍ରଶ୍ନ ଏବେ ଜନସାଧାରଣଙ୍କ ମନରେ ଉଙ୍କି ମାରିଲାଣି। ତେଣୁ ବିଦେଶ ଫେରନ୍ତାଙ୍କୁ ନେଇ ସରକାର ସ୍ପଷ୍ଟ ଚିତ୍ର ରଖିବା ଲାଗି ଦାବି ହେଉଛି।

Advertisment

ନିର୍ଦେଶନାମା ଜାରି କରି ସରକାର ଚୁପ
୬୦ ପ୍ରତିଶତଙ୍କ ସଂପର୍କରେ ଖବର ନାହିଁ
ପଜିଟିଭ୍ ଚିହ୍ନଟ ହେଲେଣି ୧୮ ବିଦେଶ ଫେରନ୍ତା
ଖୁବଶୀଘ୍ର ହଟିବ ‘ଆଟ୍‌ ରିସ୍କ୍‌’ ଦେଶ ତାଲିକା

କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’କୁ ଏକ ଚିନ୍ତାଜନକ ପ୍ରଜାତି ଘୋଷଣା ହେବା ପରେ ବିଦେଶ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିଥିଲା। ଗତମାସ ନଭେମ୍ବର ୨୧ତାରିଖ ପରଠାରୁ ରାଜ୍ୟକୁ ୯ହଜାରରୁ ଅଧିକ ବିଦେଶ ଫେରନ୍ତା ଆସିଛନ୍ତି। ତହିଁରୁ ସାଢ଼େ ୩ହଜାରରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ଏଥିରେ ୧୮ଜଣ ପଜିଟିଭ୍ ଚିହ୍ନଟ ହୋଇ ସାରିଛନ୍ତି। ପଜିଟିଭ୍‌ଙ୍କ ମଧ୍ୟରୁ ୪ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିବା ବେଳେ ଆଉ ୪ଟି ନମୁନାର ଜିନ୍ ଅନୁଶୀଳନ କରାଯାଉଛି। ଦେଶରେ ଏବେ ୧୧ଟି ଦେଶକୁ ଓମିକ୍ରନ୍ ‘ଆଟ୍ ରିସ୍କ୍’ ଭାବେ ବିବେଚନା କରାଯାଉଛି। ମାତ୍ର ନାଇଜେରିଆ ଏହି ତାଲିକାରେ ନ ଥିଲେ ମଧ୍ୟ ରାଜ୍ୟରେ ଏକାଧିକ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ଥିବା ଘୋଷଣା ହୋଇଛି। ତେଣୁ ସବୁ ବିଦେଶ ଫେରନ୍ତାଙ୍କୁ ଚିହ୍ନଟ କରି ସେମାନଙ୍କ ନମୁନା ପରୀକ୍ଷା କରିବା ଜରୁରୀ ହୋଇ ପଡ଼ିଛି। ରାଜ୍ୟର କେନ୍ଦ୍ରାପଡ଼ା, ଭୁବନେଶ୍ବର, ସୁନ୍ଦରଗଡ଼ ଭଳି ଜିଲ୍ଲାକୁ ସର୍ବାଧିକ ସଂଖ୍ୟକ ବିଦେଶ ଫେରନ୍ତା ଆସିଛନ୍ତି। ହେଲେ ଭୁବନେଶ୍ବରରେ ବହୁତ କମ୍ ସଂଖ୍ୟକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଯଦିଓ ନିକଟରେ ବିଏମ୍‌ସି-ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଏ ସଂପର୍କିତ ବୈଠକ ବସିଥିଲା। ଏହାପରେ ମଧ୍ୟ ଏଥିରେ ବିଶେଷ ପରିବର୍ତନ ଦେଖିବାକୁ ମିଳିନାହିଁ। ରାଜଧାନୀରେ ଏ ପର୍ଯ୍ୟନ୍ତ ୩ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି। ତହିଁରୁ ୨ଜଣ ଓମିକ୍ରନ୍ ଚିହ୍ନଟ ହୋଇ ସାରିଲେଣି। ତେଣୁ ସମସ୍ତ ବିଦେଶ ଫେରନ୍ତାଙ୍କ ଅଷ୍ଟମ ଦିନରେ ନମୁନା ପରୀକ୍ଷା କରିବା ଲାଗି ବିଏମ୍‌ସି ପକ୍ଷରୁ କ’ଣ ପଦକ୍ଷେପ ନିଆଯାଉଛି ତାହା ସଂପର୍କରେ ବିଏମ୍‌ସି ପକ୍ଷରୁ କିଛି ସୂଚନା ଦିଆଯାଉ ନାହିଁ।

ନାମ ଗୋପନ ରଖିବା ସର୍ତରେ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ବିଦେଶରୁ ଫେରିଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ଅଷ୍ଟମ ଦିନରେ ନମୁନା ପରୀକ୍ଷା କରିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି। ଅନେକ ଜିଲ୍ଲାରେ ଲୋକମାନେ ପରୀକ୍ଷା ପାଇଁ ଲୁଚିବା, ଭୁଲ୍‌ ଠିକଣା ଦେଉଥିବା କାରଣରୁ ଏଥିରେ ସମସ୍ୟା ସୃଷ୍ଟି ହେଉଛି। ଏପରିକି ପଜିଟିଭ୍ ହେଲେ ମଧ୍ୟ ହସ୍ପିଟାଲକୁ ଆସିବା ପାଇଁ ବିଭିନ୍ନ ନାଟକ କରୁଛନ୍ତି। ତଥାପି ପ୍ରାୟ ୮୦ ପ୍ରତିଶତ ବିଦେଶ ଫେରନ୍ତାଙ୍କୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ଅନ୍ୟମାନଙ୍କ ମଧ୍ୟ ପରୀକ୍ଷା କରାଯିବ। ପଜିଟିଭ୍ ଚିହ୍ନଟ ହେଲେ ଜିନ୍ ଅନୁଶୀଳନ ପାଇଁ ପଠାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଅପରପକ୍ଷରେ ନିକଟରେ କେନ୍ଦ୍ର ସରକାରଙ୍କ ସହିତ ହୋଇଥିବା ରାଜ୍ୟମାନଙ୍କ ବୈଠକରେ ଓମିକ୍ରନ୍‌କୁ ନେଇ ରହିଥିବା ଆଟ୍‌ ରିସ୍କ୍ ଦେଶ ତାଲିକା ହଟାଯିବ ବୋଲି ଆଲୋଚନା ହୋଇଛି। କେନ୍ଦ୍ର ସରକାର ଖୁବଶୀଘ୍ର ଏ ସଂପର୍କିତ ନିର୍ଦେଶନାମା ଜାରି କରିପାରନ୍ତି। ଯାହାଫଳରେ ସମସ୍ତ ବିଦେଶ ଫେରନ୍ତାଙ୍କ ଉପରେ ସରକାରଙ୍କ ନଜର ରହିବ ‌ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି।