ଭୁବନେଶ୍ବର : ଦେଶରେ ‘ଓମିକ୍ରନ୍’ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲାଣି। ଓଡ଼ିଶାର ଦୁଇ ପଡ଼ୋଶୀ ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଯଦିଓ ଓଡ଼ିଶାରେ ଏ ପର୍ଯ୍ୟନ୍ତ ‌ଜଣେ ହେଲେ ଆକ୍ରାନ୍ତ ‘ଓମିକ୍ରନ୍’ରେ ସଂକ୍ରମିତ ଥିବା ନଜରକୁ ଆସିନାହିଁ। ତଥାପି ବିଦେଶ ଫେରନ୍ତାଙ୍କ ଯୋଗୁଁ ଏହି ଆଶଙ୍କା ଲାଗି ରହିଛି। ତେବେ ଯଦି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଏ ତାହାଲେ ତୁରନ୍ତ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ଡିଏମ୍‌ଇଟି ଡା.ରମାରମଣ ମହାନ୍ତି।

Advertisment

ଡା.ମହାନ୍ତି କହିଛନ୍ତି ଯେ ରାଜ୍ୟର ସମସ୍ତ ସୀମାନ୍ତ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। କରୋନାର ତୃତୀୟ ଲହର ଆଶଙ୍କାକୁ ନେଇ ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। ସରକାରଙ୍କ ସହଭାଗିତାରେ ଚାଲିଥିବା କୋଭିଡ ହସ୍ପିଟାଲଗୁଡ଼ିକ ଅକ୍ସିଜେନ, ଔଷଧ ମହଜୁଦ ରହିବା ଲାଗି କୁହଯାଇଥିବା ଡା.ମହାନ୍ତି ସୂଚନା ଦେଇଛନ୍ତି।

publive-image

ଅପରପକ୍ଷରେ ରାଜ୍ୟରେ ‘ଓମିକ୍ରନ୍’ ଆଟ ରିସ୍କ୍ ଦେଶରୁ ଫେରିଥିବା ଯାତ୍ରୀଙ୍କୁ ନେଇ ରହସ୍ୟ ଜାରି ରହିଛି। ଯଦିଓ ଏ ପର୍ଯ୍ୟନ୍ତ ବିଦେଶ ଫେରନ୍ତାଙ୍କ ସଂଖ୍ୟା ୧୫ଶହ ବୋଲି କୁହାଯାଉଛି, ହେଲେ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଠାବ କରାଯାଇ ନମୁନା ପରୀକ୍ଷା କରାଗଲାଣି ତାହା ସଂପର୍କରେ କିଛି ସ୍ପଷ୍ଟ ସୂଚନା ନାହିଁ। ବିଶେଷକରି ରାଜଧାନୀକୁ ସର୍ବାଧିକ ସଂଖ୍ୟକ ବିଦେଶ ଫେରନ୍ତା ଆସିଥିବା ବେଳେ ସେମାନଙ୍କ ସଂପର୍କିତ ତଥ୍ୟ ବିଏମ୍‌ସି ସ୍ବାସ୍ଥ୍ୟ ବିଭାଗକୁ ଦେଇ ନ ଥିବା କୁହାଯାଉଛି। ତାହାକୁ ନେଇ ଆଜି ବିଏମ୍‌ସି-ସ୍ବାସ୍ଥ୍ୟ ବିଭାଗର ବୈଠକ ବସିଛି। ମାତ୍ର ବୈଠକରେ କ’ଣ ଆଲୋଚନା ହେଲା ତାହା ସଂପର୍କରେ ସ୍ବାସ୍ଥ୍ୟ ବିଭାଗ କିମ୍ବା ବିଏମ୍‌ସର ବିଭାଗର ଅଧିକାରୀ ମୁହଁ ଖୋଲୁ ନାହାନ୍ତି।
ରାଜ୍ୟରେ ଆଜି ୧୫୪ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧାରୁ ସର୍ବାଧିକ ୭୯, କଟକ ୨୦ ଓ ଷ୍ଟେଟ୍‌ ପୁଲରୁ ୧୯ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୨ହଜାର ୪୭୨କୁ ବୃଦ୍ଧି ପାଇଛି। ଏହାସହ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା କାରଣରୁ ମୋଟ ମୃତ୍ୟୁ ସଂଖ୍ୟା ୮୪୪୧ରେ ପହଞ୍ଚିଛି। କଳାହାଣ୍ଡି ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନକୁ ଖସି ଆସିଛି।