ଭୁବନେଶ୍ବର : ଓଡ଼ିଶାକୁ ‘ଓମିକ୍ରନ୍’ ବିପଦ ଘନେଇବାରେ ଲାଗିଛି। କିଛିଦିନ ପୂର୍ବରୁ ଆନ୍ଧ୍ରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଏବେ ପଶ୍ଚିମବଙ୍ଗର ଜଣେ ୭ବର୍ଷର ଶିଶୁ ଏଥିରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସଂପୃକ୍ତ ଶିଶୁ ଜଣକ ଆବୁଧାବିରୁ ହାଇଦ୍ରାବାଦ ଦେଇ ପଶ୍ଚିମବଙ୍ଗ ଫେରିଥିବା କୁହାଯାଉଛି। ରାଜ୍ୟର ଉତ୍ତର ଓ ଦକ୍ଷିଣ ସୀମାରେ ଥିବା ଜିଲ୍ଲାମାନଙ୍କ ପାଇଁ ଏହା ବିପଦ ସୃଷ୍ଟି କରିଛି। ଯଦିଓ ରାଜ୍ୟ ସରକାର ସୀମାନ୍ତ ଜିଲ୍ଲାମାନଙ୍କୁ ସତର୍କ ରହିବା ଲାଗି ନିର୍ଦେଶ ଦେଇଛନ୍ତି, ମାତ୍ର ଏ ପର୍ଯ୍ୟନ୍ତ ସମସ୍ତ ବିଦେଶ ଫେରନ୍ତାଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇ ନ ଥିବାରୁ ସମସ୍ୟା ବଢ଼ାଇ ଦେଇଛି।
ରାଜ୍ୟରେ ୪ ବିଦେଶ ଫେରନ୍ତାଙ୍କଠାରେ ‘ଓମିକ୍ରନ୍’ ନ ଥିବା ଜିନ୍ ଅନୁଶୀଳନରୁ ସ୍ପଷ୍ଟ ହୋଇଛି। ହେଲେ ନଭେମ୍ବର ୨୬ତାରିଖ ପରେ କେତେ ସଂଖ୍ୟକ ବିଦେଶ ଫେରନ୍ତା ଓଡ଼ିଶାକୁ ଆସିଛନ୍ତି ସେସଂପର୍କରେ ସରକାର କିଛି ସ୍ପଷ୍ଟ କରୁ ନାହାନ୍ତି। ଗଣମାଧ୍ୟମରେ ଭିନ୍ନ ଭିନ୍ନ ବିଦେଶ ଫେରନ୍ତାଙ୍କ ସଂଖ୍ୟା ଘୂରି ବୁଲୁଛି। କେବଳ ଫେରନ୍ତାଙ୍କ ସଂଖ୍ୟା ନୁହେଁ, କେଉଁ ଜିଲ୍ଲା କେତେ ସଂଖ୍ୟକ ବିଦେଶ ଫେରନ୍ତାଙ୍କୁ ଠାବ କରିବାରେ ସରକାର ସକ୍ଷମ ହୋଇଛନ୍ତି ତାହା ରହସ୍ୟ ଘେରରେ ରହିଛି। ଅଧିକାଂଶ ବିଦେଶ ଫେରନ୍ତା ‘ଏୟାର ସୁବିଧା’ ପୋର୍ଟାଲରେ ନିଜର ଭୁଲ୍ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଜିଲ୍ଲାସ୍ତରରେ ପ୍ରଶାସନ ଚିହ୍ନଟ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛି। ତେଣୁ ଘରକୁ ଫେରିବାର ଅଷ୍ଟମ ଦିନରେ ଆରଟି-ପିସିଆର ପରୀକ୍ଷା କରିବା ନେଇ ଯେଉଁ ନିୟମ ରହିଛି ତାହା ମଧ୍ୟ ପାଳନ ହୋଇପାରୁ ନାହିଁ।
ମହାରାଷ୍ଟ୍ରରେ ‘ଓମିକ୍ରନ୍’ରେ ଆକ୍ରାନ୍ତ ହୋଇଥିବା କିଛି ବ୍ୟକ୍ତିଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ବା ବାହାରକୁ ଯାତ୍ରା କରି ନାହାନ୍ତି। ଏହାସତ୍ତ୍ବେ ସେମାନେ କରୋନାର ଏହି ନୂଆ ପ୍ରଜାତିରେ ଆକ୍ରାନ୍ତ ହୋଇଛନ୍ତି। ଯେହେତୁ ରାଜ୍ୟରେ ଅନେକ ବିଦେଶ ଫେରନ୍ତାଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯିବା ସମ୍ଭବ ହୋଇନାହିଁ, ତେଣୁ ସେମାନେ ଯଦି ଏଥିରେ ଆକ୍ରାନ୍ତ ଥିବେ ତାହାଲେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ଦାନା ବାନ୍ଧିଲାଣି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତ ରହିଛନ୍ତି। ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କୁ ବିମାନ ବନ୍ଦରରେ ପରୀକ୍ଷା କରାଯାଉଛି। ଏହାସହ ଜିଲ୍ଲାସ୍ତରରେ ସେମାନଙ୍କୁ ଚିହ୍ନଟ କରି ଅଷ୍ଟମ ଦିନରେ ଆରଟି-ପିସିଆର ନମୁନା ସଂଗ୍ରହ ହେଉଛି। ତେବେ କେତେ ପ୍ରତିଶତ ବିଦେଶ ଫେରନ୍ତାଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ, ତାହା ସଂପର୍କରେ ଡା.ମିଶ୍ର କିଛି ନିର୍ଦ୍ଦିଷ୍ଟ ସୂଚନା ଦେଇ ନାହାନ୍ତି।
ଅପରପକ୍ଷରେ ୪ଦିନ ପରେ ରାଜ୍ୟରେ ପୁଣିଥରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଶହ ଟପିଛି। ଖୋର୍ଧା ଜିଲ୍ଲାରେ ପୁଣିଥରେ ୧୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୧୫, ସୁନ୍ଦରଗଡ଼ ୧୪ ଓ ଷ୍ଟେଟ୍ ପୁଲରୁ ୨୮ଜଣଙ୍କୁ ଚିହ୍ନଟ କରାଯାଇଛି। ୧୧ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ବାହାରି ନାହାନ୍ତି। ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୨ହଜାର ୧୪୫ରେ ପହଞ୍ଚିଛି। ଏହାସହ ଆଉ ୨ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଯାହାଫଳରେ ମୋଟ ମୃତ୍ୟୁ ସଂଖ୍ୟା ୮୪୩୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୧୦୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୮୧୭ ରହିଛି।