କଟକକୁ ଫେରିଲେଣି ୧୦୩୦, ଟେଷ୍ଟିଂ ହୋଇଛି ୨୦୧
ଓମିକ୍ରନ୍‌ ଆକ୍ରାନ୍ତ ଦେଶରୁ ଆସିଛନ୍ତି ୨୨୬

Advertisment

କଟକ/ଭୁବନେଶ୍ବର : ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଭଳି କେତେକ ପଡ଼ୋଶୀ ରାଜ୍ୟରେ ‘ଓମିକ୍ରନ୍‌’ ଆକ୍ରାନ୍ତ ଚିହ୍ନଟ ହୋଇସାରିଲାଣି। କିଛିଦିନ ଧରି ଆମ ରାଜ୍ୟରେ କରୋନାର ‘ଓମିକ୍ରନ୍‌’ ପ୍ରଜାତିକୁ ନେଇ ଚିନ୍ତା ରହିଆସିଛି। ଏପରିସ୍ଥଳେ ଏହି ଚିନ୍ତାକୁ ବଢ଼ାଇଛନ୍ତି ଜଣେ ନାଇଜେରୀୟ ଫେରନ୍ତା। ସେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବାପରେ ଏହାକୁ ନେଇ କଟକ ସମେତ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ବିଦେଶ ଫେରନ୍ତା ‘ଓମିକ୍ରନ୍‌’ ଆକ୍ରାନ୍ତ କି ନୁହନ୍ତି, ତାହା ଜଣାପଡ଼ିନି। କଟକ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ନମୁନା ଜିନ୍‌ ଅନୁଶୀଳନ ପାଇଁ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍)କୁ ପଠାଯାଇଛି। ରିପୋର୍ଟ ଆସିଲାପରେ ସେ ‘ଓମିକ୍ରନ୍‌’ରେ ଆକ୍ରାନ୍ତ କି ନୁହନ୍ତି, ସ୍ପଷ୍ଟ ହେବ। ଅନ୍ୟପଟେ, ସହରର ମେରିଆବଜାରସ୍ଥିତ ଗୋଟିଏ ପରିବାରର ୭ଜଣ ସଦସ୍ୟଙ୍କ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛି। ସେହି ୭ଜଣଙ୍କ ନମୁନା ମଧ୍ୟ ଜିନ୍‌ ଅନୁଶୀଳନ ପାଇଁ ପଠାଯାଇଥିବା ଜିଲ୍ଲା କୋଭିଡ୍‌ ନୋଡାଲ ଅଫିସର ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି। ଏଥିସହିତ ଯେଉଁ ବିଦେଶ ଫେରନ୍ତା କଟକ ଫେରିଛନ୍ତି ସେମାନଙ୍କ ଟେଷ୍ଟିଂ କିପରି ତୁରନ୍ତ କରାଯିବ, ତା’ ଉପରେ ସ୍ବାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଯୋଜନା କରିଥିବା ସେ ସୂଚନା ଦେଇଛନ୍ତି।

publive-image Newsweek

ମିଳିଥିବା ସୂଚନା ଅନୁସାରେ, ଏହି ବିଦେଶୀ ଫେରନ୍ତା ହେଉଛନ୍ତି ଜଗତ୍‌ସିଂହପୁର ଏରସମା ଅଞ୍ଚଳର ଲୋକ। ତାଙ୍କ ବୟସ ୪୧ ବର୍ଷ। ସେ ‘ହାଇରିସ୍କ’ ଦେଶ ନାଇଜେରିଆରୁ ପ୍ରତ୍ୟାବର୍ତ୍ତନ କରି ଗତ ଗୁରୁବାର ସନ୍ଧ୍ୟାରୁ କଟକର ଦୋଳମୁଣ୍ଡାଇ ଅଞ୍ଚଳର ଏକ ହୋଟେଲରେ ରହିଥିଲେ। ସେ ବିଦେଶ ଫେରନ୍ତା ହୋଇଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ଗତକାଲି ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ ସିଡିଏସ୍ଥିତ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ଆଇସଲେସନ୍‌ରେ ରଖାଯାଇଛି ଏବଂ କଣ୍ଟାକ୍ଟ୍‌ ଟ୍ରେସିଂ କରାଯାଇ ଟେଷ୍ଟିଂ କରାଯିବ ବୋଲି ସିଏମସି କମିସନର୍‌ ଅନନ୍ୟା ଦାସ ସୂଚନା ଦେଇଛନ୍ତି। ‌ହୋଟେଲର ୬ଜଣ କର୍ମଚାରୀ ସିଧାସଳଖ ତାଙ୍କ କଣ୍ଟାକ୍ଟ୍‌ରେ ଆସିଥିବାରୁ ସେମାନଙ୍କୁ ଗୃହ ସଂଗରୋଧରେ ରଖାଯାଇଛି। ୭ଦିନ ପରେ ସେମାନଙ୍କ ଟେଷ୍ଟିଂ କରାଯିବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗ ଓ ଘରୋଇ ମେଡିକାଲ କର୍ତ୍ତୃପକ୍ଷ ଅତ୍ୟନ୍ତ ସତର୍କତା ସହିତ ତାଙ୍କ ଉପରେ ନଜର ରଖିଛନ୍ତି। ତାଙ୍କ କକ୍ଷରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ କେବଳ ଆଇସୋଲେସନ୍‌ ୱାର୍ଡ ଦାୟିତ୍ବ ଦିଆଯାଇଛି ଏବଂ ଉକ୍ତ ବିଦେଶ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଅନୁସାରେ ଚିକିତ୍ସା କରାଯାଉଛି।

ଅନ୍ୟପଟେ କଟକ ମେରିଆବଜାର ଅଞ୍ଚଳର ଗୋଟିଏ ପରିବାରର ୭ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଘଟଣାକୁ ବି ଗୁରୁତ୍ବରର ସହିତ ନେଇଛି ସ୍ବାସ୍ଥ୍ୟ ବିଭାଗ। ସମସ୍ତଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେମାନଙ୍କ ‘ଭ୍ରମଣ ବିବରଣୀ’ କିଛି ରହିଛି କି, କାହାର ସଂସ୍ପର୍ଶ‌ରେ ସେମାନେ ଆସିଛନ୍ତି; ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତର୍ଜମା କରୁଥିବା ଜିଲ୍ଲା କୋଡିଭ୍‌ ନୋଡାଲ ଅଫିସର ଡାକ୍ତର ରାୟ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କଟକକୁ ଆଜି ସୁଦ୍ଧା ୧୦୩୦ରୁ ଅଧିକ ବିଦେଶ ଫେରନ୍ତା ଆସିଥିବାବେଳେ ସେଥିରୁ ୨୨୯ ଜଣଙ୍କୁ ଠାବ କରାଯାଇ ପାରିନାହିଁ। ଯାହାକି, ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ଘଟଣା ହେଲା କଟକକୁ ଆସିଥିବା ବିଦେଶ ଫେରନ୍ତାଙ୍କ ମଧ୍ୟରୁ ମାତ୍ର ୨୦୧ ଜଣଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିବା ବେଳେ ବାକି ୬୦୦ଜଣଙ୍କର ବର୍ତ୍ତମାନ ସୁଦ୍ଧା କୋଭିଡ୍‌ ପରୀକ୍ଷା କରାଯାଇ ପାରିନି। ଅନ୍ୟପଟେ ଓମିକ୍ରନ୍‌ ଆକ୍ରାନ୍ତ ଦେଶରୁ ୨୨୬ଜଣ ଫେରିଥିବା ଜିଲ୍ଲା ପ୍ରଶାସନର ତଥ୍ୟ କହୁଛି।

publive-image The New Indian Express

ଅପରପକ୍ଷରେ ରାଜ୍ୟକୁ ବିଦେଶ ଫେରନ୍ତାଙ୍କ ସଂଖ୍ୟା ଲମ୍ବିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଓମିକ୍ରନ୍ ଆଟ ରିସ୍କ ଦେଶରୁ ୧୫ଶହ ବିଦେଶ ଫେରନ୍ତା ଆସିଥିବା କୁହାଯାଉଛି। ମାତ୍ର ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ସ୍ପଷ୍ଟ ହେବାରେ ଲାଗିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ଓଡ଼ିଶାକୁ ୩୫୨ ବିଦେଶ ଫେରନ୍ତା ଆସିଛନ୍ତି। ତହିଁରୁ ୧୨୧ଜଣ ଭୁବନେଶ୍ବରରୁ ରହିଛନ୍ତି। ଏଥିରେ ୨୭ଜଣ ଆଟ ରିସ୍କ୍ ଦେଶରୁ ଥିବା ବେଳେ ୯୪ଜଣ ଆଟ ରିସ୍କ ନ ଥିବା ଦେଶରୁ। ମାତ୍ର ଦେଶରେ ଅନେକ ଓମିକ୍ରନ୍ ଆକ୍ରାନ୍ତ ବିଦେଶରୁ ଆସି ନ ଥିଲେ ମଧ୍ୟ ସେମାନେ ଏଥିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ବିଶ୍ବରେ ଏବେ ଯେଉଁଭଳି ଭାବେ ଓମିକ୍ରନ୍ ବ୍ୟାପିବାରେ ଲାଗିଛି ତେଣୁ ଆଟ ରିସ୍କ ଦେଶରୁ ନ ଆସିବା ବ୍ୟକ୍ତିମାନଙ୍କୁ ଠାବ କରିବା ମଧ୍ୟ ଜରୁରୀ ହୋଇ ପଡ଼ିଛି।

ଅପରପକ୍ଷରେ ‘ଓମିକ୍ରନ୍’କୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଛାତି ଥରାଇବା ଭଳି ଆକଳନ କଲେଣି। ବରିଷ୍ଠ ଚିକିତ୍ସକ ଡା.ନିରୋଜ ମିଶ୍ର କହିଛନ୍ତି, ବିଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ଆମ ଦେଶରେ ମଧ୍ୟ ସଂକ୍ରମଣ ବଢ଼ିବାର ଆଶଙ୍କା ସୃଷ୍ଟି ହେଲାଣି। ଡିସେମ୍ବର ଶେଷ କିମ୍ବା ଜାନୁଆରି ପ୍ରଥମ ସପ୍ତାହରେ ସଂକ୍ରମଣ ବଢ଼ିପାରେ। ଜାନୁଆରି ତୃତୀୟ ସପ୍ତାହ ସୁଦ୍ଧା ସଂକ୍ରମଣ ଶୀର୍ଷକୁ ଛୁଇଁପାରେ। ଏହି ସମୟରେ ରାଜ୍ୟରେ ୩୦-୫୦ହଜାର କେସଲୋଡ ରହିପାରେ ବୋଲି ଡା.ମିଶ୍ର କହିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ମତରେ ଓମିକ୍ରନ୍ ପ୍ରଜାତିର ଲକ୍ଷଣ ବଦଳିଛି। ଆକ୍ରାନ୍ତଙ୍କୁ ଅଧିକ ଜ୍ବର କିମ୍ବା ଥଣ୍ଡାର ଲକ୍ଷଣ ପ୍ରକାଶ ପାଉନାହିଁ। ହେଲେ ତଣ୍ଟି ଦରଜ ଓ ବସିବା ଭଳି ଲକ୍ଷଣ ରହୁଛି। ଏହାକୁ ରୋକିବାକୁ ହେଲେ ମାସ୍କ ପିନ୍ଧିବାକୁ ପଡ଼ିବ। ଭିଡ଼କୁ ଯଥାସମ୍ଭବ ଦୂରେଇ ରହିବା ସହିତ ଯଦି ଗହଳିକୁ ଯାଉନ୍ତି ତାହାଲେ କୋଭିଡ ନିୟମାବଳୀକୁ ମାନିବାକୁ ପଡ଼ିବ ବୋଲି ଅଧିକାରୀମା‌ନେ ମତ ରଖିଛନ୍ତି।