ଭୁବନେଶ୍ବର : ଆନ୍ଧ୍ରରେ ପ୍ରଥମ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶା ପାଇଁ ଚିନ୍ତା ବଢ଼ିଛି। ଯଦିଓ ରାଜ୍ୟରେ ଏ ପର୍ଯ୍ୟନ୍ତ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି, ତଥାପି ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସୀମାନ୍ତ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ କହିଛନ୍ତି।

Advertisment

ଡିଏମ୍‌ଇଟି ପ୍ରଫେସର ଡା.ରମାରମଣ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ଆନ୍ଧ୍ରରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସରକାରଙ୍କ ପାଖରେ ଖବର ଅଛି। ମାତ୍ର ଏଥିପାଇଁ ରାଜ୍ୟବାସୀ ଆତଙ୍କିତ ହୁଅନ୍ତୁ ନାହିଁ। ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କର ବିମାନ ବନ୍ଦରରେ ପରୀକ୍ଷା କରାଯାଉଛି। ରାଜ୍ୟର ଯେଉଁ କ୍ଲଷ୍ଟରରୁ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି କିମ୍ବା ବିଦେଶ ଫେରନ୍ତା ସଂକ୍ରମିତଙ୍କ ଜିନ୍ ଅନୁଶୀଳନ କରାଯାଉଛି। ସେହିପରି ସ୍କୁଲଗୁଡ଼ିକ ସଂକ୍ରମିତ ଚିହ୍ନଟ ହେବା ପରେ ଗାଇଡଲାଇନ୍‌କୁ କଡ଼ାକଡ଼ି ପାଳନ କରିବାକୁ ସବୁ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି। ପୂର୍ବ ଅପେକ୍ଷା ରାଜ୍ୟର ସ୍କୁଲର ଗୁଡ଼ିକରେ ସଂକ୍ରମଣ ଧୀରେ ଧୀରେ କମୁଛି। ରାଜ୍ୟରେ ସେଭଳି ଚିନ୍ତାଜନକ ସ୍ଥିତି ନାହିଁ ବୋଲି ଡିଏମ୍‌ଇଟି କହିଛନ୍ତି।

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ବିଭିନ୍ନ ରାଜ୍ୟରୁ ଏ ପର୍ଯ୍ୟନ୍ତ ୪୦ଜଣଙ୍କୁ ଚିହ୍ନଟ କରାଗଲାଣି। ‌ତେବେ ରାଜ୍ୟରେ ବିଦେଶ ଫେରନ୍ତାଙ୍କ ପ୍ରକୃତ ଚିତ୍ର ଏବେ ବି ଅସ୍ପଷ୍ଟ ରହିଛି। ଓମିକ୍ରନ୍‌କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭାରିଏଣ୍ଟ ଅଫ କଂସର୍ଣ୍ଣ ବା ଚିନ୍ତାଜନକ ପ୍ରଜାତି ଘୋଷଣା କରିବା ପରେ ବିଦେଶ ଫେରନ୍ତାଙ୍କ ସ୍ଥିତିକୁ ନେଇ ସରକାରୀ ସ୍ତରରେ ବିଶେଷ କିଛି ସୂଚନା ନାହିଁ। ଫେରନ୍ତାଙ୍କ ମଧ୍ୟରୁ ଅନେକଙ୍କୁ ଠାବ କରିବା ସମସ୍ୟା ସୃଷ୍ଟି ହେଉଥିବା ଜଣାପଡ଼ିଛି। ଅନେକ ‌ବିଦେଶ ଫେରନ୍ତା ରାଜ୍ୟକୁ ଆସିଥିଲେ ହେଁ ପୁଣିଥରେ ରାଜ୍ୟ ବାହାରକୁ ଚାଲି ଯାଇଥିବା କୁହାଯାଉଛି।