ଓମିକ୍ରନ୍‌ ଆତଙ୍କ: ଟେଷ୍ଟିଂ ବଢ଼ାଇବା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

୩୧ ଯାଏଁ କୋଭିଡ୍‌ ନିର୍ଦ୍ଦେଶାବଳି, ଆର୍‌ଟିପିସିଆର୍‌ ଏବଂ ର‍୍ୟାଟ୍‌ ଟେଷ୍ଟରୁ ଖସିପାରିବନି ଓମିକ୍ରନ୍‌

ନୂଆଦିଲ୍ଲୀ : କୋଭିଡ୍‌ର ‘ଓମିକ୍ରନ୍‌’ ପ୍ରଜାତି ଯୋଗୁଁ ଏବେ ବିଶ୍ବବ୍ୟାପୀ ଭୟ ବଢ଼ୁଛି। କେନ୍ଦ୍ର ସରକାର ଆଜି କରୋନା ନିର୍ଦ୍ଦେଶାବଳିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନଭେମ୍ବର ୨୫ ତାରିଖରେ ଜାରି କରିଥିବା ନିର୍ଦ୍ଦେଶାବଳିକୁ କଡ଼ାକଡ଼ି ଭାବେ ପାଳନ କରିବାପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ ବିମାନରେ ଆସୁଥିବା ଯାତ୍ରୀମାନଙ୍କୁ ଭଲ ଭାବେ ସ୍କ୍ରିନିଂ କରାଯିବା ସହ ବିମାନ ବନ୍ଦରରେ ହିଁ ଟେଷ୍ଟିଂ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଯାତ୍ରୀଙ୍କର କଣ୍ଟାକ୍ଟ ଟ୍ରେସିଂ ସହ ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ନମୁନାକୁ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଇବାକୁ ନିର୍ଦ୍ଦେଶ ଥିଲା। ‘ଓମିକ୍ରନ୍‌’ ପ୍ରଜାତିର ମୁକାବିଲା ନିମନ୍ତେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଓମିକ୍ରନ୍‌ ଆର୍‌ଟିପିସିଆର ଏବଂ ରୢାଟ୍‌ ଟେଷ୍ଟ୍‌ରୁ ଖସି ପାରିବ ନାହିଁ ବୋଲି କୁହାଯାଇଛି। ଉଭୟ ଟେଷ୍ଟିଂରେ ଏହା ଧରା ପଡ଼ିବ। ତେଣୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନେ ଟେଷ୍ଟିଂ ବଢ଼ାଇବା ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାପାଇଁ ଭୂଷଣ କହିଛନ୍ତି।

‘ଏୟାର ସୁବିଧା ପୋର୍ଟାଲ ବ୍ୟବହାର ପାଇଁ ଅନୁମତି ଦିଅ’

ଭୁବନେଶ୍ବର : ଗତ କିଛିଦିନ ଭିତରେ ଦକ୍ଷିଣ ଆଫ୍ରିକା କିମ୍ବା ଅନ୍ୟ ଯେଉଁ ଦେଶରେ ଓମିକ୍ରନ୍ ଚିହ୍ନଟ ହୋଇଛି ସେଠାରୁ ରାଜ୍ୟକୁ କେତେ ସଂଖ୍ୟକ ଯାତ୍ରୀ ଓଡ଼ିଶା ଆସିଛନ୍ତି ତାହାର କୌଣସି ସୂଚନା ସରକାରଙ୍କ ପାଖରେ ନାହିଁ। ବିଦେଶ ଫେରନ୍ତା ଯାତ୍ରୀଙ୍କୁ ଠାବ କରିବା ଅସମ୍ଭବ ଥିବାରୁ କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟ ଅଧୀନରେ ଥିବା ‘ଏୟାର ସୁବିଧା’ ପୋର୍ଟାଲ ବ୍ୟବହାର କରିବା ଲାଗି ରାଜ୍ୟ ସରକାର ଅନୁମତି ମାଗିଛନ୍ତି। ମଙ୍ଗଳବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହିତ ହୋଇଥିବା ଭିଡିଓ କନଫରେନ୍ସିଂରେ ଏହା ସଂପର୍କରେ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ଏହା ଉପରେ ବିଚାର କରୁଥିବା ସୂଚନା ମିଳିଛି।

ରାଜ୍ୟର ଦୁଇ ବିମାନ ବନ୍ଦର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କେତେ ସଂଖ୍ୟକ ଯାତ୍ରୀ ଫେରିଛନ୍ତି ତାହାର ସୂଚନା ନାହିଁ। ବିଦେଶରୁ କଲିକତା କିମ୍ବା ଅନ୍ୟ ବିମାନ ବନ୍ଦର ଦେଇ କେତେକ ସଂଖ୍ୟକ ଯାତ୍ରୀ ଟ୍ରେନ୍‌ କିମ୍ବା ଅନ୍ୟ ଗମନାଗମନ ବ୍ୟବସ୍ଥାରେ ଆସିଛନ୍ତି ତାହା ମଧ୍ୟ ଜଣାନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ରାଜ୍ୟମାନଙ୍କୁ ବିଦେଶ ଫେରନ୍ତାଙ୍କ ତାଲିକା ଦିଆଯାଇ ନାହିଁ। ତେଣୁ ରାଜ୍ୟ ସରକାର ବିଦେଶ ଫେରନ୍ତା ଯାତ୍ରୀଙ୍କ ସଂପର୍କରେ ଅନ୍ଧାରରେ ଅଛନ୍ତି।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ସହିତ ବୈଠକରେ ‘ଏୟାର ସୁବିଧା’ ପୋର୍ଟାଲର ବ୍ୟବହାର କରିବା ଲାଗି ଅନୁମତି ମଗାଯାଇଛି। ଯାହାଫଳରେ ବିଦେଶ ଫେରାନ୍ତଙ୍କ ସଂପର୍କରେ ତଥ୍ୟ ମିଳିପାରିବ। ଏହାସହ ରାଜ୍ୟର ଦୁଇ ବିମାନ ବନ୍ଦର କର୍ତୃପକ୍ଷଙ୍କୁ ମଧ୍ୟ ବିଦେଶ ଫେରାନ୍ତଙ୍କ ସଂପର୍କରେ ଦୈନିକ ତାଲିକା ଦେବାକୁ କୁହାଯାଇଛି। ଡିଏମ୍‌ଇଟି ପ୍ରଫେସର ଡା.ରମାରମଣ ମହାନ୍ତି କହିଛନ୍ତି, ଯେଉଁମାନେ ‘ଓମିକ୍ରନ୍’ ସଂକ୍ରମିତ ଦେଶରୁ ଫେରିବେ ସେମାନଙ୍କ ଆରଟି-ପିସିଆର ପରୀକ୍ଷା କରାଯିବ।

ଦିନକର ବ୍ୟବଧାନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ପୁଣିଥରେ ୨୦୦ ଟପିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୮ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୯୬, ମୟୂରଭଞ୍ଜ ୨୧, କଟକ ୧୭, ସମ୍ବଲପୁର ୧୧, ପୁରୀ ୧୦ ଓ ଷ୍ଟେଟ୍‌ ପୁଲରୁ ୨୩ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪୯ହଜାର ୧୦୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୨ଜଣ କରୋନାରେ ପ୍ରାଣ ହରାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୧୧ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର