ଗାଁ ମଶାଣିରେ ଓମିକ୍ରନ ଶବ! ବଲାଙ୍ଗୀର ଜିଲ୍ଲାରେ ହଇଚଇ, କଣ୍ଟାକ୍ଟ ଟ୍ରେସିଂ ଜାରି

ବଲାଙ୍ଗୀର : ବଲାଙ୍ଗୀରରେ ଓମିକ୍ରନ୍। ଏହି ଖବର ‘ସମ୍ବାଦ’ରେ ପ୍ରକାଶ ପାଇଲା ପରେ ବଲାଙ୍ଗୀର ଜିଲ୍ଲାରେ ହଇଚଇ। ହେଲେ ଓମିକ୍ରନ ଆକ୍ରାନ୍ତ କିଏ? କେମିତି ଆକ୍ରାନ୍ତ ହୋଇଥିଲେ? କିଏ କିଏ ସଂସ୍ପର୍ଶରେ ଆସିଛନ୍ତି? ଏ ସଂପର୍କରେ ଛାନ୍‌ଭିନ୍‌ କଲାବେଳକୁ ଚାଞ୍ଚଲ୍ୟକର ତଥ୍ୟ ଏବେ ପଦାକୁ ଆସିଛି। ଯାହାକି ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳାକୁ ପଦାରେ ପକାଇଛି। ବୁର୍ଲା ଭିମସାର ଓ ବଲାଙ୍ଗୀର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କେମିତି କୋଭିଡ ପରିଚାଳନା କରୁଛନ୍ତି ଏବଂ ନିୟମକୁ ଖୋଲା ଉଲ୍ଲଂଘନ କରୁଛନ୍ତି ତାହା ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗର ଜାଣତରେ କୋଭିଡ ରୋଗୀଙ୍କ ଶବକୁ ପରିବାର ବର୍ଗ ଓ ପରିଜନ ଗାଁକୁ ଆଣି ଶହ ଶହ ଲୋକଙ୍କ ଉପସ୍ଥିତିରେ ସତ୍କାର କରିଥିବା ଜଣାପଡ଼ିଛି। ଆଉ ପୂରା ଘଟଣାକୁ ଚପାଇଦେବାକୁ ଉଦ୍ୟମ ଚାଲିଥିବା ବେଳେ ସବୁ ତଥ୍ୟ ସାମ୍ନାକୁ ଆସିଯାଇଛି। ଏବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୋଷ ମେଣ୍ଟାଇବାକୁ ଆରମ୍ଭ କରିଛି କଣ୍ଟାକ୍ଟ ‌ଟ୍ରେସିଂ।

ଗତ ଡିସେମ୍ବର ୨୦ ତାରିଖ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍‌ କୁଟାସିଂହା ପଞ୍ଚାୟତ ଡୁଙ୍ଗୁରିପାଲି ଗାଁର ୫୫ ବର୍ଷୀୟା ମହିଳା ହଠାତ୍‌ ଗାଁର ରାସ୍ତା ଉପରେ ପଡ଼ିଯାଇଥିଲେ। ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ ୨୨ ତାରିଖ ବୁର୍ଲା ବଡ଼ ଡାକ୍ତରଖାନା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ସ୍ୱାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ୨୩ ତାରିଖ ଦିନ ତାଙ୍କ କୋଭିଡ ପଜିଟିଭ ଥିବା ରିପୋର୍ଟ ଆସିଥିଲା। ତା’ପରେ ସନ୍ଦେହ କରି ତାଙ୍କର ଓମିକ୍ରନ ପରୀକ୍ଷା ପାଇଁ ସ୍ୱାବ୍‌ ନମୁନା ପଠାଯାଇଥିଲା। ହେଲେ ଓମିକ୍ରନ ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ ୨୭ ତାରିଖ ଦିନ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଭିମସାର କର୍ତ୍ତୃପକ୍ଷ ମହିଳା ଜଣକ କୋଭିଡ ପଜିଟିଭ ଥିବା ଜାଣି ସୁଦ୍ଧା ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଦେଇଥିଲେ। ଫଳରେ ପରିବାର ଲୋକ ଉକ୍ତ ମହିଳାଙ୍କ ଶବକୁ ଆଣି ଗାଁରେ ଦାହସତ୍କାର କରିଥିଲେ। ଆଉ ଶବ ସତ୍କାରର ୯ ଦିନ ପରେ ମହିଳା ଜଣକ ଓମିକ୍ରନ ଆକ୍ରାନ୍ତ ଥିଲେ ବୋଲି ଜଣାପଡ଼ିଛି। ଏହା ରାଜ୍ୟରେ ପ୍ରଥମ ଓମିକ୍ରନ ରୋଗୀ ମୃତ୍ୟୁ ବୋଲି କୁହାଯାଉଛି।

ମୃତା ମହିଳାଙ୍କ ଡାକ୍ତରଖାନାରେ ଭର୍ତ୍ତିରୁ ନେଇ ଶବ ସତ୍କାର ଯାଏ ଅନେକ ଲୋକ ସଂସ୍ପର୍ଶରେ ନିହାତି ଆସିଛନ୍ତି। ତେଣୁ ଏବେ ଆଉ କିଏ କିଏ ଓମିକ୍ରନ ଆକ୍ରାନ୍ତ ହେଲେଣି ନା ନାହିଁ ତାକୁ ନେଇ ଆତଙ୍କ ଖେଳିଛି। ଅପରପଟେ ଏତେ ସବୁ ଜଣାପଡ଼ିଲା ପରେ ବି ବଲାଙ୍ଗୀର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଘଟଣାକୁ ଗୁରୁତ୍ବର ସହ ନେଇନଥିଲା। ବୁଧବାର ଯାଏ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ଗାଁକୁ ଯାଇନଥିଲେ। ‘ସମ୍ବାଦ’ରେ ପ୍ରକାଶନ ପରେ ଗରୁବାର ଟିମ୍‌ ଗାଁକୁ ଯାଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛନ୍ତି। ଏଠି କିନ୍ତୁ ବଡ଼ ପ୍ରଶ୍ନ କୋଭିଡ ପଜିଟିଭ ଚିହ୍ନଟ ହୋଇ ପ୍ରାଣ ହରାଇଥିବା ଜଣେ ମହିଳାଙ୍କ ଶବକୁ କିଭଳି ଭାବରେ ଭିମ୍‌ସାର କର୍ତ୍ତୃପକ୍ଷ ପରିବାର ବର୍ଗଙ୍କୁ ହସ୍ତାନ୍ତର କଲେ? ଶବକୁ ପଲିଥିନ ଘୋଡ଼ାଯାଇଥିଲା ନା ନାହିଁ? ମୃତ୍ୟୁର ଏତେ ଦିନ ପରେ ଓମିକ୍ରନ ପଜିଟିଭ ରିପୋର୍ଟ ଆସିଲା କେମିତି? ଆଉ ମହିଳାଙ୍କ ମୃତ୍ୟୁର କାରଣ ଦୁର୍ଘଟଣା ନା ଓମିକ୍ରନ ଭୂତାଣୁ? ଏସବୁକୁ ନେଇ ସବୁଠି ଏବେ ପ୍ରଶ୍ନ।

ସମ୍ବନ୍ଧିତ ଖବର