ଭୁବନେଶ୍ବର : ଖୁବ କମ୍‌ଦିନ ଭିତରେ ରାଜ୍ୟର ୧୧ଟି ଜିଲ୍ଲାକୁ ମାଡ଼ିଗଲାଣି ଓମିକ୍ରନ୍। ଏବେ ସୁଦ୍ଧା ୩୭ଜଣ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି। ଆଉ କିଛି ପଜିଟିଭ୍ ନମୁନା ଜିନ୍ ଅନୁଶୀଳନ ପାଇଁ ପଠାଯାଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ତେବେ ଚିନ୍ତାର ବିଷୟ ହେଉଛି ଯେ କରୋନାର ଏହି ନୂଆ ପ୍ରଜାତି କେବଳ ବିଦେଶ ଫେରନ୍ତାଙ୍କ ମଧ୍ୟରେ ସୀମିତ ରହିନାହିଁ। ଚିହ୍ନଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ଅନେକ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଯାହାଫଳରେ ଏହା ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ବଢ଼ାଇ ଦେଇଛି।

Advertisment

ଗତ ଡିସେମ୍ବର ୨୧ତାରିଖରେ ରାଜ୍ୟରେ ପ୍ରଥମଥର ଲାଗି ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ‌‌ହୋଇଥିଲେ। ଧୀରେ ଧୀରେ ଏହି ସଂଖ୍ୟା ବଢ଼ିଥିଲା। ହେଲେ ଗତକାଲି ସର୍ବାଧିକ ୨୩ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଏଥିରେ ୧୨ଜଣ କେବଳ ସ୍ଥାନୀୟ ଆକ୍ରାନ୍ତ ରହିଥିଲେ। ଆରମ୍ଭରୁ କେବଳ ବିଦେଶ ଫେରନ୍ତାଙ୍କୁ ଚିହ୍ନଟ କରି ସେମାନଙ୍କ ପଜିଟିଭ୍ ନମୁନାକୁ ଜିନ୍ ଅନୁଶୀଳନ କରାଯାଉଥିଲା। ପରବର୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗ ଆରଟି-ପିସିଆରରେ ପଜିଟିଭ୍ ଚିହ୍ନଟ ହେଉଥିବା ସମସ୍ତ ଆକ୍ରାନ୍ତଙ୍କର ମଧ୍ୟ ଜିନ୍ ଅନୁଶୀଳନ କରିବା ଲାଗି ନିର୍ଦେଶ ଦେଇଥିଲା। ଯାହାଫଳରେ ଅନେକ ସ୍ଥାନୀୟ ଲୋକ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାର ଅନ୍ୟ ପ୍ରଜାତି ତୁଳନାରେ ଓମିକ୍ରନ୍ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସରକାରଙ୍କ ପାଇଁ ଏହା ବଡ଼ ଆହ୍ବାନ ସୃଷ୍ଟି କରିଛି। ଅପରପକ୍ଷରେ ଆଇଏଲଏସ୍‌କୁ କିଛି ପଜିଟିଭ୍ ନମୁନା ଜିନ୍ ଅନୁଶୀଳନ ପାଇଁ ପଠାଯାଇଥିବା ସୂଚନା ମିଳିଛି। ଏଥିରେ କେବଳ ବିଦେଶ ଫେରନ୍ତା ରହିଛନ୍ତି ନା ସ୍ଥାନୀୟ ଲୋକଙ୍କ ନମୁନା ରହିଛି ତାହା ଜଣାପଡ଼ିନାହିଁ। ହେଲେ ଏହାର ରିପୋର୍ଟ ଆସିବା ଲାଗି ଆଉ ୨ଦିନ ସମୟ ଲାଗିପାରେ।

publive-image

ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି ଯେ ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ପରୀକ୍ଷା କରାଯାଉଛି। ପଜିଟିଭ୍ ଚିହ୍ନଟ ହେଲେ ଜିନୋମ୍ ସିକ୍ବେନ୍ସିଂ କରାଯାଉଛି। ଗତକାଲି ଚିହ୍ନଟ ହୋଇଥିବା ୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଜଣଙ୍କର କୌଣସି ଲକ୍ଷଣ ନାହିଁ। ଅନ୍ୟମାନଙ୍କଠାରେ ମଧ୍ୟମ ଧରଣର ଲକ୍ଷଣ ରହିଛି। ଗୋଷ୍ଠୀସ୍ତରରେ ଓମିକ୍ରନ୍ ରହିଛି। ତେଣୁ ଚିହ୍ନଟ ପାଇଁ ପଦକ୍ଷେପ ନିଆଯାଉଛି। ହେଲେ କମ୍ ‌ସଂଖ୍ୟକ ଲୋକ ଏଥିରେ ଗୁରୁତର ହେଉଛନ୍ତି। ଏହାସତ୍ତ୍ବେ ଲୋକମାନଙ୍କୁ କୋଭିଡ ନିୟମ ମାନିବାକୁ ପଡ଼ିବ। ସରକାର ସବୁ ପ୍ରକାର ଇନ୍‌ପୁଟ ନେଉଛନ୍ତି। ଗାଇଡଲାଇନ୍ ଅନୁଯାୟୀ ଜିଲ୍ଲାପାଳମାନେ କଟକଣା ଜାରି କରିବେ ବୋଲି ଡା.ମହାପାତ୍ର କହିଛନ୍ତି। ତେବେ ଯଦି ଆଗକୁ ବହୁ ସଂଖ୍ୟାରେ ଲୋକ ପଜିଟିଭ୍ ଚିହ୍ନଟ ହୁଅନ୍ତି ତାହାଲେ ସେମାନଙ୍କ ନମୁନାର ଜିନ୍ ଅନୁଶୀଳନ କରିବା ପାଇଁ ଆଇଏଲଏସ୍‌ ଉପରେ ଚାପ ସୃଷ୍ଟି ହୋଇପାରେ। ତେଣୁ ଅନ୍ୟତ୍ର ନମୁନା ପଠାଇବା ନେଇ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।

ରାଜ୍ୟରେ କ୍ରମାଗତ ଦ୍ବିତୀୟ ଦିନ ଲାଗି ଦୈନିକ ସଂକ୍ରମଣ ୪୨୪ ରହିଛି। ଏଥିରେ ୦-୧୮ବର୍ଷର ଆକ୍ରାନ୍ତଙ୍କ ସଂଖ୍ୟା ୪୭ ରହିଛି। ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୫୧, କଟକ ୬୬, ବାଲେଶ୍ବର ୨୯, ସୁନ୍ଦରଗଡ଼ ୨୭, ସମ୍ବଲପୁର ୨୨, ଝାରସୁଗୁଡ଼ା ୧୪, ପୁରୀ ୧୨ ଓ ଷ୍ଟେଟ୍‌ ପୁଲରୁ ୩୧ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୫ହଜାର ୯୮୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଦୀର୍ଘଦିନ ପରେ ଶୂନ କୋଭିଡ ମୃତ୍ୟୁ ସଂଖ୍ୟା ଘୋଷଣା କରାଯାଇଛି। ଯାହାଫଳରେ କୋଭିଡ ମୃତ୍ୟୁ ସଂଖ୍ୟା ୮୪୬୩ରେ ସ୍ଥିର ରହିଛି। ରାଜ୍ୟରେ ଆଜି ୧୪୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୨୦୯କୁ ବୃଦ୍ଧି ପାଇଛି।