ବାଲେଶ୍ବର: ଓଡ଼ିଶା ମେଡିକାଲ ସର୍ଭିସେସ ସଂଘ (ଓମ୍‌ସା) ପକ୍ଷରୁ ଆଜି ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବାଲେଶ୍ବର ସହିତ ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧାରୁ ବହୁ ଡାକ୍ତର ଯୋଗ ଦେଇଥିଲେ। ବାଲେଶ୍ବର ସିଡିଏମ୍‌ଓ ଡା.ଦୁଲାଲସେନ୍‌ ଜଗଦ୍ଦେବଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଓମ୍‌ସାର ରାଜ୍ୟ ସଭାପତି ଡା.ନାରାୟଣ ରାଉତ, ସାଧାରଣ ସଂପାଦକ ଡା.ବିଶ୍ବଜିତ ସାମଲ, କୋଷାଧ୍ୟକ୍ଷ କ୍ଷୀରୋଦ ପାଲ୍‌, କେନ୍ଦ୍ରାଞ୍ଚଳ ଉପସଭାପତି ଡା.ଆଶିଷ ଦୀକ୍ଷିତ, ସିଡବ୍ଲୁସି (ସେଣ୍ଟ୍ରାଲ ୱାର୍କିଂ କମିଟି) ଡା. କ୍ଷେତ୍ରମୋହନ କାନ୍ଦ, ଡା. ସଞ୍ଜୀବ ପ୍ରଧାନ, ଡା. ମାନସ ପାଣି, ଡା.ସରୋଜ ରାଜ, ଡା.ଦିଲ୍ଲୀପ ପାତ୍ର ପ୍ରମୁଖ ଓମ୍‌ସାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହିତ ଦାବି ଉପସ୍ଥାପନ କରିଥିଲେ।

Advertisment

ଓଡ଼ିଶା ସ୍ବାସ୍ଥ୍ୟସେବାର ଉନ୍ନତି ଓ ଭିତ୍ତିଭୂମି ସୁଦୃଢ଼ ପାଇଁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ ସଂଘ (ଓମ୍‌ସା) ସବୁବେଳେ କାମ କରିଆସୁଛି। ଏଥିପାଇଁ କେତେଗୁଡ଼ିଏ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି। ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ୩ ବର୍ଷ ମଧ୍ୟରେ ୪ ଜଣ ସ୍ବାସ୍ଥ୍ୟ ସଚିବ ଆସିଲେଣି। ଓମ୍‌ସା ସହିତ ୩ ଥର ବୈଠକ ବି ହୋଇଛି। କିନ୍ତୁ ଆଜିଯାଏ କୌଣସି ସମସ୍ୟାର ସମାଧାନ ହୋଇନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ ୨୦୦୬ ମସିହାରୁ କେନ୍ଦ୍ର ସରକାର ଡାକ୍ତରମାନଙ୍କୁ ପ୍ରଦାନ କରିଆସୁଛନ୍ତି। ପଡ଼ୋଶୀ ରାଜ୍ୟ ବିହାରକୁ ମିଶାଇ ୧୬ରୁ ଅଧିକ ରାଜ୍ୟରେ ଡାକ୍ତରଙ୍କୁ ୪,୯,୧୩ ଓ ୨୦ ବର୍ଷର କ୍ୟାରିଅର ପ୍ରୋଗ୍ରେସନ୍ ବ୍ୟବସ୍ଥା କରାଯାଇଛି। ହେଲେ ଓଡ଼ିଶାରେ ଡିଏସିପି ନାମରେ ୭,୧୪,୨୧ ବର୍ଷରେ ପ୍ରମୋସନ୍ ବ୍ୟବସ୍ଥା କରି ସରକାର ଠକି ଦେଇଛନ୍ତି।

ସେହିପରି ଦନ୍ତ ଚିକିତ୍ସକମାନେ ଓଏମ୍‌ଏଚ୍‌ଏସ୍‌ କ୍ୟାଡର୍ ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ କିଛି ବ୍ୟବସ୍ଥା ହୋଇନାହିଁ। ତେଣୁ ଓଏମ୍‌ଏଚ୍‌ଏସ୍‌ କ୍ୟାଡର୍ ଡାକ୍ତରଙ୍କ ପୁନଃବିନ୍ୟାସ, ଏଡିଏଚ୍‌ଓସି ଡାକ୍ତରଙ୍କ ଚାକିରିକୁ ସ୍ଥାୟୀ କରାଯିବା, ସର୍ଭିସ କ୍ୟାଡରରେ କେବିକେ ସର୍ଭିସ୍‌ ବାଧ୍ୟତାମୂଳକ କରାନଯିବା, ଡାକ୍ତରଙ୍କ ଅବସର ବୟସକୁ ୬୨ ବର୍ଷରେ ସୀମିତ ରଖାଯିବା, ଡାକ୍ତରମାନେ ସରକାରୀ ଛୁଟିଦିନରେ କାମ କଲେ ଏହା ପରିବର୍ତ୍ତେ ଅନ୍ୟ ଦିନରେ ଛୁଟି ନେବାକୁ ବ୍ୟବସ୍ଥା କରାଯିବା, ସ୍ପେଶାଲିଷ୍ଟ ଡାକ୍ତରମାନେ ପିଜି ପଢ଼ିବା ପାଇଁ ଛୁଟି ନେଇଥିଲେ ଏହାକୁ ଚାକିରି ହିସାବରେ ଗଣନା କରିବାକୁ ବୈଠକରେ ଦାବି ଉପସ୍ଥାପନ କରାଯାଇଥିଲା। ଏହିସବୁ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଓମ୍‌ସା ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ‌ଚେତାବନୀ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ସିଡିଏମ୍‌ଓ ଡାକ୍ତର ସନ୍ତୋଷ ପାତ୍ର, ମୟୂରଭଞ୍ଜ ସିଡିଏମ୍‌ଓ ଡା.ରୂପଭାନୁ ମିଶ୍ର, ବାଲେଶ୍ବର ଏଡିଏମ୍‌ଓ ଡା. ସୁଶାନ୍ତ ନାୟକ, ଡା.ମୃତ୍ୟୁଞ୍ଜୟ ମିଶ୍ର, ଡା.ପରେଶ ନନ୍ଦୀ ପ୍ରମୁଖ ଯୋଗ ଦେଇଥିଲେ।