ଭୁବନେଶ୍ବର : ଡାକ୍ତରଙ୍କ ଅବସର ବୟସ ସୀମା ୬୫ବର୍ଷକୁ ବୃଦ୍ଧି ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରିଛି ରାଜ୍ୟ ମେଡିକାଲ ସେବା ସଂଘ (ଓମ୍‌ସା)। ଏହି ନିଷ୍ପତ୍ତି ଦ୍ବାରା ଜନସାଧାରଣ ଓ ଡାକ୍ତର କେହି ବି ଉପକୃତ ହେବେ ନାହିଁ। ତେଣୁ ଡାକ୍ତରଙ୍କ ଅବସର ବୟସସୀମା ବୃଦ୍ଧି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ନଚେତ୍ ଓମ୍‌ସା ରାଜ୍ୟବ୍ୟାପୀ ଏହାର ବିରୋଧ କରିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Advertisment

ଆଜି ଆଇଏମ୍‌ଏ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ରାଜ୍ୟ ସଭାପତି ଡା.ନାରାୟଣ ରାଉତ କହିଲେ, କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ଏଭଳି ଏକତରଫା ନିଷ୍ପତ୍ତି ଗ୍ରହଣୀୟ ନୁହେଁ। ଏହାଦ୍ବାରା ଡାକ୍ତରମାନେ ହତୋତ୍ସାହିତ ହୋଇ ପଡ଼ିଛନ୍ତି।

ଏହାସହ କେନ୍ଦ୍ରୀୟ ହାରରେ ନିଶ୍ଚିତ ପଦୋନ୍ନତି ବ୍ୟବସ୍ଥା(ଡିଏସିପି) ଲାଗୁ କରାଯାଉଛି। ରାଜ୍ୟ ସରକାର ଏବେ ୭,୧୪ ଓ ୨୧ବର୍ଗରେ ପଦୋନ୍ନତି ବ୍ୟବସ୍ଥା କରିଛନ୍ତି। ଯାହାଫଳରେ ଡାକ୍ତରମା‌ନେ ଉପକୃତ ହେଉ ନାହାନ୍ତି। ସେହିପରି ଦନ୍ତ ଚିକିତ୍ସକମାନେ ଓଏମ୍‌ଏଚ୍‌ଏସ୍‌ କ୍ୟାଡରରେ ସାମିଲ ହୋଇଥିଲେ ହେଁ, ସେମାନଙ୍କର କ୍ୟାଡର ପୁନର୍ଗଠନ ହୋଇନାହିଁ। ଡିଏସିପି କିମ୍ବା ପିଜି ଇନସେଣ୍ଟିଭ୍ ଦିଆଯାଉ ନାହିଁ। ଯେଉଁ ଆଡହକ୍ ଡାକ୍ତରମାନଙ୍କ ଓପିଏସ୍‌ସି ପରୀକ୍ଷା ପାଇଁ ବୟସ ସୀମା ଟପି ଯାଇଛି ସେମାନଙ୍କୁ ସ୍ଥାୟୀ କରାଯାଉ ବୋଲି ଡା.ରାଉତ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦକ ଡା.ବିଶ୍ବଜିତ ସାମଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ।