ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ। ତାଙ୍କଠାରୁ ଅନୈତିକ ଉପାୟରେ ଆୟ କରିଥିବା ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ।
ସୂଚନା ଅନୁଯାୟୀ ଗତ ୮ ତାରିଖ ରାତିରେ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କଠାରୁ ଓଡିଶା ଭିଜିଲାନ୍ସର ଏକ ଟିମ୍ ବ୍ୟାଗରେ ଥିବା ନଗଦ ୫ ଲକ୍ଷ ୪,୫୬୦ ଟଙ୍କା ଜବତ କରିଥିଲା। ସେ ଏହି ଟଙ୍କାକୁ ନିଜ ବୁଲେଟରେ ନେଇ ଭଡ଼ାଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ବାଟରେ ଅଟକାଇଥିଲା। ନଗଦ ୫ ଲକ୍ଷ ୪,୫୬୦ ଟଙ୍କର କେଉଁ ସୂତ୍ରରୁ ସେ ଆୟ କରିଛନ୍ତି, ସେନେଇ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।
ଏହାପରେ ଭିଜିଲା୍ସ ଟିମ୍ ତାଙ୍କର ଭଡ଼ାଘରେ ଚଢ଼ାଉ କରିଥିଲା। ସେଠାରୁ ନଗଦ ୬ ଲକ୍ଷ ୩୦ ହଜାର ଟଙ୍କା ମିଳିଥିଲା। ଏହିପରି ସମୁଦାୟ ନଗଦ ୧୧ ଲକ୍ଷ ୩୪, ୫୬୦ ଟଙ୍କା ଜବତକରିଥିଲା ଭିଜିଲାନ୍ସ ଟିମ୍। ରାୟଗଡ଼ାର ମଙ୍ଗଳା ମନ୍ଦିର ନିକଟରେ ଅବସ୍ଥିତ ତାଙ୍କ ଭଡ଼ାଘର , ଭୁବନେଶ୍ୱରର ପାତ୍ରପଡ଼ା କିଶୋର ବିହାର, ଲେନ୍-୨ରେ ଥିବା ତାଙ୍କ ପତ୍ନୀଙ୍କ ବାସଭବନ ଏବଂ ନବରଙ୍ଗପୁରର ମନ୍ତ୍ରୀଗୁଡ଼ାରେ ଥିବା ପୈତୃକ ଘରେ ଚଢ଼ାଉ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଏହି ଘଟଣା ରାୟଗଡ଼ାରେ ଚର୍ଚ୍ଚାର ବିଷୟ ହୋଇଛି।