ଖରାଦିନେ ଓଟି ରୋଡ୍‌ କଡ଼ରୁ ଗଛ କାଟିଦେଲେ

ବାଲେଶ୍ବର: ବାଲେଶ୍ବର ସହର ଓଟି ରୋଡ୍‌ ‘ସମ୍ବାଦ’ ଛକ। ଏଇଠି ଗୋଟିଏ ବଡ଼ କଦମ୍ବ ଗଛ ଥିଲା। ସେ ଗଛଟା ବେଶ୍‌ ଛାଇ ଦେଉଥିଲା। ଡହଡହ ଖରାରେ ବି ଯାତ୍ରୀମାନେ ବସ୍‌କୁ ଅପେକ୍ଷା କରିବାରେ କିଛି ଅସୁବିଧା ଭୋଗ କରୁ ନ ଥିଲେ। ହେଲେ ଦିନେ ଦେଖାଗଲ‌ା ଓଟି ରୋଡ୍‌ର ଉଭୟ ପାର୍ଶ୍ବରେ ଥିବା‌ ବଡ଼ ବଡ଼ ଗଛ ସବୁକୁ କଟାଯାଉଛି। ରାସ୍ତା ପ୍ରଶସ୍ତ କରାଯିବା ପାଇଁ ଏପରି କରାଯାଉଛି। ଦୁଇଦିନ ଭିତରେ ସବୁ ଗଛ ସଫା କରିଦିଆଗଲା। ‘ସମ୍ବାଦ’ ଛକରେ ଥିବା ଉକ୍ତ କଦମ୍ବ ଗଛଟା ବି ବାଦ୍‌ ପଡ଼ିଲାନି। ଏହା ପରେ ଯାତ୍ରୀମାନେ ଏପ୍ରିଲ୍‌ ମାସ ଖରାରେ ବସ୍‌କୁ ଅପେକ୍ଷା କରିବା ପାଇଁ ନାକେଦମ୍‌ ହେଲେ। ଏବେ ଦେଖାଯାଉଛି ଯେଉଁଠି ସେ ଗଛଟି ଥିଲା, ସେଇଠି ଗୋଟିଏ ଯାତ୍ରୀ ପ୍ରତୀକ୍ଷାଳୟ ତିଆରି କରାଯାଇଛି। ଆଉ ତାକୁ ତିଆରି କରିଛନ୍ତି ସ୍ଥାନୀୟ ବାପି ଜଳଖିଆ ଦୋକାନର ମାଲିକ କୃଷ୍ଣଚନ୍ଦ୍ର ବାରିକ।

ଏ କଥାରୁ ପାଠକମାନେ ହୁଏତ କିଛି ବୁଝି ପାରୁ ନ ଥିବେ। ଭାବୁଥିବେ ଏଥିରେ କିଛି ଅସାଧାରଣ କଥା ନାହିଁ। ହେଲେ ଏହା ପଛରେ ମଞ୍ଜିକଥାଟିଏ ଲୁଚି ରହିଛି। ଆଉ ସେ ମଞ୍ଜିକଥା ଜାଣିଲେ ବାଲେଶ୍ବର ଜିଲ୍ଲା ଓ ପୌର ପ୍ରାଶାସନର ଅଧିକାରୀମାନେ ନିଶ୍ଚୟ କିଛି ଚିନ୍ତା କରିବେ ବୋଲି ବୁଦ୍ଧିଜୀବୀମାନେ ବିଶ୍ବାସ ରଖିଛନ୍ତି।

ଓଟି ରୋଡ୍‌ କଡ଼ରେ ଥିବା ବଡ଼ବଡ଼ ଗଛ ସବୁ ଯାତ୍ରୀଙ୍କୁ ଛାଇ ଦେଉଥିଲା। ହେଲେ ରାସ୍ତା ପ୍ରଶସ୍ତ ହେବ କହ‌ି କିଛିଦିନ ହେଲା ସବୁ ଗଛ କାଟି ଦିଆଯାଇଛି। ପାଖାପାଖି ୫୦ଟିରୁ ଅଧିକ ଗଛ କଟାଯାଇଛି। ଫଳରେ ଏବେ ପ୍ରଚଣ୍ଡ ଖରାରେ ଯାତ୍ରୀମାନେ ଡହଳବିକଳ ହେଉଛନ୍ତି। ଏପରି ସମୟରେ ସହରର ବୁଦ୍ଧିଜୀବୀମାନେ ପ୍ରତିକ୍ରିୟାଶୀଳ ହୋଇଥିଲେ। ବିକାଶ ହେଉ, କିନ୍ତୁ ପ୍ରଶାସନ ବିବେକଶୂନ୍ୟ ହୋଇ କାମ କରିବା ଉଚିତ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା। ପ୍ରଚଣ୍ଡ ଖରା ହେଉଥିବା ବେଳେ ଛାଇ ଦୃଷ୍ଟିରୁ ଗଛର ବେଶ୍‌ ଆବଶ୍ୟକତା ରହିଛି।

ଖରାଦିନ ପରେ ଉକ୍ତ ଗଛ ସବୁ କଟାଯାଇ ପାରନ୍ତା। ହେଲେ ପ୍ରଶାସନ ସେତକ ଚିନ୍ତା କଲାନି। ପ୍ରଶାସନର ଏପରି କାମକୁ ଆଇନଜୀବୀ ମନୋଜ ନାୟକ, ପରିବେଶବିତ୍‌ ସୁବ୍ରତ ନାୟକ, ପରିବେଶବିତ୍‌ ଡ. ଅଶୋକ ପାଣିଗ୍ରାହୀ ପ୍ରମୁଖ ଦୂରଦୃଷ୍ଟିର ଅଭାବ ବୋଲି କହିଲେ। ସେହିପରି କିଛି ବୁଦ୍ଧିଜୀବୀ ପ୍ରଶାସନକୁ ବିକଳ୍ପ ପରାମର୍ଶ ମଧ୍ୟ ଦେଇଥିଲେ। ଗଛ ତ କଟା ସରିଛି, ଖରାଦିନେ ଛାଇ ପାଇଁ ଅନ୍ତତଃ ପ୍ରଶାସନ ଆବଶ୍ୟକ ମୁତାବକ ଅସ୍ଥାୟୀ ଯାତ୍ରୀ ପ୍ରତୀକ୍ଷାଳୟ ତିଆରି କରୁ ବୋଲି ପ୍ରସ୍ତାବ ରଖିଥିଲେ। ଯେଉଁ ପ୍ରସ୍ତାବ ବାବଦରେ ଗତ ୧ ତାରିଖ ଦିନ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ହେଲେ ଦୂରଦୃଷ୍ଟିହୀନ ପ୍ରଶାସନ ପ୍ରସ୍ତାବକୁ ଗ୍ରହଣ ଏଯାଏ ଗ୍ରହଣ କରିନି।

ତେବେ ଅନ୍ୟପଟେ ‘ସମ୍ବାଦ’ ଛକରେ ଜଳଖିଆ ଦୋକାନ କରିଥିବା କୃଷ୍ଣଚନ୍ଦ୍ର ବା‌ରିକ କିନ୍ତୁ ବିବେକବାନ ମଣିଷର ପରିଚୟ ଦେଇଛନ୍ତି। ସେ ପ୍ରତିଦିନ ବସ୍‌କୁ ‌ଅପେକ୍ଷା କରି ଯାତ୍ରୀମାନେ ଖରାରେ ସନ୍ତୁଳି ହେଉଥିବା ଦେଖୁଥିଲେ। ଯାହା ତାଙ୍କୁ ବ୍ୟଥିତ କରିଥିଲା। ଶେଷରେ ସେ ପ୍ରାଶାସନିକ ଅଧିକାରୀ ଓ ପ୍ରାଶାସନିକ ବ୍ୟବସ୍ଥା ଠାରୁ ଊର୍ଧ୍ବକୁ ଯାଇ ନିଜ ଉଦ୍ୟମରେ ଯାତ୍ରୀ ପ୍ରତୀକ୍ଷାଳୟଟିଏ ତିଆରି କରିଛନ୍ତି। ଯେଉଁଠି ଯାତ୍ରୀ ପ୍ରତୀକ୍ଷାଳୟ ଲେଖାଥିବା ବ୍ୟାନର ବି ଟାଙ୍ଗିଛନ୍ତି। କୃଷ୍ଣଚନ୍ଦ୍ର କେବଳ ପ୍ରତୀକ୍ଷାଳୟଟିଏ ତିଆରି କରିଛନ୍ତି ତାହା ନୁହେଁ, ସେଠାରେ ସେ ପାନୀୟ ଜଳ ଓ ଫ୍ୟାନ୍‌ର ମଧ୍ୟ ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି।

ଏପରି ସମୟରେ ଅନେକ ବୁଦ୍ଧିଜୀବୀ କହୁଛନ୍ତି, ବାଲେଶ୍ବର ଜିଲ୍ଲା ଓ ପୌର ପ୍ରଶାସନ ଜଳଖିଆ ଦୋକାନୀ କୃଷ୍ଣଚନ୍ଦ୍ର ବାରିକଙ୍କ ଠାରୁ କିଛି ଶିଖନ୍ତୁ। ଲୋକଙ୍କ ଭିତରେ ଏବେ ବି ଆଶା ଉଜ୍ଜୀବିତ ରହିଛି। ଡେରି ହେଲେ ବି ପ୍ରଶାସନ ତା’ର ଦାୟିତ୍ବକୁ ହୃଦ୍‌ବୋଧ କରିବ ଏବଂ ଓଟି ରୋଡ୍‌ କଡ଼ରେ ଆବଶ୍ୟକ ଅନୁସାରେ ଅସ୍ଥାୟୀ ଯାତ୍ରୀ ପ୍ରତୀକ୍ଷାଳୟ ଖୁବ୍‌ଶୀଘ୍ର ନିର୍ମାଣ ହେବ।

ସମ୍ବନ୍ଧିତ ଖବର