ବିଧାନସଭାରୁ…

ଆସିଲେନି ଚ୍ୟାଉପଟ୍ଟନାୟକ

ଗତ ସପ୍ତାହରେ ଶାସକ ଦଳ ସଭ୍ୟ ବିଜୟ ମହାନ୍ତିଙ୍କ କ୍ଷେତ୍ରରେ ଯାହା ଘଟିଥିଲା, ଆଜି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ କ୍ଷେତ୍ରରେ ତାହା ହେଲା। ପ୍ରଶ୍ନକାଳରେ ତାଲିକାଭୁକ୍ତ ହୋଇଥିବା ପ୍ରଥମ ପ୍ରଶ୍ନ ଥିଲା ଶାସକ ଦଳ ସଭ୍ୟ ଶ୍ରୀ ଚ୍ୟାଉ ପଟ୍ଟନାୟକଙ୍କର। କିନ୍ତୁ ସେ ଗୃହକୁ ଆସି ନ ଥିଲେ। କାରଣ ବି ସ୍ପଷ୍ଟ। କାରଣ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସେହି ପ୍ରଶ୍ନଟି ଥିଲା। ଗୃହ, ଜଳସମ୍ପଦ, ସାଧାରଣ ପ୍ରଶାସନ ଆଦି ବିଭାଗର ପ୍ରଶ୍ନ ଥିବାରୁ ମୁଖ୍ୟମନ୍ତ୍ରୀ ନିଜେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବସିଥିଲେ। କିନ୍ତୁ ପ୍ରଶ୍ନକର୍ତ୍ତା ଶ୍ରୀ ଚ୍ୟାଉପଟ୍ଟନାୟକ ଅନୁପସ୍ଥିତ ଥିଲେ। ଫଳରେ ସେହି ପ୍ରଶ୍ନ ଉପରେ ଆଲୋଚନା ହୋଇ ନ ଥିଲା। ତେବେ ଶ୍ରୀ ଚ୍ୟାଉପଟ୍ଟନାୟକଙ୍କୁ ଆଜି ବିଧାନସଭା ପରିସରରେ ଦେଖିବାକୁ ମିଳିଥିଲା। ଏଥିରେ କେହି ଆଶ୍ଚର୍ଯ୍ୟ ହୋଇ ନ ଥିଲେ। କାରଣ ଏହା ଏକ ଚିରାଚରିତ ପ୍ର୍ରକ୍ରିୟା। ଯେତେବେଳେ ବି ମୁଖ୍ୟମନ୍ତ୍ରୀଙ୍କ ବିଭାଗ ସମ୍ପର୍କିତ କୌଣସି ପ୍ରଶ୍ନ ଥାଏ, ସେତେବେଳେ ସଂପୃକ୍ତ ପ୍ରଶ୍ନକର୍ତ୍ତା ଆସି ନ ଥା’ନ୍ତି।

ସରୋଜ ସାମଲଙ୍କ ଅର୍ଥ ଜ୍ଞାନ

ଯେତେବେଳେ ଅର୍ଥ ବିଭାଗର କୌଣସି ପ୍ରଶ୍ନ ଉପରେ ଆଲୋଚନା ହୁଏ, ସେତେବେଳେ ଢେଙ୍କାନାଳ ବିଧାୟକ ସରୋଜ ସାମଲ ନିଶ୍ଚିତ ଭାବେ ଅତିରିକ୍ତ ପ୍ରଶ୍ନ କରିଥିବେ। ଅର୍ଥ ବିଭାଗ ଆଲୋଚନା ବେଳେ ବାଚସ୍ପତି ତାଙ୍କୁ ସବୁବେଳେ ସୁଯୋଗ ଦେଉଥିବାର ମଧ୍ୟ ଲକ୍ଷ୍ୟ କରାଯାଏ। ଅବଶ୍ୟ ତାଙ୍କ ପ୍ରଶ୍ନ ଚିରାଚରିତ ନ ହୋଇ ପ୍ରାସଙ୍ଗିକତା ରଖିଥାଏ। ଆଜି ବି ସେ ସେହିପରି ପ୍ରଶ୍ନ କରିଥିଲେ। ଗତ ସପ୍ତାହରେ ଜିଏସ୍‌ଟି ଉପରେ ପ୍ରଶ୍ନ କରିଥିଲେ। ଶ୍ରୀ ସାମଲ ପ୍ରଶ୍ନ କଲା ବେଳେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ତାଙ୍କୁ ପ୍ରଶଂସା କରିଥିଲେ। କହିଥିଲେ, ବିଧାୟକ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌। ତେଣୁ ଅର୍ଥଶାସ୍ତ୍ର ଉପରେ ତାଙ୍କର ଭଲ ଜ୍ଞାନ ରହିଛି। ଏବେ ଶ୍ରୀ ସାମଲ ଜିଏସ୍‌ଟି ଉପରେ ବିଭିନ୍ନ ଅନୁଷ୍ଠାନରେ ବକ୍ତତା ଦେଉଥିବାର ଜଣାପଡ଼ିଛି।

ବିଜେଡି ନେତାଙ୍କ ନାଁ ନେଲେନି ତାରା

ବାଲି, ପଥର, ମୋରମ୍‌ ଚୋରାଚାଲାଣ ନେଇ ପ୍ରଶ୍ନକାଳରେ ସରଗରମ ଆଲୋଚନା ହେଉଥିଲା। ତାରା ବାହିନୀପତି ବି କୋରାପୁଟରୁ ଚୋରାଚାଲାଣ ନେଇ ଭୀଷଣ ଉଦ୍‌ବେଗ ପ୍ରକାଶ କଲେ। ଜଣେ ବିଜେଡି ନେତା ରାୟଗଡ଼ାରୁ ୨୦୦ ଟ୍ରିପ୍‌ ଚୋରାଚାଲାଣ କରୁଥିବା କହିଥିଲେ। ଗୃହରେ ସମସ୍ତେ ବଡ଼ପାଟିରେ କହିଲେ, ବିଜେଡି ନେତାଙ୍କ ନାଁ କୁହନ୍ତୁ। ତାରା କହିଲେ, କହିବା କ’ଣ ଦରକାର? ସମସ୍ତେ ବୁଝିପାରୁଥିବେ। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉତ୍ତର ଦେବାକୁ ଠିଆ ହେଲା ବେଳେ ଅନ୍ୟ ସଭ୍ୟଙ୍କ ସହ ତାଳ ମିଳାଇ କହିଲେ, ନେତାଙ୍କ ନାଁ କୁହ। ଅସୁବିଧା କ’ଣ ଅଛି। ତାରା କହିଲେ, ସେହି ନେତା ରାଜ୍ୟସଭା ସାଂସଦ। ଏଥିରୁ ଯିଏ ଯାହା ବୁଝିବା କଥା ବୁଝ। ଅବଶ୍ୟ ମନ୍ତ୍ରୀ ଏ ବାବଦରେ କିଛି ପ୍ରତିକ୍ରିୟା ଦେଇ ନ ଥିଲେ।

ତଥ୍ୟ ପରେ ଦେଇଦେବେ

ପ୍ରଶ୍ନକାଳରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ବହୁ ପ୍ରଶ୍ନର ତଥ୍ୟ ଦେଇପାରୁ ନ ଥିଲେ। ପରେ ଦେଇଦେବେ ବୋଲି କହିଥିଲେ। ମଝିରେ ମଝିରେ ବିରୋଧୀ ଦଳ ପଟୁ ତାରା ବାହିନୀପତି କଟାକ୍ଷ କରୁଥିଲେ, ଚାମ୍ବର୍‌କୁ ଆସନ୍ତୁ। ତଥ୍ୟ ମିଳିଯିବ। ଏହି ସମୟରେ ଶାସକ ଦଳ ସଭ୍ୟ ସମୀର ଦାଶ ଏକ ପ୍ରଶ୍ନ କରିଥିଲେ। କାଳେ ମନ୍ତ୍ରୀଙ୍କ ପାଖରେ ଉତ୍ତର ନ ଥିବ, ତେଣୁ ବାଚସ୍ପତି ହସି ହସି କହିଲେ ଯେ ତଥ୍ୟ ଯଦି ନାହିଁ ତେବେ ପରେ ଦେଇଦେବେ। କିନ୍ତୁ ମନ୍ତ୍ରୀ ଉତ୍ତର ଦେଇଥିଲେ। ଅନ୍ୟ ଉତ୍ତରଗୁଡ଼ିକ ତୁଳନାରେ ସେହି ଉତ୍ତରଟିରେ ହିଁ ସେ ଠୋସ୍‌ ତଥ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର