ବିଧାନସଭାରୁ…

ଅଫିସର୍‌ଙ୍କୁ ସୁରକ୍ଷା ଦେଲେ ଦାମ

ଅଫିସର୍‌ଙ୍କ ଉପରେ ଗର୍ଜିବାରେ ମନ୍ତ୍ରୀ ଦାମୋଦର ରାଉତଙ୍କର ରେକର୍ଡ ଅଛି। ସୁଯୋଗ ମିଳିଲେ ସେ ଅଫିସର୍‌ଙ୍କ ମନଇଚ୍ଛା ଗାଳି ଦେବାର ନଜିର ରହିଛି। କିନ୍ତୁ ଆଜି ବିଧାନସଭାରେ ଶ୍ରୀ ରାଉତଙ୍କ ଭିନ୍ନ ରୂପ ଦେଖିବାକୁ ମିଳିଥିଲା। ୧୧ଟା ୩୦ରେ ପ୍ରଶ୍ନକାଳ ଶେଷ ହେବା ପରେ ‘ଶୂନ୍ୟକାଳ’ ଆରମ୍ଭ ହେଲା। ଶୂନ୍ୟକାଳ ୧୫/୨୦ ମିନିଟ୍‌ ଚାଲିଲା ପରେ ହଠାତ୍‌ ବାଚସ୍ପତି ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ ପାଇଁ ଘୋଷଣା କଲେ। କୃଷି ମନ୍ତ୍ରୀଙ୍କ ବିବୃତିରୁ ଆଲୋଚନା ଆରମ୍ଭ ହେଲା। ପାଳି ପଡ଼ିଲା କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କର। ସେ କହିଲେ, ଚାଷ ପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଅଥଚ ଜଣେ ବି କେହି କୃଷି ବିଭାଗର ଅଫିସର୍‌ ଗ୍ୟାଲେରିରେ ନାହାନ୍ତି। ଚାଷୀ ପ୍ରତି ଏମାନଙ୍କର କେତେ ଦରଦ ବୁଝାପଡ଼ିଯାଉଛି। ତାରାଙ୍କ ଗର୍ଜନରେ ମନ୍ତ୍ରୀ ନିଜେ ଠିଆ ହୋଇ କହିଲେ, ଗ୍ୟାଲେରିକୁ ଅଫିସର୍‌ମାନେ ନିଶ୍ଚିତ ଆସିବେ। ମୁଲତବୀ ପ୍ରସ୍ତାବ ଉପରେ ଆଗୁଆ ଆଲୋଚନା ଆରମ୍ଭ ହୋଇଗଲା। ତେଣୁ ସେମାନେ ଜାଣିପାରିନାହାନ୍ତି। ସେମାନଙ୍କୁ ଖବର ଦେଲେ, ସଙ୍ଗେ ସଙ୍ଗେ ପହଞ୍ଚିଯିବେ। ସେମାନେ ସଙ୍ଗେ ସଙ୍ଗେ ପହଞ୍ଚୁଛନ୍ତି, ବ୍ୟସ୍ତ ହେବାର କିଛି ନାହିଁ। ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ତାରା ଆଉ କିଛି ପ୍ରତିକ୍ରିୟା ପ୍ରକାଶ କରି ନ ଥିଲେ।

ଅର୍ଥ ମନ୍ତ୍ରୀଙ୍କ ଦୀର୍ଘ ଉତ୍ତର

ପ୍ରଶ୍ନକାଳରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଜିଏସ୍‌ଟି ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତର ଦେଉଥିଲେ। ଦୁଇ ଜଣ ମୂଳ ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନକୁ ମିଶାଇ ସେ ଉତ୍ତର ଦେଉଥିଲେ। ଏହି ଗୋଟିଏ ପ୍ରସଙ୍ଗରେ ଆଲୋଚନା ପାଖାପାଖି ୪୦ ମିନିଟ୍‌ ଚାଲିଲା। ପ୍ରଶ୍ନକାଳର ଅଧାରୁ ଅଧିକ ଏଥିରେ ଚାଲିଗଲା। ଅର୍ଥ ମନ୍ତ୍ରୀଙ୍କ ଲମ୍ବା ଉତ୍ତର ଶୁଣିବା ପାଇଁ ସୀମାହୀନ ଧୈର୍ଯ୍ୟର ଆବଶ୍ୟକତା ଥିଲା। ମନ୍ତ୍ରୀ ଜାଣିଶୁଣି ଲମ୍ବା ଉତ୍ତର ଦେଇ ସମୟ ଗଡ଼ାଉଥିଲେ ନା ଅଜାଣତରେ ଏମିତି କରୁଥିଲେ, ତାହା ବୁଝାପଡ଼ୁ ନ ଥିଲା। କିନ୍ତୁ ବହୁ ସଭ୍ୟଙ୍କ ଧେର୍ଯ୍ୟଚ୍ୟୁତି ଘଟୁଥିଲା। କିଛି ସଭ୍ୟ ବି ଉତ୍ତର ସୀମିତ ରଖିବାକୁ ବଡ଼ ପାଟିରେ କହିଥିଲେ। କିନ୍ତୁ ମନ୍ତ୍ରୀ ତାଙ୍କ ବାଟରେ କହିଚାଲିଥିଲେ।

କେନ୍ଦ୍ର ତ ଦେଉଛି, ଏମିତି କାହିଁକି ହେଉଛ

ଅର୍ଥ ମନ୍ତ୍ରୀ ଉତ୍ତର ଦେଲା ବେଳେ କେନ୍ଦ୍ରରୁ ଜିଏସ୍‌ଟି କ୍ଷତିପୂରଣ ରାଶି କେତେ ମିଳିଛି, ତାହାର ହିସାବ ଦେଇଥିଲେ। ସେହି ସମୟରେ ତାରା କହିଲେ, କେନ୍ଦ୍ର ତ ଠିକ୍‌ଠାକ୍‌ ଦେଉଛି। ପୁଣି ଦେଉନି ବୋଲି ପାଟି କାହିଁକି କରୁଛ ? ମନ୍ତ୍ରୀ କହିଲେ, ଏଇଟା ଆମର ହକ୍‌। ଆମେ ପାଇଛୁ। ସେଥିରେ ନୂତନତ୍ୱ କ’ଣ ଅଛି।

ଆସିଲେନି ବିଜୟ ମହାନ୍ତି

ଆଜି ପ୍ରଶ୍ନକାଳରେ ଆଲୋଚନା ପାଇଁ ତାଲିକାଭୁକ୍ତ ହୋଇଥିକା ତାରକା ପ୍ରଶ୍ନର ପ୍ରଥମ ପ୍ରଶ୍ନ ଥିଲା ଶାସକ ଦଳର ବିଧାୟକ ବିଜୟ ମହାନ୍ତିଙ୍କର। ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ପ୍ରଶ୍ନ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ବିଭାଗର ପ୍ରଶ୍ନ ଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶ୍ନକାଳର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବସିଥିଲେ। କିନ୍ତୁ ଚିରାଚରିତ ଭାବେ ପ୍ରଶ୍ନକର୍ତ୍ତା ଶ୍ରୀ ମହାନ୍ତି ଅନୁପସ୍ଥିତ ଥିଲେ। ପ୍ରାୟ ସବୁ ଦିନେ ଗୃହରେ ଶ୍ରୀ ମହାନ୍ତି ଉପସ୍ଥିତ ରହୁଥିଲେ ବି ଆଜି ଆସି ନ ଥିଲେ। ଅବଶ୍ୟ ଏଥିରେ କିଛି ଅସ୍ୱାଭାବିକତା ନ ଥିଲା। ଯେତେବେଳେ ବି ମୁଖ୍ୟମନ୍ତ୍ରୀଙ୍କ ବିଭାଗ ସମ୍ପର୍କିତ କୌଣସି ପ୍ରଶ୍ନ ଥାଏ, ସେତେବେଳେ ସଂପୃକ୍ତ ପ୍ରଶ୍ନକର୍ତ୍ତା ଆସି ନ ଥା’ନ୍ତି। ଫଳରେ ସେହି ପ୍ରଶ୍ନ ଉପରେ ଆଲୋଚନା ଆବଶ୍ୟକ ପଡ଼ି ନ ଥାଏ।

ପ୍ରଶ୍ନ ବୁଝିପାରିଲେନି ମହେଶ୍ୱର

ଆଜି ପ୍ରଶ୍ନକାଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୂଳ ପ୍ରଶ୍ନ ରହିଥିଲା। ପ୍ରଶ୍ନକର୍ତ୍ତା ଥିଲେ ଦେବାଶିଷ ନାୟକ। ବିଭାଗୀୟ ମନ୍ତ୍ରୀ ମହେଶ୍ୱର ମହାନ୍ତି ତାହାର ଉତ୍ତର ଦେଲେ। ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ନାୟକଙ୍କ ସମେତ ଶାସକ ଦଳ ସଭ୍ୟ ଦିବ୍ୟଶଙ୍କର ମିଶ୍ର ଅତିରିକ୍ତ ପ୍ରଶ୍ନ କଲେ। ମନ୍ତ୍ରୀ କହିଲେ, ବିଧାୟକ କ’ଣ ପ୍ରଶ୍ନ ପଚାରୁଛନ୍ତି ମୁଁ ବୁଝିପାରୁନି। ଉଭୟ ତାଙ୍କ ପ୍ରଶ୍ନକୁ ପୁଣି ଥରେ କହିଲେ। ତଥାପି ମନ୍ତ୍ରୀ ଠିକ୍‌ ଭାବେ ପ୍ରଶ୍ନକୁ ଧରି ନ ପାରି କାମଚଳା ଢଙ୍ଗରେ ଉତ୍ତର ଦେଇଥିଲେ।

ସମ୍ବନ୍ଧିତ ଖବର