ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳରେ ନାମଲେଖା ଜାଲିଆତି ପ୍ରସଙ୍ଗରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସରକାରୀ ବାସଭବନ ଘେରାଉ କରାଯାଉଛି। ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନେତୃତ୍ବରେ ଏହି ଘେରାଉ କାର୍ଯ୍ୟକ୍ରମ ହୋଇଥିବା ବେଳେ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ମାଡ଼ କରିଥିଲେ। ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଉତ୍କଳ ବିଶ୍ବବିଦ୍ୟାଳୟର ଲାଇବ୍ରେରି ଏଣ୍ଡ ଇନଫରମେସନ ସାଇନ୍ସ ବିଭାଗରେ ନାମଲେଖା ଜାଲିଆତି ହୋଇଛି। ସାମ୍ସ ରୢାଙ୍କିଂରେ ୧୩ ନମ୍ବର ସ୍ଥାନରେ ରହିଥିବା ଛାତ୍ରଙ୍କ ବଦଳରେ ୧୫ ନମ୍ବର ସ୍ଥାନରେ ଥିବା ଛାତ୍ରଙ୍କୁ ନାମଲେଖା ସୁଯୋଗ ଦିଆଯାଇଛି। ନାମଲେଖାର ଜାଲିଆତି ଭଳି ସାଂଘାତିକ ଅଭିଯୋଗ ସଂପର୍କରେ ବିଶ୍ବବିଦ୍ୟାଳୟ କୁଳପତି ଓ କାଉନ୍ସିଲ ଅଧ୍ୟକ୍ଷ ଓ ରାଜ୍ୟପାଳ(କୁଳାଧିପତି)ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିଲା ନାହିଁ।
ଉତ୍କଳ ବିଶ୍ବବିଦ୍ୟାଳୟରେ ନାମଲେଖା ଜାଲିଆତି
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହିଁ ଏହି ନାମଲେଖା ହୋଇଥିବା ବିଶ୍ବବିଦ୍ୟାଳୟର କର୍ମଚାରୀ ଗୋପନରେ ସୂଚନା ଦେଇଛନ୍ତି। ଏହାଦ୍ବାରା ଉତ୍କଳ ବିଶ୍ବବିଦ୍ୟାଳୟର ଗାରିମା ନଷ୍ଟ ହେଉଛି। ଏ ଦୃଷ୍ଟିରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଏହାସହ ରୢାଙ୍କିଂରେ ୧୩ ନମ୍ବର ସ୍ଥାନରେ ଥିବା ଛାତ୍ରଙ୍କୁ ତୁରନ୍ତ ନାମଲେଖା ପାଇଁ ସୁଯୋଗ ଦିଆଯାଉ। ସେହିପରି ନାମଲେଖା ଜାଲିଆତିରେ ସଂପୃକ୍ତ ଉତ୍କଳ ବିଶ୍ବବିଦ୍ୟାଳୟର ଅଧିକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହି ଘେରାଉ କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ଚିନୁ ସିଂହ, ୟାସିର ନୱାଜ, ବିଶ୍ବଜିତ ଦାଶ, ରଞ୍ଜିତ ପାତ୍ର, ମନୋଜ ବିଶ୍ବାଳ, କିରଣ ସାହୁ, ସୁଦୀପ ସାମଲ, ତୁଷାରକାନ୍ତ, ଗଣେଶ ଦାସ, ନିହାର ବେହେରା, ବିଶ୍ବଭୂଷଣ ମହାପାତ୍ର, ମିର୍ଜା ଇସଲାମ ବେଗ, ଶ୍ରୀ ମହାନ୍ତି, ଲିପିକା ପାତ୍ର, ବାବୁ ଜେନା, ସୁବ୍ରତ ମହାପାତ୍ର, ରଣଜିତ ସେନାପତି, ପ୍ରୀତମ ନାୟକ ଓ ଅନ୍ୟମାନେ ସାମିଲ ହୋଇଥିଲେ।