ଭୁବନେଶ୍ବର: ଆସନ୍ତା ଫେବ୍ରୁଆରି ୧୪ ତାରିଖରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଓଡ଼ିଶାରେ ପହଞ୍ଚିବ। ଝାଡ଼ଖଣ୍ଡ ଦେଇ ଏହି ଯାତ୍ରା ପ୍ରଥମେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ୩୪୧ କି.ମି ଅତିକ୍ରମ କରିବ। ଓଡ଼ିଶାରେ ରାହୁଲ ୪ ଦିନ ପାଇଁ ରହିବେ। ଏହି ନ୍ୟାୟ ଯାତ୍ରାରେ କୌଣସି ବ୍ୟକ୍ତି ସାମିଲ ହେବାକୁ ଚାହୁଁଥିଲେ ୯୮୯୧୮୦୨୦୨୪କୁ ମିସ୍ କଲ ଦେଇ ଜଣେ ନ୍ୟାୟ ଯୋଦ୍ଧା ଭାବେ ଯୋଗ ଦେଇପାରିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋ।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ପୁସ୍ତିକା ଓ ପ୍ରଚାରପତ୍ର ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଶ୍ରୀ କାନୁନ୍ଗୋ କହିଥିଲେ ଯେ ଯେଉଁ ଅଞ୍ଚଳ ଦେଇ ଏହି ଯାତ୍ରା ଅତିକ୍ରମ କରିବ ସେସବୁ ଅଞ୍ଚଳର ଜନସାଧାରଣ ଏହି ଯାତ୍ରାରେ ନିଜକୁ ସାମିଲ କରିପାରିବେ। ପିସିସି ମିଡିଆ ସେଲ୍ର ଅଧ୍ୟକ୍ଷ ବିଶ୍ବରଂଜନ ମହାନ୍ତି କହିଥିଲେ, ଦେଶର ବଞ୍ଚିତବର୍ଗଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ରାହୁଲ ଗାନ୍ଧୀ ଏହି ଯାତ୍ରା କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ ରାଉତରାୟ, ଦାଶରଥି ଗମାଙ୍ଗ, ଏଆଇସିସି ସଂପାଦକ ଶରତ ରାଉତ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ମନୋରଂଜନ ଦାସ, ରଜନୀ ମହାନ୍ତି ଓ ଅମୀୟ ପାଣ୍ଡବ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ୪ ଜିଲ୍ଲା ବାଦ ଅଧିକ ରୁଟ୍ରୁ ରାହୁଲଙ୍କ ପଦଯାତ୍ରା ନେଇ ଏଆଇସିସିକୁ ପ୍ରସ୍ତାବ ଦିଆଯାଇଛି। ତେବେ ରୁଟ୍ ସଂଖ୍ୟା ବଢ଼ିବ କି ନାହିଁ ଏଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଉଲ୍ଲେଖ ଯେ ଜାନୁଆରି ୧୪ ତାରିଖରୁ ମଣିପୁରରୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ଯାଏ ପଶ୍ଚିମ ଭାରତରେ ପହଞ୍ଚିବ। ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ୬୭୧୩ କି.ମିର ଏହି ଯାତ୍ରା ୬୬ ଦିନରେ ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି।